ବଢିଲା ସେନାର ଶକ୍ତି, ସାମିଲ ହେଲା ସ୍ନାଇପର ରାଇଫଲ
ଜମ୍ମୁ : ଦିନକୁ ଦିନ ବୃଦ୍ଧି ପାଉଛି ଭାରତୀୟ ସେନାର ଶକ୍ତି। ଅତ୍ୟାଧୁନିକ ଜ୍ଞାନକୌଶଳରେ ତିଆରି ଅସ୍ତ୍ରଶସ୍ତ୍ର ଏବେ ନିୟମିତ ଭାବରେ ସେନାରେ ସାମିଲ କରାଯାଉଛି ଯାହାକୁ ନେଇ ଶତୃ ଛାତିରେ ମଧ୍ୟ ଛନକା ସୃଷ୍ଟି ହେଉଛି। ତେବେ ଏହାରି ମଧ୍ୟରେ ଆଜି ଭାରତୀୟ ସେନାରେ ସାମିଲ କରାଯାଇଛି ଫିନଲାଣ୍ଡ ଦ୍ୱାରା ନିର୍ମିତ ସ୍ନାଇପର ରାଇଫଲ। ପ୍ରଥମ ଥର ପାଇଁ ଏହାକୁ ଏଲଓସିରେ ନିୟୋଜିତ ଯବାନମାନଙ୍କୁ ଯୋଗାଇ ଦିଆଯାଇଛି।
ସେନା ଦ୍ୱାରା ବ୍ୟବହୃତ ଅନ୍ୟ ରାଇଫଲ ତୁଳନାରେ ଏହି ସ୍ନାଇପର ରାଇଫଲ ଗୁଡିକର ମାରକ କ୍ଷମତା ଅଧିକ ରହିଛି। ଯାହା ଦ୍ୱାରା ଯେ କୌଣସି ପ୍ରତିକୂଳ ପରିସ୍ଥିତିରେ ଶତୃକୁ କଡା ଜବାବ୍ ଦିଆଯାଇପାରିବ ବୋଲି ଆଜି ସେନାର ଜଣେ ବରିଷ୍ଠ ଅଧିକାରୀ ମତ ରଖିଛନ୍ତି। ବିଶେଷ ଭାବରେ ଏଲଓସି ଓ ଅନ୍ତରାଷ୍ଟ୍ରିୟ ସୀମାରେ ସ୍ନାଇପିଂ ଏକ ବଡ଼ ସମସ୍ୟା ସୃଷ୍ଟି କରୁଥିବା ବେଳେ ୨୦୧୮-୧୯ ମଧ୍ୟରେ ହଠାତ୍ ଏହାର ବୃଦ୍ଧି ଘଟିଥିଲା ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସୈନିକ ମାନଙ୍କୁ ଉନ୍ନତ ମାନର ସ୍ନାଇପର ରାଇଫଲ ଯୋଗାଇ ଦିଆଯିବାକୁ ନିଷ୍ପତି ନିଆଯାଇଥିଲା ଆଉ ଆଜି ଏହା ସଫଳ ହୋଇଛି।