କାର୍-ବାଇକ୍ ମୁହାଁମୁହିଁ, ବାପ ଓ ପୁଅ ମୃତ

ଢେଙ୍କାନାଳ : ଢେଙ୍କାନାଳ ଜିଲା ହିନ୍ଦୋଳ ଥାନା ଅନ୍ତର୍ଗତ ହାତୁରା ଛକ ନିକଟରେ ଗତ ସୋମବାର ଏକ କାର୍ ଓ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିବା ବେଳେ ଦୁଇ ଗୁରୁତର ଆହତଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ବାହାଳ ଗାଁର ଭାସ୍କର ପ୍ରଧାନ ଓ ତାଙ୍କ ପୁଅ ଏକାଦଶିଆ ପ୍ରଧାନ। ଅନୁଗୋଳ ଜିଲ୍ଲା ଅଙ୍ଗାରବନ୍ଧ ଗାଁରେ ଏକ ବାହାଘରରେ ଭାସ୍କର ଓ ଏକାଦଶିଆ ଯୋଗ ଦେଇଥିଲେ। ଭୋଜି ଖାଇ ସନ୍ଧ୍ୟାରେ ସେମାନେ ସେଠାରୁ ବାଇକ୍ ଯୋଗେ ଗାଁ ଅଭିମୁଖେ ଫେରୁଥିଲେ। କିନ୍ତୁ ବର ଘର ପକ୍ଷରୁ କୌଣସି ଏକ କାମ ବରାଦ କରାଯିବାରୁ ସେମାନେ ପୁଣି ଅଙ୍ଗାରବନ୍ଧ ଅଭିମୁଖେ ଫେରିଥିଲେ। ଆଉ ସେହି ସମୟରେ ହାତୁରା ନିକଟରେ ଏକ କାର୍ ସହିତ ସେମାନଙ୍କ ବାଇକ୍ର ମୁହାଁମୁହିଁ ଧକ୍କା ହୋଇଥିଲା।
ଭାସ୍କର, ଏକାଦଶିଆ ଓ ନାବାଳକ ଜଣଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗତକାଲି ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଭାସ୍କରଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପୁଅକୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ତାଙ୍କର ବି ମୃତ୍ୟୁ ହୋଇଯାଇଥିଲା। ଗୁରୁତର ନାବାଳକ ଜଣଙ୍କ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅଛନ୍ତି।