ଆଜି ଆନ୍ତର୍ଜାତିକ ଖୁସି ଦିବସ! ଜାଣନ୍ତୁ ଖୁସି ରହିବାର ବିଭିନ୍ନ ଉପାୟ (ଏବର୍ଷର ଥିମ- ଶାନ୍ତ ଓ ବୁଦ୍ଧିମାନ ରହନ୍ତୁ ଓ ଅନ୍ୟପ୍ରତି ଦୟା ପରବଶ ହୁଅନ୍ତୁ)
ପରିବର୍ତ୍ତନ ହିଁ ନିରନ୍ତର । ଖୁସି ଅନ୍ୱେଷଣ ବି ମଣିଷ ପାଇଁ ନିରନ୍ତର । ମହାମାରୀ ପ୍ରଭାବିତ ଏକ ବିଶ୍ୱରେ ରହି ପ୍ରତିଦିନ ଖୁସିରେ ରହିବା ଏକ ଦୁରୂହ ବ୍ୟାପାର ବୋଧେ ହୋଇଯାଇଛି । ବର୍ଷେରୁ ଅଧିକ ସମୟ ହେବ ଏଭଳି ସ୍ଥିତି ଦେଖାଦେଇଛି । ଆଶଙ୍କା, ଭୟ ଓ ଚାପ ଖୁସି ଯେମିତି ଛଡାଇ ନେଇଛି । କିନ୍ତୁ ଆମକୁ ଖୁସି ରହିବାକୁ ପଡିବ । ଆଜି ଆନ୍ତର୍ଜାତିକ ଖୁସି ଦିବସରେ ଟିକେ ହସି ଅନ୍ୟକୁ ହସାଇବାକୁ ପଡିବ । ଏହା ହିଁ ତ ଅସଲ ଖୁସି ।
ମିଳିତ ଜାତିସଂଘ ପକ୍ଷରୁ ପ୍ରତିବର୍ଷ ମାର୍ଚ୍ଚ ୨୦ ତାରିଖରେ ଆନ୍ତର୍ଜାତିକ ଖୁସି ଦିବସ ପାଳନ କରାଯାଏ । ସାଧାରଣତଃ ଆମେ ବିଶ୍ୱର ଶାନ୍ତି, ସମୃଦ୍ଧି ଓ ବିକାଶ ପ୍ରସଙ୍ଗରେ ଆଲୋଚନା କରିଥାଉ । ଅସଂଖ୍ୟ ସମସ୍ୟା ମଧ୍ୟରୁ ମାନବାଧିକାର, ସ୍ୱାସ୍ଥ୍ୟ, ପରିବେଶ ଆଦି ବିଷୟରେ ଚର୍ଚ୍ଚା କରିଥାଉ । କିନ୍ତୁ ଏସବୁ ମଧ୍ୟରେ ମଣିଷ ଜୀବନର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ମଧ୍ୟରୁ ଅନ୍ୟତମ ‘ଖୁସି’କୁ ଆମେ ଅଣଦେଖା କରିଥାଉ । ସାଂପ୍ରତିକ ସମୟରେ କୋଭିଡ-୧୯ ମହାମାରୀ ପ୍ରଭାବରୁ ମୁକ୍ତି ପାଇଁ ଦୁନିଆ ସଂଘର୍ଷରତ । ଏଥିସହ ଋଷ-ୟୁକ୍ରେନ ଯୁଦ୍ଧ ସାରାବିଶ୍ୱ ପାଇଁ ଉଦ୍ବେଗର ବିଷୟ ହୋଇଛି । ଏ ଦୃଷ୍ଟିରୁ ‘ଆନ୍ତର୍ଜାତିକ ଖୁସି ଦିବସ’ ପ୍ରାସଙ୍ଗିକତା ପୂର୍ବାପେକ୍ଷା ଅଧିକ ମନେ ହୁଏ ।
୨୦ ମାର୍ଚ୍ଚ ଓ ଆନ୍ତର୍ଜାତିକ ଖୁସି ଦିବସ :
୨୦୧୨ ମସିହା ଜୁଲାଇ ୧୨ ତାରିଖରେ ମିଳିତ ଜାତିସଂଘରେ ଗୃହୀତ ପ୍ରସ୍ତାବ ଅନୁସାରେ ପ୍ରତିବର୍ତ୍ତ ମାର୍ଚ୍ଚ ୨୦ ତାରିଖରେ ଆନ୍ତର୍ଜାତିକ ଖୁସି ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା । ଲୋକଙ୍କୁ ଖୁସିର ମହତ୍ତ୍ୱ ମନେ ପକାଇବା ପାଇଁ ଏହି ଦିବସ ପାଳନ କରାଯାଏ । ଆନ୍ତର୍ଜାତିକ ଖୁସି ଦିବସ ପଛରେ ବିଶ୍ୱର ଖ୍ୟାତନାମା ସମାଜସେବୀ ଜେମି ଇଲିୟନଙ୍କ ପ୍ରୟାସ ରହିଛି । ଇଲିୟନଙ୍କ ବିଚାରଧାରା ତତ୍କାଳୀନ ଜାତିସଂଘ ମହାସଚିବ ବାନ୍ କି ମୁନଙ୍କୁ ପ୍ରଭାବିତ କରିଥିଲ। ୨୦୧୩ ମସିହା ମାର୍ଚ୍ଚ ୨୦ ତାରିଖରେ ଜାତିସଂଘ ପକ୍ଷରୁ ପାଳନ ହୋଇଥିଲା ପ୍ରଥମ ‘ଆନ୍ତର୍ଜାତିକ ଖୁସି ଦିବସ’ ।
ଏ ବର୍ଷର ଥିମ୍ :
ପ୍ରତିବର୍ଷ ଆନ୍ତର୍ଜାତିକ ଖୁସି ଦିବସର ଏକ ଥିମ୍ ରହିଥାଏ । ଏବର୍ଷର ଥିମ ହେଉଛି – ‘Keep Calm, Stay Wise and Be Kind’ ( ଶାନ୍ତ ଓ ବୁଦ୍ଧିମାନ ରହନ୍ତୁ ଓ ଅନ୍ୟପ୍ରତି ଦୟା ପରବଶ ହୁଅନ୍ତୁ ) । ଏହାର ଅର୍ଥ ହେଲା ଯେ, ଜୀବନରେ ଯେ କୌଣସି ପରିସ୍ଥିତିରେ ମଧ୍ୟ ମଣିଷକୁ ସ୍ଥିର,ଶାନ୍ତ ଓ ବୁଦ୍ଧିମାନ ରହିବାକୁ ପଡିବ । ଏହାଦ୍ୱାରା ସେ ଜୀବନର ପ୍ରଗତି ଆଡକୁ ଅଗ୍ରସର ହୋଇପାରିବ । ଅନ୍ୟମାନଙ୍କ ପ୍ରତି ଦୟା ମନୋଭାବ ବି ରଖିବା ଦରକାର । ଏହା ଦ୍ୱାରା ସେ ଜୀବନରେ ଅଗ୍ରଗତି କରିପାରିବ ।
ସରକାରୀ ଆଭିମୁଖ୍ୟ ଓ ଖୁସି :
ଦେଖାଯାଇଛି ଯେ, ବିଶ୍ୱରେ ବିଭିନ୍ନ ଦେଶର ସରକାର ଲୋକଙ୍କ ସମସ୍ୟାର ସମାଧାନ ସହ ସେମାନଙ୍କ ପାଇଁ ନାନା ସୁବିଧା ସୁଯୋଗ କରିବା ଓ ବିକାଶ କାର୍ଯ୍ୟରେ ବ୍ୟସ୍ତ ରହି ଯୋଜନାମାନ ପ୍ରସ୍ତୁତ କରନ୍ତି । ତେବେ,ଏକ ଜନମଙ୍ଗଳକାରୀ ରାଷ୍ଟ୍ରର ଲକ୍ଷ୍ୟ ହାସଲ ପାଇଁ ନିଆଯାଇଥିବା କାର୍ଯ୍ୟକ୍ରମ ସବୁ ଲୋକଙ୍କ ଖୁସି ପାଇଁ କେତେ ପ୍ରଭାବଶାଳୀ ସାବ୍ୟସ୍ତ ହେବ, ସେଥିପ୍ରତି ସରକାରଗୁଡିକ ଧ୍ୟାନ ଦିଅନ୍ତି ନାହିଁ । ଏ ଦୃଷ୍ଟିରୁ ବି ଆନ୍ତର୍ଜାଚିକ ଖୁସି ଦିବସର ମହତ୍ତ୍ୱ ଆହୁରି ବଢିଯାଏ ।
ଭୂଟାନ ଓ ଖୁସି :
ମିଳିତ ଜାତିସଂଘ ମତରେ ବିଶ୍ୱରେ ସାମଗ୍ରିକ ବିକାଶ, ଦାରିଦ୍ର୍ୟଅ ଦୂରୀକରଣ ଓ ଖୁସି ପାଇଁ ଆର୍ଥିକ ବିକାଶରେ ସମାନତା, ସମାବେଶତା, ସନ୍ତୁଳନକୁ ସାମିଲ କରିବା ଆବଶ୍ୟକ । ଭୂଟାନ ଭଳି ଏକ ଛୋଟ ଦେଶ ପ୍ରଥମେ ଖୁସିକୁ ମହତ୍ତ୍ୱ ଦେଇଥିଲା । ୧୯୭୦ ଦଶକରେ ଦକ୍ଷିଣ ଏସିଆରେ ଏହି ଛୋଟ ଦେଶ ନିଜର ଜାତୀୟ ଆୟ ଅପେକ୍ଷା ଜାତୀୟ ଖୁସିକୁ ପ୍ରାଧାନ୍ୟ ଦେଇଆସିଛି ।
କେତୋଟି କଥା ପ୍ରତି ଧ୍ୟାନ ଦେବା ଜରୁରୀ :
ଖୁସି ରହିବା ପାଇଁ ଆମକୁ କେତୋଟି କଥା ପ୍ରତି ଧ୍ୟାନ ଦେବାକୁ ପଡିବ । ଖୁସି ପାଇଁ ସ୍ପଷ୍ଟ ଆଭିମୁଖ୍ୟ ରହିବା ଜରୁରୀ । ଏଥିପାଇଁ ସର୍ବତା ସକାରାତ୍ମାକ ମନୋଭାବ ବଜାୟ ରଖିବା ଆବଶ୍ୟକ । ଯଦି ଆମ ଆଖପାଖରେ ନକାରାତ୍ମକତା ରହେ, ତାହା ହେଲେ ଆମେ ଖୁସି ରହିବା କେମିତି ?
ଖୁସି ରହିବା ପାଇଁ ବିଭିନ୍ନ ଉପାୟ ରହିଛି । ଖୁସି ରହିବା ପାଇଁ ଏକ ସୂଚୀ ପ୍ରସ୍ତୁତ କରିବା, ପ୍ରକୃତି ସହ ଅଧିକ ସମୟ ବିତାଇବା, କୃତଜ୍ଞତାର ଭାବନା ରଖିବା, ନିସ୍ୱାର୍ଥପର ଭାବେ ଅନ୍ୟର ସେବା ଓ ସହାୟତା କରିବା, ଏକ ନୂଆ ହବିରେ ନିଜକୁ ବ୍ରତୀ କରିବା ଭଳି ବିଭିନ୍ନ ଉପାୟରେ ଜଣେ ନିଜକୁ ଖୁସି ଓ ପ୍ରଫୁଲ୍ଲିତ ରଖିପାରିବ । ଖୁସି ରହିବା ଦୃଷ୍ଟିରୁ ଭାରତୀୟମାନେ ବହୁ ପଛରେ । ବିଶ୍ୱ ଖୁସି ରିପୋର୍ଟ-୨୦୨୧ ଅନୁସାରେ ଭାରତର ମାନ୍ୟତା ହେଉଛି ୧୩୬ । ୨୦୨୦ ରିପୋର୍ଟରେ ଭାରତର ମାନ୍ୟତା ଥିଲା ୧୪୦ ।
ଆମେ କିପରି ଖୁସି ରହିପାରିବା । ଖୁସି ରହିବା ପାଇଁ ବିଭିନ୍ନ ଉପାୟ ରହିଛି । ସେହି ଉପାୟ ମଧ୍ୟରୁ କିଛି ନିମ୍ନରେ ଦିଆଗଲା –
କୃତଜ୍ଞ ରହନ୍ତୁ :
ଜୀବନରେ ଆପଣଙ୍କର ଯାହାସବୁ ରହିଛି, ସେଥିପାଇଁ ସନ୍ତୋଷ ପ୍ରକାଶ କରନ୍ତୁ । ଦାତାଙ୍କ ପ୍ରତି କୃତଜ୍ଞ ରହନ୍ତୁ । ଆପଣଙ୍କ ପାଖରେ ଯାହା ନାହିଁ ,ତାକୁ ଯଦି ଧ୍ୟାନରେ ସର୍ବଦା ରଖିବେ, ତାହାହେଲେ ଆପଣ କେବେ ବି ଖୁସରେ ରହିପାରିବେ ନାହିଁ ।
ସବୁବେଳେ ଆଲୋକିତ ଦିଗକୁ ଦେଖନ୍ତୁ :
ଆମେ ସବୁବେଳେ ଆଶାବାଦୀ ହୋଇ ରହିବା ନେଇ କଥାବାର୍ତ୍ତା କରୁ । ଆଶାବାଦୀ ରହିଲେ ଖୁସି ଜାତ ହୁଏ । ଯଦି ଜୀବନରେ କିଛି ଅରୁଚିକର ଓ ଅଘଟଣ ହୁଏ, ତାହାହେଲେ ଆମେ ସେସବୁ ଶୀଘ୍ର ଭୁଲିଯାଇ ଆଗକୁ ବଢିବା ଦରକାର । ପ୍ରତ୍ୟେକ ଘଟଣାରୁ ଆମେ କିଛି ନା କିଛି ଶିକ୍ଷା ପାଇଥାଉ ।
ସବୁବେଳେ ଦୟାପରବଶ ହୁଅନ୍ତୁ :
ଗତିଶୀଳ ବ୍ୟସ୍ତବହୁଳ ଓ ଅବସାଦଗ୍ରସ୍ତ ବିଶ୍ୱରେ ଦୟାଶୀଳତାକୁ କେବେ ଭୁଲନ୍ତୁ ନାହିଁ । ଦୟା ଏକ ମହତ ଗୁଣ । ଏହା ଆପଣଙ୍କୁ ଆତ୍ମ ଶାନ୍ତି ପ୍ରଦାନ କରିବା ସହ ଖୁସି ଦେଇଥାଏ ।
ଧ୍ୟାନ କରନ୍ତୁ :
ଧ୍ୟାନ କଲେ ଆପଣ ସର୍ବଦା ଶାନ୍ତ ରହିବେ । ମନ ମସ୍ତିଷ୍କ ସ୍ଥିର ରହିବ । ସକାରାତ୍ମକ ଚିନ୍ତାଧାରା ବୃଦ୍ଧି ପାଇବ । ସକାରାତ୍ମକ ମନୋଭାବ ଅଶେଷ ଖୁସି ଦେଇଥାଏ ।
ଫୋର୍ବସ ମାଗାଜିନରେ ପ୍ରକାଶିତ ଏକ ଲେଖାରେ ଖୁସି ରହିବାର ୨୦ଟି ଉପାୟ ସଂପର୍କରେ ଉଲ୍ଲେଖ କରାଯାଇଥିଲା । ସେଗୁଡିକ ମଧ୍ୟରୁ କିଛି ଉପାୟ ହେଲା-
ବ୍ୟାୟାମ
ପ୍ରତିବନ୍ଧକ ହଟାଇବା
ଠିକ୍ ସାଙ୍ଗସାଥୀ ବାଛିବା
ସାମାଜିକ ସଂପର୍କ ବଢାଇବା
ଅନୁକମ୍ପା ପ୍ରଦର୍ଶନ କରିବା
ଅନ୍ୟର ଭାବନାକୁ ସମ୍ମାନ ଦେବା
ନିଜର ସାମର୍ଥ୍ୟ ଉପରେ ବିଶ୍ୱାସ କରିବା
ଖୋଲା ବିଚାର ରଖିବା
ନିଜକୁ ଭଲ ପାଇବା
ଆପଣ ଆଉ ୭ଟି ଅଭ୍ୟାସ କରିପାରିବେ ଏହା ଦ୍ୱାରା ଆପଣ ଖୁସି ରହିବେ :
ମାଇଣ୍ଡଫୁଲ ମଣ୍ଡେ
ଗ୍ରାଟି ଟିଉଜଡେ
ୱେଲନେସ ୱେଡନସଡେ
ଥଟଫୁଲ୍ ଥର୍ସଡେ
ଫ୍ରାଇଡେ ଫ୍ରିଡମ୍
ସଟରଡେ ସୋସିଆଲ
ସୋଲଫୁଲ୍ ସଣ୍ଡେ