ଆଇପିଏଲ ୨୦୨୨ : ପ୍ରଥମ ପରାଜୟର ସମ୍ମୁଖୀନ ହେଲା ମୁମ୍ବାଇ, ଦିଲ୍ଲୀର ଚମତ୍କାର ବିଜୟ
ମୁମ୍ବାଇ : ଆଇପିଏଲ-୨୦୨୨ର ଦ୍ଵିତୀୟ ମ୍ୟାଚ୍ରେ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମୁହାଁମୁହିଁ ହୋଇଥିଲେ । ଏଥିରେ ପ୍ରଥମେ ବ୍ୟାଟିଂ ଓ ପରେ ବୋଲରଙ୍କ ନିରାଶଜନକ ପ୍ରଦର୍ଶନ ବଳରେ ଆଇପିଏଲରେ ପ୍ରଥମ ପରାଜୟର ସମ୍ମୁଖୀନ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ। ଲଳିତ ଯାଦବ ଏବଂ ଅକ୍ଷର ପଟେଲଙ୍କ ବିସ୍ଫୋରକ ବ୍ୟାଟିଂ ମୁମ୍ବାଇ ହାତରୁ ମ୍ୟାଚ୍ ଛଡାଇ ନେଇଛନ୍ତି। ଦୁଇ ବ୍ୟାଟସମ୍ୟାନଙ୍କ ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଦମଦାର ବିଜୟ ହାସଲ କରିଛି। ଏଥିସହ ଦଳ ବିଜୟରୁ ହିଁ ନିଜର ଅଭିଯାନ ଆରମ୍ଭ କରିଛି। ପ୍ରଥମେ ବ୍ୟାଟିଂ କରି ମୁମ୍ବାଇ ଇଣ୍ଡିଆନ୍ସ ଇଶାନ କିଷନଙ୍କ ଅପରାଜିତ ୮୧ ଏବଂ ରୋହିତ ଶର୍ମାଙ୍କ ୪୧ ରନ ବଳରେ ୫ ଓ୍ଵିକେଟ୍ ହରାଇ ୧୭୭ ରନର ଚ୍ୟାଲେଞ୍ଜିଂ ସ୍କୋର କରିଥିଲା। ଜବାବରେ ଦିଲ୍ଲୀ କ୍ୟାପିଟାଲ୍ସ ଲଳିତ ଯାଦବଙ୍କ ଅପରାଜିତ ୪୮ ଏବଂ ଅକ୍ଷର ପଟେଲଙ୍କ ବିସ୍ଫୋରକ ୧୭ ବଲରୁ ୩୮ ରନ ବଳରେ ୧୮.୨ ଓଭରରେ ୬ ଓ୍ଵିକେଟ୍ ହରାଇ ଚମତ୍କାର ବିଜୟ ହାସଲ କରିଛି। ଲଳିତ ଏବଂ ଅକ୍ଷର ଅବିଭାଜିତ ସପ୍ତମ ଓ୍ଵିକେଟ୍ରେ ୭୫ ରନ ଯୋଡି ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି।
ସୂଚନା ଯେ, ଦିଲ୍ଲୀ କ୍ୟାପିଟାଲ୍ସ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମୁମ୍ବାଇ ଇଣ୍ଡିଆନ୍ସର ଦୁଇ ଓପନର ରୋହିତ ଶର୍ମା ଏବଂ ଇଶାନ କିଷନ ଦମଦାର ବ୍ୟାଟିଂ କରି ଦଳକୁ ଭଲ ଆରମ୍ଭ ଦେଇଥିଲେ। ୮.୨ ଓଭରରେ ଓପନିଂ ଯୋଡି ୬୭ ରନ ଯୋଡିଥିଲେ। ରୋହିତ ଶର୍ମା ୩୨ ବଲ୍ରୁ ୪ ଚୌକା ଏବଂ ୨ ଛକା ସହ ୪୧ ରନ କରି ଆଉଟ୍ ହୋଇଥିଲେ। ପରେ ଅନମୋଲପ୍ରୀତ ସିଂହ(୮) ଶୀଘ୍ର ଆଉଟ୍ ହୋଇଥିଲେ। ଏହା ପରେ ଇଶାନ କିଷନ ଏବଂ ତିଳକ ବର୍ମା ଦ୍ରୁତ ବ୍ୟାଟିଂ କରି ମୁମ୍ବାଇ ସ୍କୋରକୁ ୧୧୭ ରନରେ ପହଞ୍ଚାଇଥିଲେ। ବର୍ମା ୨୨ ରନରେ ବିଦାୟ ନେଇଥିଲେ। କିରଣ ପୋଲାର୍ଡ(୩) ଅଧିକ ସମୟ କ୍ରିଜରେ ତିଷ୍ଠି ପାରିନଥିଲେ। ଅନ୍ୟପଟେ ଇଶାନ କିଷନ ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଦଳର ସ୍ଥିତି ମଜବୁତ କରିଥିଲେ। ସେ ଆଇପିଏଲରେ ୧୦ମ ଅର୍ଦ୍ଧଶତକ ହାସଲ କରିଥିଲେ। କିଷନ ୪୮ ବଲ୍ରୁ ୧୧ ଚୌକା ଏବଂ ୨ ଛକା ସହ ୮୧ ରନରେ ଅପରାଜିତ ଥିଲେ। ଡାନିଏଲ ସାମ୍ସ ୭ ରନରେ ଅପରାଜିତ ଥିଲେ। କିଷନଙ୍କ ବ୍ୟାଟିଂ ବଳରେ ମୁମ୍ବାଇ ୫ ଓ୍ଵିକେଟ୍ ହରାଇ ୧୭୭ ରନ କରିଛି।