ଚନ୍ଦ୍ରାଗଡ଼ି ପୋଖରୀର ପୁନଃରୁଦ୍ଧାର ୧୫ନଂ. ୱାର୍ଡ଼ବାସୀଙ୍କ ସମସ୍ୟା
ବାଲେଶ୍ୱର : ବାଲେଶ୍ୱର ପୌରପାଳିକାରେ ଆସନ୍ତା ୨୪ ତାରିଖ ପୌର ନିର୍ବାଚନ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରାର୍ଥୀମାନେ ନିଜର ସମର୍ଥକଙ୍କ ସହ ଘର ଘର ପ୍ରଚାର ଜାରି ରଖିଛନ୍ତି । ୱାର୍ଡ଼ର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ପ୍ରତିଶ୍ରୁତି ଦେଉଛନ୍ତି । କିନ୍ତୁ ସମସ୍ୟା ବହୁଳ ୧୫ ନଂ. ୱାର୍ଡ଼ର ଭୋଟରମାନେ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଉପରେ ଭରସା ନ କରି ଆଶୁ ସମାଧାନ ପାଇଁ ସ୍ୱର ଉଠାଇଛନ୍ତି ।
ପୌରପାଳିକାର ୧୫ନଂ. ୱାର୍ଡ଼ଟି ଆଜିମାବାଦ, ଜିସି ପଟ୍ଟନାୟକ ରୋଡ୍ର ଆଂଶିକ ଓ ମଲିକାଶପୁର ପ୍ରଭୃତି ଅଞ୍ଚଳକୁ ନେଇ ଗଠିତ । ଏଥିରେ ୨୯୬ଟି ପରିବାର ରହୁଥିବା ବେଳେ ୧,୦୬୯ ପୁରୁଷ ଭୋଟର ଓ ୧,୦୯୮ ମହିଳା ଭୋଟରଙ୍କୁ ମିଶାଇ ମୋଟ୍ ୨ହଜାର ୧୬୭ ଭୋଟର ରହିଛନ୍ତି । ସହରର ପ୍ରମୁଖ ଅଞ୍ଚଳର ଏହି ୱାର୍ଡ଼ଟି ଅବସ୍ଥିତ ଥିଲେ ମଧ୍ୟ ସବୁଠାରୁ ବଡ଼ ସମସ୍ୟା ହେଉଛି ୱାର୍ଡ଼ ମଝିରେ ଥିବା ଚନ୍ଦ୍ରାଗଡ଼ି ପୋଖରୀର ପୁନଃରୁଦ୍ଧାର କାର୍ଯ୍ୟ ସହ ନାଳ, ନର୍ଦ୍ଦମା ସଫେଇ ସହ ଭତ୍ତା ଓ ଆବାସ ଯୋଜନା । ଏହି ପୋଖରୀର ପଙ୍କ ଉଦ୍ଧାର ଓ ସୌନ୍ଦର୍ଯ୍ୟକରଣ ପାଇଁ ପୌରପାଳିକା ପକ୍ଷରୁ ଆବଶ୍ୟକ ଅନୁଦାନ ମଞ୍ଜୁର ସହ ପ୍ରାୟ ୪ବର୍ଷ ପୂର୍ବରୁ କାର୍ଯ୍ୟ ଆରମ୍ଭ ହୋଇଥିଲା । ମାତ୍ର ଠିକାଦାରଙ୍କ ମନମୁଖୀ କାର୍ଯ୍ୟଧାରା ଓ ସ୍ଥାନୀୟ ରାଜନୀତିକୁ କେନ୍ଦ୍ର କରି ବିବାଦ ସୃଷ୍ଟି ହେବା ସହ ପ୍ରକଳ୍ପ କାର୍ଯ୍ୟ ବନ୍ଦ ହୋଇଯାଇଥିଲା । ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ପାଇଁ ଏହି ପୋଖରୀ ଉପରେ ଲୋକେ ନିର୍ଭର କରିଆସୁଥିଲେ । ବିଶେଷ କରି ଦୀର୍ଘ ବର୍ଷ ଧରି ଏହି ପୋଖରୀରେ ହୋଇଆସୁଥିବା ଚନ୍ଦନ ଯାତ୍ରା ମଧ୍ୟ ବନ୍ଦ ହୋଇଯାଇଛି । ସବୁଠାରୁ ଉଲ୍ଲେଖନୀୟ ବିଷୟ ହେଲା, ଏହି ପୋଖରୀ କୂଳରେ ଏକ ମନ୍ଦିର ଥିବାବେଳେ ପୂଜା ପାଇଁ ଲୋକେ ପାଇପ୍ ପାଣି କିମ୍ବା ହାତମୋଡ଼ା ନଳକୂପ ଉପରେ ନିର୍ଭର କରୁଛନ୍ତି । ଅନ୍ୟପକ୍ଷରେ ଏହି ୱାର୍ଡ଼ରେ ଅଳିଆ ପକାଇବା ପାଇଁ ବ୍ୟବସ୍ଥା ନ ଥିବାରୁ ଲୋକେ ରାସ୍ତା ପାଶ୍ୱର୍ରେ ପକାଉଛନ୍ତି । ସପ୍ତାହରେ ଥରେ ପୌରପାଳିକା ଟ୍ରାକ୍ଟର ଆସି ଏହାକୁ ଉଠାଇଥାଏ । ସବୁଠରୁ ବଡ଼ କଥା ହେଲା, ଏହି ୱାର୍ଡ଼ର ଅଧିକାଂଶ ଅଞ୍ଚଳରେ ପକ୍କା ନାଳ ହୋଇଥିଲେ ବି ଏହାକୁ ଦୀର୍ଘ ବର୍ଷ ଧରି ସଫେଇ କରାଯାଇ ନାହିଁ । ନାଳ ପୋତିଯିବା କାରଣରୁ ସାମାନ୍ୟ ବର୍ଷାରେ ବି ନର୍ଦ୍ଦମା ପାଣି ରାସ୍ତାରେ ଚାଲିଥାଏ ବୋଲି ଲୋକେ ଅଭିଯୋଗ କରିଛନ୍ତି । ଏହା ବ୍ୟତୀତ ୱାର୍ଡ଼ର ବହୁ ଗରିବ ପରିବାର ଓ ବୟସ୍କ ବ୍ୟକ୍ତି ଭତ୍ତା ତଥା ଆବାସ ପାଇଁ ଆବେଦନ କରିଥିଲେ ବି ସେମାନଙ୍କୁ ମିଳୁନାହିଁ । ଏସବୁ ସମସ୍ୟାକୁ ନେଇ ପ୍ରାର୍ଥୀମାନେ ପ୍ରଚାର ସମୟରେ ଅଡୁଆରେ ପଡୁଛନ୍ତି ।