ମିକୋଲୈଭରେ ଋଷର ମିସାଇଲ ମାଡ଼, ୪୦ ମୃତ
ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ୨୪ ଦିନରେ ପହଞ୍ଚିଲାଣି । କିଭ ସହରବାସୀଙ୍କ ଘର ଭାଙ୍ଗୁଛି ଋଷ । ପୂର୍ବରୁ କିଭରେ ଭୟଙ୍କର କ୍ଷେପଣାସ୍ତ୍ର କରାଯାଉଥିଲା । ବର୍ତ୍ତମାନ ମିକୋଲୈଭରେ ଋଷର ମିସାଇଲ ମାଡ଼ । ମିସାଇଲ ମାଡ଼ରେ ୟୁକ୍ରେନର ୪୦ ମୃତ । ତଥାପି ୟୁକ୍ରେନ ରାଷ୍ଟ୍ରପତି ଋଷ ସମ୍ମୁଖରେ ମୁଣ୍ଡ ନୁଆଁବାକୁ ପ୍ରସ୍ତୁତ ନାହାନ୍ତି । ଋଷ ଲଗାତାର ୟୁକ୍ରେନ ରାଜଧାନୀ କିଭ, ଖାର୍କିଭ, ମାରିଓପୋଲ ଏବଂ ଚେର୍ନିହିବରେ ବୋମାବର୍ଷା କରୁଛି। ତେବେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଯୋଗୁଁ ଋଷ ଏବଂ ୟୁକ୍ରେନରେ କେତେ ସୈନିକ ନିହତ ହେଲେଣି ସେନେଇ ଭିନ୍ନ ତଥ୍ୟ ମିଳିଛି ।
ଆମେରିକା ଅଧିକାରୀଙ୍କ ଆକଳନ ଅନୁଯାୟୀ ୟୁକ୍ରେନରେ ୭,୦୦୦ ଋଷ ସୈନିକ ନିହତ ହୋଇଛନ୍ତି ଏବଂ ୧୪,୦୦୦ ଆହତ ହୋଇଛନ୍ତି। ଇରାକ ଏବଂ ଆଫଗାନିସ୍ତାନରେ ୨୦ ବର୍ଷର ଯୁଦ୍ଧରେ ଆମେରିକା ହରାଇଥିବା ସୈନିକଙ୍କଠାରୁ ଏହି ସଂଖ୍ୟା ଅଧିକ । ତେବେ ଗତ ୨ ତାରିଖରେ ଋଷ କହିଥିଲା ଯେ ଯୁଦ୍ଧ ଯୋଗୁଁ ଏହାର ୪୯୮ ସୈନିକ ନିହତ ହୋଇଛନ୍ତି ଏବଂ ୧୫୯୭ ଜଣ ଆହତ ହୋଇଛନ୍ତି।
ମାର୍ଚ୍ଚ ୨ ତାରିଖର ଋଷ ବିବୃତି ଅନୁଯାୟୀ ଯୁଦ୍ଧ ଯୋଗୁଁ ୨୮୭୦ ୟୁକ୍ରେନ୍ ସୈନିକ ନିହତ ହୋଇଛନ୍ତି ଏବଂ ୨,୩୦୦ ଆହତ ହୋଇଛନ୍ତି । ୫୭୨ ୟୁକ୍ରେନ୍ ସୈନିକ ଋଷ କବଜାରେ ଅଛନ୍ତି ବୋଲି କୁହାଯାଇଥିଲା । ମାର୍ଚ୍ଚ ୧୧ ସୁଦ୍ଧା କେବଳ ଡୋନବାସ୍ ଅଞ୍ଚଳରେ ୯୭୯ ୟୁକ୍ରେନ୍ ସୈନିକ ନିହତ ହୋଇଛନ୍ତି ଏବଂ ୧୧୩୪ ଜଣ ଆହତ ହୋଇଛନ୍ତି । ଆମେରିକାର ଜଣେ ସାମରିକ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ ଯୁଦ୍ଧ ଯୋଗୁଁ ପ୍ରାୟ ୪୦୦୦ ୟୁକ୍ରେନ୍ ସୈନିକ ନିହତ ହୋଇଛନ୍ତି। ଜାତିସଂଘ ତଥ୍ୟ ଅନୁଯାୟୀ ଯୁଦ୍ଧ ପାଇଁ ୭୦୦ ନାଗରିକଙ୍କ ମୃତ୍ୟୁ ହେଲାଣି । କିନ୍ତୁ ୟୁକ୍ରେନ୍ ଦାବି କରିଛି ଯେ କେବଳ ମାରିଓପୋଲ ଏବଂ ଖାର୍କିଭ ରେ ୩ ହଜାର ଲୋକଙ୍କ ମୃତ୍ୟୁ ହୋଇଛି ।