ରୁଷର ୧୧ ହଜାରରୁ ଊର୍ଦ୍ଧ୍ୱ ସୈନ୍ୟ ନିହତ ହେଲେଣି : ୟୁକ୍ରେନ୍
୪୪ଫାଇଟର୍ ଜେଟ୍, ୨୮୫ ଟ୍ୟାଙ୍କର ଧ୍ବଂସ
ନୂଆଦିଲ୍ଲୀ: ୟୁକ୍ରେନ୍-ରୁଷ ମଧ୍ୟରେ ଯୁଦ୍ଧ ଜାରି ରହିଛି। ତେବେ ଏହି ଯୁଦ୍ଧରେ ଏଯାଏଁ ୧୧ହଜାରରୁ ଊର୍ଦ୍ଧ୍ୱ ରୁଷ ସୈନ୍ୟ ନିହତ ହୋଇଛନ୍ତି । ଏଥିସହିତ ୪୪ଟି ଫାଇଟର୍ ଜେଟ୍, ୪୮ ଲଢୁଆ ହେଲିକପ୍ଟର ମଧ୍ୟ ନଷ୍ଟ ହୋଇସାରିଛି । ସେହିଭଳି ରୁଷର ୨୮୫ଟି ଟ୍ୟାଙ୍କ ଧ୍ୱଂସ ହୋଇସାରିଥିବା ବେଳେ, ୧୦୯ ଆର୍ଟିଲାରି ଗନ୍ ଓ ୫୦ ଏମଏଲଆରଏସ ନଷ୍ଟ ହୋଇଛି । ୟୁକ୍ରେନ୍ ପକ୍ଷରୁ ଏହା ଦାବି କରାଯାଇଛି। ଅନ୍ୟପକ୍ଷରେ ଶକ୍ତିଶାଳୀ ମିସାଇଲ ମାଡରେ ୟୁକ୍ରେନ୍ରେ ଭୀଷଣ କ୍ଷତି ହେବାରେ ଲାଗିଛି । ଆହୁରି ଭୟଙ୍କର ଆକ୍ରମଣ ଲାଗି ରୁଷ ଚେତାବନୀ ଦେବାପରେ ସ୍ଥିତି ଆହୁରି ଜଟିଳ ହେଉଛି ।
ୟୁକ୍ରେନ୍ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ୟୁକ୍ରେନ୍ର ରାଜଧାନୀ କୀଭ୍ ଠାରୁ ନେଇ ଖାରକୀଭ୍, ମାରିୟୁପୋଲ, ସୁମୀ, ଓଡେଶାରେ ମଧ୍ୟ ଭୀଷଣ ବୋମା ମାଡ କରିଥିଲା ଋଷ । ୟୁକ୍ରେନ୍ର ଦାବି ମଧ୍ୟରେ ଋଷ ମଧ୍ୟ ବୟାନ ଜାରି କରିଛି । ୧୧ଦିନ ମଧ୍ୟରେ ୟୁକ୍ରେନ୍ର ୨୨୦୩ଟି ଆର୍ମି ବେସ୍ ଉପରେ ଆକ୍ରମଣ କରାଯାଇଛି । ଏହା ସହିତ ସେନା ଉପକରଣକୁ ମଧ୍ୟ ଟାର୍ଗେଟ୍ କରିଛି ଋଷ । ୟୁକ୍ରେନ୍ର ମିସାଇଲ ଡିଫେନ୍ସ ସିଷ୍ଟମ୍ ଏସ-୩୦୦କୁ ମଧ୍ୟ ନଷ୍ଟ କରିଥିବା ଋଷର ଦାବି । ସେହିପରି ଋଷିଆ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଜାରି ତଥ୍ୟ ଅନୁଯାୟୀ, ୧୧ଦିନ ଯୁଦ୍ଧ ମଧ୍ୟରେ ୟୁକ୍ରେନ୍ରେ ଆକ୍ରମଣରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ୟୁକ୍ରେନ୍ର ମୋଟ ୬୯ଟି ବିମାନ, ମଝି ଆକାଶରେ ୨୧ ବିମାନ ନଷ୍ଟ କରିଛି ଋଷ ସେନା । ତା ସହିତ, ୭୪୮ଟି ଟ୍ୟାଙ୍କର୍, ୭୬ଟି ରକେଟ୍ ଲଞ୍ଚର, ୨୭୪ଟି ଆର୍ଟିଲାରୀ ମୋର୍ଟୋର ଏବଂ ୫୯ଟି ଫାଇଟର୍ ଜେଟ୍ ଧ୍ବଂସ କରିଥିବା ଦାବି କରିଛି ଋଷ ।
ଏହାରି ଭିତରେ ଅନେକ ୟୁକ୍ରେନ୍ ଛାଡିସାରିଲେଣି । ଅନ୍ୟପଟେ ୟୁକ୍ରେନ ସର୍ତ୍ତ ମାନିଲେ ଯୁଦ୍ଧ ବନ୍ଦ ହେବ ବୋଲି ରୁଷ କହିଛି । ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏରଡୋଗନଙ୍କ ସହ ଆଲୋଚନା ପରେ ଏହି ଦାବି କରାଯାଇଛି। ଆଜି ତୁର୍କୀ ରାଷ୍ଟ୍ରପତି ଏରଡୋଗନ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆଲୋଚନା କରିଥିଲେ। ରୁଷର ଏକ ବଡ ସର୍ତ୍ତ ହେଉଛି ୟୁକ୍ରେନ ନାଟୋରେ ଯୋଗଦେବା ଉଚିତ୍ ନୁହେଁ। ରୁଷ ବହୁ ବର୍ଷ ଧରି କହିଆସୁଛି ଯେ ୟୁକ୍ରେନ ଯାହା ଚାହିଁବ ତାହା କରିବା ଉଚିତ, କିନ୍ତୁ ନାଟୋରେ ଯୋଗଦେବା ଉଚିତ ନୁହେଁ। ରୁଷ ଦାବି କରିଛି ଯେ ୟୁକ୍ରେନର ନାଟୋ ସଦସ୍ୟ ହେବା ଆମର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବ । ତେବେ ୟୁକ୍ରେନ ରୁଷର କଥା ମାନିବା ପରେ ହିଁ ଯୁଦ୍ଧ ବନ୍ଦ ହେବ ବୋଲି ପୁଟିନ ଏରଡୋଗନକୁ କହିଥିବା ନେଇ ଚର୍ଚ୍ଚା ହେଉଛି।