ସଂସଦ ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ : ଓଡ଼ିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଉଠାଇବାକୁ ସାଂସଦଙ୍କୁ ପରାମର୍ଶ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତିନି ଦିନିଆ ନୂଆଦିଲ୍ଲୀ ଗସ୍ତ ଅବସରରେ ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଓ ବିଭିନ୍ନ ଦଳର ସାଂସଦମାନଙ୍କୁ ସାକ୍ଷାତ କରିଛନ୍ତି । ଏଥିସହ ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ଓଡିଶାର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗଗୁଡିକୁ ସଂସଦରେ ଉପସ୍ଥାପିତ କରିବାକୁ ବିଜେଡି ସାଂସଦ ମାନଙ୍କୁ ପରାମର୍ଶ ଦେଇଛନ୍ତି ।
ତେବେ ଏହି ଗସ୍ତ ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବାର କୌଣସି କାର୍ଯ୍ୟକ୍ରମ ନାହିଁ ବୋଲି ନିଜେ ମୁଖ୍ୟମନ୍ତ୍ରୀ ଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ସହ ମଧ୍ୟ କୌଣସି ବୈଠକ ହେବନି । ବିରୋଧୀ ଦଳ ନେତାଙ୍କ ସହ ମଧ୍ୟ ଆଲୋଚନା ହେବନି । ସେ ଆହୁରି କହିଛନ୍ତି ରାଷ୍ଟ୍ରପତି ନିର୍ବାଚନ ନେଇ ଏଯାଏ କୌଣସି ଆଲୋଚନା ହୋଇନି । ସେପଟେ ଦିଲ୍ଲୀରେ ନବୀନଙ୍କ ସହ ଆଲୋଚନା କରିଛନ୍ତି ଡିଏମକେ ଓ ଏଆଇଡିଏମକେ ନେତା । ନବୀନ ପଟ୍ଟନାୟକ ସଂସଦ ଭବନରେ ପହଂଚିବା ମାତ୍ରେ ବିଜେଡି ସାଂସଦମାନେ ତାଙ୍କୁ ପାଛୋଟି ନେଇଥିଲେ । ବିଜେଡି ସଂସଦୀୟ ଦଳ ବୈଠକରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ସଂସଦର ବିଜେଡି କାର୍ଯ୍ୟାଳୟରେ ଓଡ଼ିଶାର ପୁରୁଣା ପ୍ରସଙ୍ଗ ଓ ସ୍ୱାର୍ଥକୁ ନେଇ ଦଳୀୟ ସାଂସଦଙ୍କ ସହ ଆଲୋଚନା ବେଳେ ଗମ୍ଭୀରତାର ସହ ରାଜ୍ୟର ପୁରୁଣା ଦାବିକୁ ସଂସଦର ଉଭୟ ଗୃହରେ ଉପସ୍ଥାପନ ପାଇଁ ସେ ସାଂସଦ ମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।