ଯୁଦ୍ଧ ଶେଷ କରିବାକୁ ଚାହୁଁଛି ଋଷ! ଆଲୋଚନା ପାଇଁ ୟୁକ୍ରେନ ଆଗରେ ଏହି ୩ଟି ସର୍ତ୍ତ ରଖିଲେ ପୁଟିନ, ଜାଣନ୍ତୁ କଣ
ମସ୍କୋ : ଋଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଋଷର ସେନାକୁ କଡ଼ା ଟକ୍କର ଦେଉଛନ୍ତି ୟୁକ୍ରେନ ସୈନ୍ୟ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଅନୁଭବ କରିଥିଲେ ଯେ ଋଷୀ ସୈନ୍ୟବାହିନୀ ୩-୪ ଦିନ ମଧ୍ୟରେ ସମଗ୍ର ୟୁକ୍ରେନକୁ ଦଖଲ କରିନେବେ, କିନ୍ତୁ ୟୁକ୍ରେନର ସାହସୀ ସୈନ୍ୟମାନେ ଏହା କରିବାକୁ ଦେଇ ନାହାଁନ୍ତି । ଯୁଦ୍ଧର ନବମ ଦିନରେ ମଧ୍ୟ ଋଷ କୌଣସି ବଡ଼ ସଫଳତା ପାଇ ନାହିଁ ଓ ପୁଟିନ ବର୍ତ୍ତମାନ ଆଲୋଚନାର ସଙ୍କେତ ଦେଉଛନ୍ତି । ୟୁକ୍ରେନ ସହର ଗୁଡ଼ିକ ଉପରେ ଲଗାତର ବୋମା ମାଡ଼ କରୁଛି ଋଷ । ସେପଟେ ରାଷ୍ଟ୍ରପତି ପୁଟିନ ଏହାକୁ ଅସ୍ୱୀକାର କରିଛନ୍ତି । ସେ କହିଛନ୍ତି ଯେ ଯଦି ତାଙ୍କର ସର୍ତ୍ତ ମାନି ନିଆଯାଏ, ତେବେ ସେ ଆଲୋଚନା କରିବାକୁ ପ୍ରସ୍ତୁତ ଅଛନ୍ତି ।
ଋଷର ରାଷ୍ଟ୍ରପତି କାର୍ଯ୍ୟାଳୟ କ୍ରେମଲିନ୍ କହିଛି ଯେ, ୟୁକ୍ରେନ ସହର ଉପରେ ବୋମା ମାଡ଼ କରିବା ଖବର ମିଛ ଓ ଫର୍ଜି । ଭ୍ଲାଡିମିର ପୁଟିନଙ୍କ ଏହି ବୟାନ ଜର୍ମାନ ଚାନ୍ସେଲର ଓଲାଫ ସୋଲଜଙ୍କ ସହ ଆଲୋଚନା ପରେ ଆସିଛି । ୟୁକ୍ରେନର ରାଜଧାନୀ କୀଭ ଓ ଅନ୍ୟାନ୍ୟ ବଡ଼ ସହର ଉପରେ ଏୟାର ଷ୍ଟ୍ରାଇକର ଖବର ଏକ ବଡ଼ ଅପପ୍ରଚାର ବୋଲି ପୁଟିନ କହିଛନ୍ତି । ସେ କହିଛନ୍ତି ଯେ ଯଦି ତାଙ୍କର ସର୍ତ୍ତ ମାନି ନିଆଯାଏ ତେବେ ୟୁକ୍ରେନ ଉପରେ ଆଲୋଚନା ସମ୍ଭବ । କ୍ରେମଲିନ୍ ଅନୁଯାୟୀ, ରାଷ୍ଟ୍ରପତି ନିଶ୍ଚିତ କରିଛନ୍ତି ଯେ ଋଷ ପାଇଁ ୟୁକ୍ରେନ ପକ୍ଷ ଓ ଅନ୍ୟ ସମସ୍ତଙ୍କ ସହ ଆଲୋଚନା କରିବାର ବିକଳ୍ପ ଖୋଲା ରଖିଛି, କିନ୍ତୁ ସର୍ତ୍ତ ଅନୁଯାୟୀ ଋଷର ସମସ୍ତ ଦାବି ଗ୍ରହଣ କରାଯାଉ ।
ଋଷର ସର୍ତ୍ତ ହେଉଛି ୟୁକ୍ରେନକୁ ଏକ ନିରପେକ୍ଷ ଓ ଅଣ-ପରମାଣୁ ରାଷ୍ଟ୍ର କରିବା, କ୍ରିମିଆକୁ ଋଷର ଏକ ଅଂଶ ଭାବରେ ସ୍ୱୀକୃତି ଦେବା ଏବଂ ପୂର୍ବ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳର ସାର୍ବଭୌମତ୍ୱ ପ୍ରଦାନ କରିବା ସାମିଲ ରହିଛି । ତୃତୀୟ ପର୍ଯ୍ୟାୟର ଆଲୋଚନାକୁ ନେଇ ଋଷରୁ ଆଶା ପ୍ରକାଶ କରିଛି । ଏଥିସହ ୟୁକ୍ରେନ ସରକାର ଏକ ଯୁକ୍ତିଯୁକ୍ତ ଓ ସକରାତ୍ମକ ମନୋଭାବ ପ୍ରଦର୍ଶନ କରିବେ ବୋଲି ମଧ୍ୟ ଆଶା କରାଯାଉଛି । କୀଭର ବୁଝାମଣାକାରୀଙ୍କ ଅନୁଯାୟୀ ଦୁଇ ପକ୍ଷ ମଧ୍ୟରେ ପରବର୍ତ୍ତୀ ପର୍ଯ୍ୟାୟର ଆଲୋଚନା ସପ୍ତାହ ଶେଷରେ ହେବାର ସମ୍ଭାବନା ରହିଛି । ସୂଚନାଯୋଗ୍ୟ ଯେ ୟୁକ୍ରେନ ଓ ଋଷ ମଧ୍ୟରେ ଏପର୍ଯ୍ୟନ୍ତ ଦୁଇ ପର୍ଯ୍ୟାୟର ଆଲୋଚନା ହୋଇଛି, ଯଦିଓ ଏପର୍ଯ୍ୟନ୍ତ ଏହି ଆଲୋଚନାରେ କୌଣସି ନିର୍ଦ୍ଦିଷ୍ଟ ଫଳାଫଳ ବାହାରି ନାହିଁ ।
ସୂଚନା ଯେ, ଋଷର ୟୁକ୍ରେନ ଉପରେ ଆକ୍ରମଣ ହେବାର ନଅ ଦିନ ବିତିଯାଇଛି । ହଠାତ୍ ୟୁକ୍ରେନ ଉପରେ ଆକ୍ରମଣ କରିବା ଓ ଦ୍ରୁତ ଗତିରେ କୀଭକୁ ଦଖଲ କରିବା ପାଇଁ ଋଷ ସେନାର ରଣନୀତି ସଫଳ ହେଉ ନଥିବାର ନଜରକୁ ଆସୁଛି । ୟୁକ୍ରେନର ପ୍ରମୁଖ ସହରଗୁଡିକ ଲଗାତାର ଋଷର ସେନା ଦ୍ୱାରା ଟାର୍ଗେଟ କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୁଦ୍ଧରେ ବହୁ ସଂଖ୍ୟକ ସାଧାରଣ ନାଗରିକ ପ୍ରାଣ ହରାଇଛନ୍ତି । ତେବେ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରି ଗୁଳି ଓ ବୋମା ମାଡ଼ କରାଯାଇ ନାହିଁ ବୋଲି ଋଷ ଦାବି କହିଛି ।