ଲାଲ ଚୌକ୍ ଉପରେ ଗ୍ରେନେଡ ଆକ୍ରମଣ: ଜଣେ ମୃତ, ୨୦ ଆହତ
ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ଥିବା ଲାଲ ଚେ?କ୍ ଉପରେ ଆତଙ୍କବାଦୀ ଆକ୍ରମଣ । ଶ୍ରୀନଗରର ଲାଲ ଚୌକରେ ଥିବା ଅମିରା କଡାଲ ଅଂଚଳରେ ଗ୍ରେନେଡ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଏହି ଆକ୍ରମଣରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨୦ଜଣ ଆହତ ହୋଇଥିବା ନେଇ ସୂଚନା ମିଳିଛି । ଆହତମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇ ଥିବାବେଳେ ଏବେ ଆହତଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି ।
ସୂଚନା ମିଳିବା ମାତ୍ରେ ସୁରକ୍ଷାବଳ ଘଟଣାସ୍ଥଳରେ ପହଂଚି ପୂରା ଇଲାକାକୁ ଘେରାବନ୍ଦୀ କରିଛନ୍ତି । ଆତଙ୍କବାଦୀଙ୍କୁ ଧରିବା ପାଇଁ ବଡ ଧରଣର ସର୍ଚ୍ଚ ଅପରେସନ ଜାରି ରହିଛି । ଆହତଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତି କରାଯାଇଛି । ଏଥିରୁ ଜଣେ ମହିଳାଙ୍କ ଅବସ୍ଥା ଗୁରୁତର ଥିବା ଜଣା ପଡିଛି । ଏହି ଆକ୍ରମଣ ଅମିରାକଦଲ ଅଂଚଳରେ ଘଟିଛି । ଏହି ସମୟରେ ସେଠାରେ ସିଆରପିଏଫ ଯବାନ ମୁତୟନ ଥିଲେ । ଆଇଜି ବିଜୟ କୁମାର ରବିବାର ଏହାର ସୂଚନା ଦେଇଛନ୍ତି । ସେ କହିଛନ୍ତି, କିଛି ସାଧାରଣ ନାଗରିକ ଏହି ଆକ୍ରମଣରେ ଆହତ ହୋଇଛନ୍ତି । ଅପରାହ୍ନ ୪ଟା ୨୦ରେ ଏହି ଘଟଣା ଘଟିଛି । ଯବାନଙ୍କ ଉପରକୁ ଲକ୍ଷ୍ୟ କରାଯାଇ ଗ୍ରେନେଡ୍ ଫିଙ୍ଗା ଯାଇଥିଲେ ହେଁ ତାହା ଲକ୍ଷ୍ୟଚ୍ୟୁତ୍ ହୋଇ ଅନ୍ୟତ୍ର ପଡିଥିଲା ।
ସୂଚନାନୁସାରେ, ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଶ୍ରୀନଗରର ଲାଲ ଚୌକରେ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରି ଆକ୍ରମଣ କରିଥିଲେ । ହେଲେ ଏହି ସମୟରେ ସେଠାରେ ଉପସ୍ଥିତ ଥିବା ସାଧାରଣ ଲୋକେ ଏହାର ଶିକାର ହୋଇଥିଲେ । ପ୍ରାୟ ୨୦ଜଣ ଏହି ଆକ୍ରମଣରେ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ କେତେଜଣ ଯବାନ ରହିଛନ୍ତି, ସେନେଇ ସୂଚନା ମିଳିପାରିନାହିଁ । ଏହି ଆକ୍ରମଣ ପରେ ସୁରକ୍ଷା ବାହିନୀ ସେହି ଅଂଚଳକୁ ଘେରି ରହିଛନ୍ତି । ଏହା ସହ ସାମରିକ କାର୍ଯ୍ୟ ଆରମ୍ଭ କରାଯାଇଛି । ତେବେ ଏହା ପୂର୍ବରୁ ଗଣତନ୍ତ୍ର ଦିବସର ଗୋଟିଏ ଦିନ ପୂର୍ବରୁ ଆତଙ୍କବାଦୀମାନେ ଲାଲ ଚୌକ୍ ଉପରେ ଆକ୍ରମଣ କରିଥିଲେ । ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ଯବାନଙ୍କ ସମେତ ତିନି ଜଣ ଆହତ ହୋଇଥିଲେ । ରାସ୍ତା କଡ଼ରେ ବିସ୍ଫୋରଣ ହୋଇଥିବା ବେଳେ ସୁରକ୍ଷା ବାହିନୀକୁ ଟାର୍ଗେଟ କରି ଆତଙ୍କବାଦୀ ମାନେ ଗ୍ରେନେଡ ଫିଙ୍ଗିଥିଲେ ।