ବିସିସିଆଇ ପକ୍ଷରୁ ଭାରତୀୟ ଖେଳାଳିଙ୍କ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଜାରି, ବହୁ ବରିଷ୍ଠ ଖେଳାଳିଙ୍କୁ କ୍ଷତି
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଟିମ୍ ଇଣ୍ଡିଆର ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟ ଜାରି କରିଛି । ନୂଆ ଚୁକ୍ତି ତାଲିକାରେ ଅନେକ ଖେଳାଳିଙ୍କୁ କ୍ଷତି ସହିବାକୁ ପଡ଼ିଛି । ବିସିସିଆଇର ନୂତନ ବାର୍ଷିକ ଚୁକ୍ତିରେ କ୍ୟାପଟେନ ରୋହିତ ଶର୍ମା, ପୂର୍ବତନ ଅଧିନାୟକ ବିରାଟ କୋହଲି ଏବଂ ଦ୍ରୁତ ବୋଲର ଜସପ୍ରୀତ ବୁମ୍ରା ଗ୍ରେଡ୍ ଏ + (A+) ରେ ଅଛନ୍ତି ।
ନୂତନ ବାର୍ଷିକ ଚୁକ୍ତିନାମା ତାଲିକାରେ ବରିଷ୍ଠ ଖେଳାଳି ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ପ୍ରମୁଖ କ୍ଷତି ସହିଛନ୍ତି । ଏହା ବ୍ୟତୀତ ଆହତ କାରଣରୁ ଦଳ ବାହାରେ ଥିବା ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ ଡିମୋଟ ହୋଇଛନ୍ତି । ରାହାନେ ଓ ପୂଜାରା ଏ ଗ୍ରେଡରୁ ବି ଗ୍ରେଡକୁ ଯାଇଛନ୍ତି । ଏଥିସହିତ ହାର୍ଦ୍ଦିକ ପାଣ୍ଡ୍ୟା ଏ ଗ୍ରେଡରୁ ସିକୁ ଆସିଛନ୍ତି । ଏହା ବ୍ୟତୀତ ଭେଟେରାନ୍ ୱିକେଟ୍ କିପର ବ୍ୟାଟ୍ସମ୍ୟାନ୍ ରିଦ୍ଧିମାନ ସାହାଙ୍କୁ ଟେଷ୍ଟ ଦଳରୁ ବାହାର କରାଯିବା ପରେ ବିସିସିଆଇ ସେଣ୍ଟ୍ରାଲ୍ କଣ୍ଟ୍ରାକ୍ଟରେ ଗ୍ରେଡ୍ ବି ରୁ ସି ଗ୍ରେଡ୍ କରାଯାଇଛି ।
ସୂଚନା ଯେ, ବିସିସିଆଇ ଚାରୋଟି କ୍ୟାଟୋଗରୀର ଖେଳାଳିଙ୍କୁ ଦରମା ପ୍ରଦାନ କରେ । ଏଥିରେ ଏ + (A +), ଏ (A), ବି (B) ଏବଂ ସି (C) ଗ୍ରେଡ୍ ସାମିଲ ରହିଛି । ଏ+ ଖେଳାଳିମାନେ ବାର୍ଷିକ ୭ କୋଟି ଟଙ୍କା ପାଆନ୍ତି । ଏଥି ସହିତ ଏ ଗ୍ରେଡ୍ ଥିବା ଖେଳାଳିଙ୍କୁ ୫ କୋଟି ଟଙ୍କା ମିଳିଥାଏ । ଏହା ବ୍ୟତୀତ ବି ଗ୍ରେଡରେ ଥିବା ଖେଳାଳିଙ୍କୁ ୩ କୋଟି ଟଙ୍କା ଓ ସି ଗ୍ରେଡରେ ବାର୍ଷିକ ୧ କୋଟି ଟଙ୍କା ମିଳୁଛି ।