ରୁଷୀୟ ଟିଭି ଚାନେଲ କର୍ମଚାରୀଙ୍କ ସମୂହ ଇସ୍ତଫା
ନୂଆଦିଲ୍ଲୀ : ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ବିଶ୍ବରେ ଦିନକୁ ଦିନ ଉତ୍ତେଜନା ବୃଦ୍ଧି ପାଇଚାଲିଛି। ପରିସ୍ଥିତି ଜଟିଳ ହେବାକୁ ଯାଉଥିବାବେଳେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ତାଙ୍କ ଜିଦ୍ ଛାଡିବାକୁ ନାରାଜ। ଜିଦ୍ ଛାଡିବା ପରିବର୍ତ୍ତେ ପୁତିନ ରୁଷିଆର ପଡୋଶୀ ରାଷ୍ଟ୍ରଗୁଡିକୁ ଧମକ ଦେଇଛନ୍ତି। ଶୁକ୍ରବାର ପୁତିନ ତାଙ୍କ ପଡୋଶୀ ରାଷ୍ଟ୍ରଗୁଡିକୁ ଯୁଦ୍ଧ ଉତ୍ତେଜନାକୁ ବୃଦ୍ଧି ନ କରିବାକୁ ଚେତାବନୀ ଦେଇଛନ୍ତି। ଯୁଦ୍ଧକୁ ନେଇ ରୁଷିଆ ଉପରେ କୌଣସି କଟକଣା ଜାରି ନ କରିବାକୁ ସେ କହିଛନ୍ତି। ପଡୋଶୀ ରାଷ୍ଟ୍ରଗୁଡିକ ପ୍ରତି ରୁଷିଆ ତାର ଦାୟିତ୍ବ ସମ୍ପାଦନ କରୁଛି। ସେହି ଅନୁଯାୟୀ ପଡୋଶୀ ରାଷ୍ଟ୍ରଗୁଡିକ ରୁଷିଆ ପ୍ରତି ଦାୟିତ୍ବ ସମ୍ପାଦନ କରିବା ଦରକାର। କିଭ୍, ୟୁକ୍ରେନ୍ ଉପରେ ଆକ୍ରମଣକୁ ପ୍ରତିବାଦ କରି ଅଗ୍ରଣୀ ରୁଷୀୟ ଟେଲିଭିଜନ୍ ଖବର ପ୍ରସାରଣ ଚାନେଲ ‘ଟିଭି ରେନ୍’ର ସମସ୍ତ କର୍ମଚାରୀ ସମୂହ ଇସ୍ତଫା ଦେଇଛନ୍ତି। ଇସ୍ତଫା ପରେ ‘ନୋ ଟୁ ୱାର’ ସ୍ଲୋଗାନ ଦେଇ ସେମାନେ ଏକ ସମୟରେ କାର୍ଯ୍ୟାଳୟ ଓ ଷ୍ଟୁଡିଓ ଛାଡ଼ି ଚାଲିଯାଇଥିବା ପ୍ରସାରିତ ଭିଡିଓରୁ ଦେଖାଯାଉଛି। ଏଥିସହିତ ସେମାନେ ଚାନେଲ୍ର ଶେଷ କାର୍ଯ୍ୟକ୍ରମ ପ୍ରସାରଣ କରିଥିବା ଘୋଷଣା କରିଛନ୍ତି।
ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ ଦେଶର ସମସ୍ତ ଗଣମାଧ୍ୟମ ଉପରେ ଯୁଦ୍ଧକୁ ନେଇ କଟକଣା ଜାରି କରିଥିବାରୁ ସେମାନେ ଏହାର ପ୍ରତିବାଦ ମଧ୍ୟ କରିଛନ୍ତି। ପୁତିନ ସ୍ବାଧୀନ ଭାବେ ଯୁଦ୍ଧ ଖବର ପ୍ରସାରଣ ଉପରେ କଟକଣା ଜାରି ସହ କେବଳ ସରକାର ଦେଉଥିବା ଖବର ପ୍ରସାରଣ ପାଇଁ ନିର୍ଦେଶ ଦେଇଛନ୍ତି। ଏହାର ଅମାନ୍ୟ କରୁଥିବା ଚାନେଲ୍କୁ ସରକାର ବନ୍ଦ କରିଦେଉଛନ୍ତି। ଏଥିସହିତ ସାମାଜିକ ଗଣମାଧ୍ୟମ ଉପରେ ମଧ୍ୟ ପୁତିନ କଟକଣା ଜାରି କରିଛନ୍ତି। ‘ଟିଭି ରେନ୍’କୁ ସରକାର ସାମୟିକ ବନ୍ଦ ନିର୍ଦେଶ ଦେଇଛନ୍ତି। ଏହା ସ୍ବେଚ୍ଛାଚାରିତାର ନିଦର୍ଶନ ବୋଲି ଚାନେଲ୍ର ମୁଖ୍ୟ ସମ୍ପାଦକ ଆଲେକ୍ସି ଭେନେଡିକ୍ଟୋଭ କହିଛନ୍ତି। କର୍ମଚାରୀମାନେ ପଳାଇବା ପରେ ଚାନେଲ ପକ୍ଷରୁ ‘ସ୍ବାନ୍ ଲେକ୍’ ବାଲେଟ୍ ନୃତ୍ୟ ଭିଡିଓ ପ୍ରସାରଣ କରାଯାଇଥିଲା। ୧୯୯୧ରେ ସୋଭିଏତ୍ ସଂଘ ଭାଙ୍ଗିବାବେଳେ ସରକାରୀ ଟିଭି ଏହାକୁ ପ୍ରଦର୍ଶନ କରିଥିଲା।