ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା
ଭୁବନେଶ୍ୱର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କାଳବୈଶାଖୀ ସମ୍ଭାବନା ହରିଛି। ଫଳରେ କେତେକ ଜିଲାରେ ରବିବାର ଅଳ୍ପରୁ ମଧ୍ୟମ ଧରଣର ବର୍ଷା ସହ ବଜ୍ରପାତ ହୋଇପାରେ। ଏନେଇ ଭୁବନେଶ୍ବରସ୍ଥିତ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ରାଜ୍ୟରେ ଏବେ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକର ତାପମାତ୍ରା ଖସିବାରେ ଲାଗିଛି। ହେଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ତାତି ଜାରି ରହିଛି। ଏବେ ରାଜ୍ୟରେ ଆଜିଠାରୁ ଆହୁରି ୪ଦିନ ଯାଏ ଅର୍ଥାତ୍ ୫ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ଜାରି ରହିବ। ତେବେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ଼,ଅନୁଗୁଳ, ଢ଼େଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କୋରାପୁଟ, ମାଲକାନଗିରି, ନବରଙ୍ଗପୁର ସମେତ କଳାହାଣ୍ଡି, ରାୟଗଡ଼ା, କନ୍ଧମାଳ, ଗଜପତି ଓ ନୟାଗଡ଼ ଆଦି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ଆସନ୍ତା ୨୪ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ରହିଛି। ଏହି ସମୟରେ ଜରୁରୀ ନଥିଲେ ଘରୁ ନବାହାରିବାକୁ ଉକ୍ତ ଜିଲ୍ଲାର ବାସିନ୍ଦାଙ୍କୁ ପରାମର୍ଶ ଦିଆଯାଇଛି। ଯଦି କି କେହି ବାହାରକୁ ଯାଇଛନ୍ତି ତେବେ କାଳବୈଶାଖୀ ସମୟରେ ଗଛ ତଳେ ଆଶ୍ରୟ ନିଅନ୍ତୁ ନାହିଁ। ଏହା ଆପଣଙ୍କ ପାଇଁ ବିପଦ ହୋଇପାରେ।