ସାମୟିକ ଯୁଦ୍ଧ ବନ୍ଦ ଘୋଷଣା କଲା ଋଷିଆ
ନୂଆଦିଲ୍ଲୀ: ଋଷ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧ ଆଜି ଦଶମ ଦିନରେ ପହଂଚିଛି । ଏଭଳି ସ୍ଥିତିରେ ଋଷ ଏକ ବଡ଼ ପଦକ୍ଷେପ ନେଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯୁଦ୍ଧ ବିରତି ଘୋଷଣା କରିଛନ୍ତି । ୟୁକ୍ରେନର ୨ଟି ସହର ମାରିୟୁପୋଲ ଓ ବୋଲନବାଖାରେ ଋଷ ସମାୟିକ ଭାବେ ଯୁଦ୍ଧ ବନ୍ଦ ଘୋଷଣା କରିଛି । ଭାରତୀୟ ସମୟ ୧୧ଟା ୩୦ରୁ ସାଢ଼େ ୫ ଘଣ୍ଟା ପାଇଁ ମିସାଇଲ ଓ ରକେଟ ମାଡ଼ ବନ୍ଦ ରହିବ । ୟୁକ୍ରେନରେ ଫସିଥିବା ସାଧାରଣ ନାଗରିକଙ୍କ ଉଦ୍ଧାର ପାଇଁ ପୁଟିନ ଯୁଦ୍ଧ ବିରତ୍ତି ଘୋଷଣା କରିଛନ୍ତି । ଏହି ସମୟରେ ଫସି ରହିଥିବା ଛାତ୍ର, ଛୋଟ ପିଲା ଓ ଗର୍ଭବତୀଙ୍କୁ ଉଦ୍ଧାର କରାଯିବ । ଏଥିସହ ଫସିଥିବା ଲୋକେ ନ ବାହାରିବା ଯାଏଁ ଆକ୍ରମଣ କରାଯିବ ନାହିଁ ବୋଲି ସୂଚନା ମିଳିଛି ।
ସୂଚନା ଯେ, ଗତ ୧୦ ଦିନ ଧରି ଉଭୟ ଋଷ ଓ ୟୁକ୍ରେନ ମଧ୍ୟରେ ଘମାଘୋଟ ୟୁଦ୍ଧ ଜାରି ରହିଛି । ଏଥିରେ ହଜାର ହଜାର ସୈନ୍ୟ ଓ ନାଗରିକ ପ୍ରାଣ ହରାଇଛନ୍ତି । ଶୁକ୍ରବାର ଉଭୟ ଦେଶ ମଧ୍ୟରେ ଦ୍ୱିତୀୟ ସ୍ତରୀୟ ଆଲୋଚନା ହୋଇଥିଲା । ତୃତୀୟ ପର୍ଯ୍ୟାୟ ଆଲୋଚନା ଶନିବାର କିମ୍ବା ରବିବାର ହୋଇପାରେ ବୋଲି ଆଶା କରାଯାଉଛି ।