ମୋହାଲିରେ ଇତିହାସ ରଚିଲେ ଜାଡେଜା, ବିଶ୍ବର ୬ଷ୍ଠ ଖେଳାଳି ଭାବେ ହାସଲ କଲେ ରେକର୍ଡ
ନୂଆଦିଲ୍ଲୀ : ମୋହାଲିରେ ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ବିଜୟ ହୋଇଛି ଭାରତ । ଏଥିରେ କେବଳ ବ୍ୟାଟ୍ରେ ନୁହେଁ ବଲରେ ମଧ୍ୟ କମାଲ କରିଛନ୍ତି ଜାଡେଜା । ପ୍ରଥମେ ବ୍ୟାଟିଂ ଏବଂ ପରେ ବୋଲିଂରେ କମାଲ୍ କରିବା ସହିତ ଏକାଧିକ ରେକର୍ଡ କରିଛନ୍ତି ରବୀନ୍ଦ୍ର ଜାଡେଜା । ବିଶ୍ବର ୬ଷ୍ଠ ବୋଲର ଭାବେ ଗୋଟିଏ ମ୍ୟାଚ୍ରେ ୧୫୦ରୁ ଉର୍ଦ୍ଧ୍ବ ସ୍କୋର କରିବା ସହିତ ୫ ଓ୍ବିକେଟ୍ ମଧ୍ୟ ନେଇଛନ୍ତି । ପ୍ରଥମ ଇନିଂସରେ ଶ୍ରୀଲଙ୍କା ମାତ୍ର ୧୭୪ରନରେ ଅଲଆଉଟ ହୋଇଯାଇଛି । ଯେଉଁଥିରେ ୫ଟି ଓ୍ବିକେଟ୍ ନେଇ ଶ୍ରୀଲଙ୍କାର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ଜାଡେଜା । ମାତ୍ର ୧୩ ଓଭର ବୋଲିଂ କରି ୪୧ ରନଦେଇ ୫ଟି ଓ୍ବିକେଟ ଅକ୍ତିଆର କରିଥିଲେ ।
ସୂଚନା ଯେ, ୧୯୫୨ ମସିହାରେ ବିନୁ ମଙ୍କଡ ଇଂଲଣ୍ଡ ବିପକ୍ଷରେ ୧୮୪ରନ କରିବା ସହିତ ୫ଓ୍ବିକେଟ ନେଇଥିଲେ । ସେହିଭଳି ୧୯୫୫ ମସିହାରେ ଅଷ୍ଟ୍ରଲିଆ ଡେନିସ୍ ଏଣ୍ଟିଂକ୍ସନ୍ ୨୧୯ ରନ କରିବା ସହିତ ୫୬ ରନଦେଇ ୫ଟି ଓ୍ବିକେଟ ନେଇଥିଲେ । ୧୯୬୨ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷରେ ପୋଲୀ ଉମରିଗର୍ ୧୭୨ରନର ଅପରାଜିତ ଇନିଂସ ଖେଳିବା ସହିତ ୫ଟି ଓ୍ବିକେଟ ନେଇଥିଲେ । ୧୯୬୬ ମସିହାରେ ଗ୍ୟାରୀ ସୋବର୍ସ ୧୭୪ ରନ କରିବା ସହିତ ଇଂଲଣ୍ଡ ବିପକ୍ଷରେ ୫ଟି ଓ୍ବିକେଟ୍ ନେଇଥିଲେ । ସେହିଭଳି ୧୯୭୩ ମସିହାରେ ମୁସ୍ତାକ ମହମ୍ମଦ ନ୍ୟୁଜିଲାଣ୍ଡ ବିପକ୍ଷରେ ୨୦୧ ରନ କରିବା ସହିତ ୫ଓ୍ବିକେଟ ନେଇଥିଲେ । ଆଉ ଏବେ ସାର୍ ରବୀନ୍ଦ୍ର ଜାଡେଜା ଶ୍ରୀଲଙ୍କା ବିପକ୍ଷରେ ୧୭୫ ରନର ବିଶାଳ ଇନିଂସ ଖେଳି ଅପରାଜିତ ରହିବା ସହିତ ୫ଟି ଓ୍ବିକେଟ୍ ମଧ୍ୟ ନେଇଛନ୍ତି ।