କୋଲକାତା ନାଇଟ୍ ରାଇଡର୍ସରେ ସାମିଲ୍ ହେଲେ ଆରୋନ ଫିଞ୍ଚ
ନୂଆଦିଲ୍ଲୀ : ଆଇପିଏଲ ୨୦୨୨ରେ ଅଷ୍ଟ୍ରେଲିଆ ବ୍ୟାଟସମ୍ୟାନ ଆରୋନ ଫିଞ୍ଚଙ୍କ ପ୍ରତ୍ୟାବର୍ତନ ଘଟିଛି । କୋଲକାତା ନାଇଟ୍ ରାଇଡର୍ସ ତାଙ୍କୁ ନିଜ ଦଳରେ ସାମିଲ୍ କରିଛି । ଅଷ୍ଟ୍ରେଲିଆର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ଫିଞ୍ଚଙ୍କୁ କେକେଆର ଇଂଲଣ୍ଡର ଓପନର ଆଲେକ୍ସ ହେଲ୍ଙ୍କ ସ୍ଥାନରେ ସାମିଲ୍ କରିଛି । କେକେଆର ନିଲାମରେ ହେଲ୍ସଙ୍କୁ ୧.୫୦ କୋଟି ଟଙ୍କାରେ କିଣିଥିଲା । ଫିଞ୍ଚଙ୍କୁ ମଧ୍ୟ ସେହି ସମାନ ମୂଲ୍ୟରେ କିଣିଛି କେକେଆର । ଫିଞ୍ଚଙ୍କୁ ଗତ ସିଜିନରେ ଖେଳିବାର ସୁଯୋଗ ମିଳିନଥିଲା । ଏଥର ଆଇପିଏଲ ୨୦୨୨ ମେଗା ନିଲାମରେ ମଧ୍ୟ ସେ ବିକ୍ରି ହୋଇ ପାରିନଥିଲେ ।
ଫିଞ୍ଚ ନିଜ ଅଧିନାୟକତ୍ୱରେ ଗତ ବର୍ଷ ଅଷ୍ଟ୍ରେଲିଆକୁ ଟି-୨୦ ଚାମ୍ପିଅନ କରାଇଥିଲେ । ଅଷ୍ଟ୍ରେଲିଆ ପକ୍ଷରୁ ୮୮ ଟି-୨୦ ମ୍ୟାଚ୍ ଖେଳି ଫିଞ୍ଚ ୨୬୮୬ ରନ କରିଛନ୍ତି । ଏଥିରେ ଦୁଇଟି ଶତକ ଏବଂ ୧୫ ଅର୍ଦ୍ଧଶତକ ସାମିଲ୍ । ଫିଞ୍ଚ ଆଇପିଏଲରେ ନବମ ଦଳ ଭାବେ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିବେ । ଏହା ପୂର୍ବରୁ ସେ ରାଜସ୍ଥାନ ରୟାଲ୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ପୁଣେ ୱାରିୟର୍ସ, ସନରାଇଜର୍ସ ହାଇଦ୍ରାବାଦ, ମୁମ୍ବାଇ ଇଣ୍ଡିଆନ୍ସ, ଗୁଜରାଟ ଲାୟନ୍ସ, ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପକ୍ଷରୁ ଖେଳି ସାରିଛନ୍ତି । ବିସିସିଆଇ ନିଜର ପ୍ରେସ୍ ବିଜ୍ଞପ୍ତିରେ କହିଛି ଯେ, କେକେଆର ଟାଟା ଆଇପିଏଲ ୨୦୨୨ ପାଇଁ ଇଂଲଣ୍ଡର ବ୍ୟାଟସମ୍ୟାନ ଆଲେକ୍ସ ହେଲ୍ସଙ୍କ ବଦଳରେ ଆରୋନ ଫିଞ୍ଚଙ୍କୁ ଦଳରେ ସାମିଲ୍ କରିଛି । ହେଲ୍ସ ବାୟୋ ବବଲର ଥକାପଣ କାରଣରୁ ଟୁର୍ଣ୍ଣାମେଂଟରୁ ହଟୁଥିବା କହିଛନ୍ତି । ଫିଞ୍ଚ ଆଇପିଏଲରେ ୮୭ ମ୍ୟାଚ୍ ଖେଳି ୨୦୦୦ରୁ ଅଧିକ ରନ କରିଛନ୍ତି ।