ଆଜି ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପଞ୍ଚମ ପର୍ଯ୍ୟାୟ ମତଦାନ
ଲକ୍ଷ୍ନୌ : ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ରବିବାର ହେବାକୁ ଯାଉଛି ପଞ୍ଚମ ପର୍ଯ୍ୟାୟ ମତଦାନ। ଏହି ପର୍ଯ୍ୟାୟରେ ରାଜ୍ୟର ଅଯୋଧ୍ୟା, ଗୋଣ୍ଡା, ବହରାଇଚ, ବାରବଙ୍କି, ଶ୍ରାବସ୍ତୀ, ଅମେଠି, ସୁଲତାନପୁର, କୌଶାମ୍ବୀ, ପ୍ରୟାଗରାଜ, ପ୍ରତାପଗଡ଼, ଚିତ୍ରକୂଟ ପ୍ରଭୃତି ୧୧ ଜିଲ୍ଲାର ୬୧ ଆସନରେ ହେବ ଭୋଟ ଗ୍ରହଣ। ପଞ୍ଚମ ପର୍ଯ୍ୟାୟର ରାଜ୍ୟର ଅୱଧ ଅଞ୍ଚଳର ୧୦ ଏବଂ ବୁନ୍ଦେଲଖଣ୍ଡ ଅଞ୍ଚଳର ଗୋଟିଏ ଜିଲ୍ଲାରେ ହେବ ମତଦାନ।
ପଞ୍ଚମ ପର୍ଯ୍ୟାୟ ନିର୍ବାଚନରେ ରାଜନୀତିର ପ୍ରତ୍ୟେକ ରାଜନୈତିକ ରଙ୍ଗ ଦୃଶ୍ୟମାନ ହେବାକୁ ଯାଉଛି। ଏହି ପର୍ଯ୍ୟାୟ ଗ୍ଲାମର ଦୁନିଆ ସହ ଜଡିତ ଲୋକଙ୍କ ଠାରୁ ଆରମ୍ଭ କରି ଗୁଣ୍ଡା, ମାଫିଆ ମଧ୍ୟ ନିର୍ବାଚନ ଲଢୁଥିବାର ଦେଖିବାକୁ ମିଳିବ। ଏପରିକି ଏହି ପର୍ଯ୍ୟାୟରେ ଅନେକ ପୁରୁଖା ନେତାଙ୍କ ଭାଗ୍ୟ ମଧ୍ୟ ପରୀକ୍ଷା କରିବେ ମତଦାତା। ଏଠାରେ ସଙ୍ଗମ ନଗରୀ ପ୍ରୟାଗରାଜ ରହିଥିବା ବେଳେ ରାମ ନଗରୀ ଅଯୋଧ୍ୟା ମଧ୍ୟ ରହିଛି। ପଞ୍ଚମ ପର୍ଯ୍ୟାୟରେ ରାଜ୍ୟର ଯେଉଁ ଭୋଟ ଗ୍ରହଣ ଅନୁଷ୍ଠିତ ହେଉଛି ସେଠାରେ ଏପରି ଅନେକ ଆସନ ରହିଛି ଯେଉଁଠି ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ପାରମ୍ପରିକ ଗଡ଼କୁ ମଧ୍ୟ ବଞ୍ଚାଇବାରେ ଲାଗିଛନ୍ତି।
ଅଯୋଧ୍ୟା ଜିଲାରେ ୫ ବିଧାନସଭା ଆସନ ରହିଛି। ଏଠାରେ ପ୍ରଭୁ ରାମଙ୍କର ଏକ ମନ୍ଦିର ନିର୍ମାଣ କରାଯାଉଛି। ବିଜେପି ଏହାକୁ ନିର୍ବାଚନର ଏକ ବଡ଼ ପ୍ରସଙ୍ଗ କରୁଛି। ଅର୍ଥାତ୍ ପଞ୍ଚମ ପର୍ଯ୍ୟାୟରେ ମତଦାନରେ ରାମ ମନ୍ଦିର ମଧ୍ୟ ଏକ ବଡ଼ ପ୍ରସଙ୍ଗ ହେବାକୁ ଯାଉଛି। ଗତ ୨୦୧୭ ନିର୍ବାଚନରେ ଜିଲ୍ଲାର ସମସ୍ତ ସମସ୍ତ ୫ ଆସନ ଦଖଲ କରିଥିଲା ବିଜେପି। ଦଳ ଏଥର ମଧ୍ୟ ଏହାର ପୁରୁଣା ପ୍ରଦର୍ଶନକୁ ଦୋହରାଇବାକୁ ଚାହୁଁଛି। ଗତ ୨୦୧୨ ନିର୍ବାଚନରେ ସମାଜବାଦୀ ପାର୍ଟି ଜିଲ୍ଲାର ସମସ୍ତ ଆସନ ଜିତିଥିବାବେଳେ ଦଳ ଏଥର ଏହାର ପୁରୁଣା ରେକର୍ଡ ଦୋହରାଇବାକୁ ଚେଷ୍ଟା କରୁଛି। ଆମେଠି ଲୋକସଭା ସିଟ୍ ଅଧିନସ୍ଥ ସମସ୍ତ ୫ ଆସନରେ ରବିବାର ମତଦାନ ହେବାକୁ ଯାଉଛି। ଗତ ୨୦୧୯ ଲୋକସଭା ନିର୍ବାଚନ କଂଗ୍ରେସର ଏହି ପାରମ୍ପରିକ ଗଡ଼ ଭୁଷୁଡି ପଡିଥିଲା। ଏହି ନିର୍ବାଚନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ପରାସ୍ତ କରି କେନ୍ଦ୍ରୀମନ୍ତ୍ରୀ ସ୍ମୃତି ଇରାନୀ ନୂଆ ଇତିହାସ ସୃଷ୍ଟି କରିଥିଲେ। ଗତ ୨୦୧୭ ବିଧାନସଭା ବିଧାନସଭା ନିର୍ବାଚନରେ ଆମେଠି ଜିଲ୍ଲାରେ ଖାତା ଖୋଲି ପାରିନଥିଲା କଂଗ୍ରେସ। ଗତ ୨୦୧୭ ନିର୍ବାଚନରେ ଜିଲ୍ଲାର ସମସ୍ତ ୫ ସିଟ୍ ମଧ୍ୟରୁ ବିଜେପି ୪ ଏବଂ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଥିଲା। ଏକଦା ସୁଲତାନପୁର ଜିଲ୍ଲା ମଧ୍ୟ ଗାନ୍ଧୀ ପରିବାରର ଗଡ଼ ହୋଇ ରହିଆସିଛି। ଗାନ୍ଧୀ ପରିବାରର ସଦଦ୍ୟ ତଥା ବିଜେପି ନେତ୍ରୀ ମାନେକା ଗାନ୍ଧୀ ହେଉଛନ୍ତି ଏଠାକାର ସାଂସଦ। ହେଲେ ବର୍ତ୍ତମାନ ତାଙ୍କ ପୁଅ ତଥା ପୀଲୀଭୀତ ଲୋକସଭା ଆସନର ବିଜେପି ସାଂସଦ ବରୁଣ ଗାନ୍ଧୀ ଏବେ ଦଳ ବିରୋଧରେ ସ୍ୱର ଉଠାଇବାରେ ଲାଗିଛନ୍ତି। ହେଲେ ମନେକା ଗାନ୍ଧୀ ନିଜ ସଂସଦୀୟ କ୍ଷେତ୍ରରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରୁଛନ୍ତି। ଅର୍ଥାତ୍ ଗୋଟିଏ ପଟେ ପରିବାରର ପ୍ରତିଷ୍ଠା ବାଜିରେ ଲାଗିଛି। ଗତ ୨୦୧୭ ନିର୍ବାଚନରେ ଜିଲ୍ଲାର ମୋଟ ୫ ବିଧାନସଭା ଆସନ ମଧ୍ୟରୁ ବିଜେପି ୪ ଏବଂ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଥିବା ବେଳେ ବିଏସପି ଏବଂ କଂଗ୍ରେସ ଖାତା ଖୋଲି ପାରିନଥିଲେ। ଗତ ୨୦୧୭ ନିର୍ବାଚନରେ ପ୍ରତାପଗଡ ଜିଲ୍ଲାର ସମସ୍ତ ୭ ସିଟ୍ ମଧ୍ୟରୁ ୪ ଆସନ ବିଜେପି ଏବଂ ଏହାର ମେଣ୍ଟ ସହଯୋଗୀ ଅପନା ଦଳ ସୋନେଲାଲ, ୨ ଆସନ ସ୍ଥାନୀୟ ବାହୁବଳୀ ନେତା ରଘୁରାଜ ପ୍ରତାପ ସିଂହ ଏବଂ ତାଙ୍କ ସମର୍ଥକ, ଅନ୍ୟ ଏକ ଆସନ କଂଗ୍ରେସ ଖାତାକୁ ଯାଇଥି୍ଲା। ଅନ୍ୟପଟେ ବିଏସପି କିମ୍ବା ସମାଜବାଦୀ ପାର୍ଟି ଏଠାରେ ଖାତା ଖୋଲି ପାରିନଥିଲେ। ହେଲେ ଏଥର ଲଢେଇ ବେଶ ରୋମାଞ୍ଚକର ହେବାକୁ ଯାଉଛି। ଗତ ବିଧାନସଭା ନିର୍ବାଚନରେ ଜିଲ୍ଲାର ସମସ୍ତ ୩ ଆସନ ହାତେଇଥିଲା ବିଜେପି। ପୁରୁଖା ନେତା ନିର୍ବାଚନ ଲଢୁଥିବା ଜିଲ୍ଲା ତାଲିକାରେ କୌଶାମ୍ବୀ ରହିଛି। କାରଣ ଏହି ଜିଲ୍ଲାର ସିରାଥୁ ଆସନରୁ ବିଜେପି ବିଧାୟକ ପ୍ରାର୍ଥୀ ଭାବେ ପୁନର୍ବାର ନିର୍ବାଚନ ଲଢୁଛନ୍ତି ଉତ୍ତର ପ୍ରଦେଶ ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ। ପୂର୍ବରୁ ସେ ଏହି ଆସନରୁ ବିଧାୟକ ଭାବେ ନିର୍ବାଚିତ ହୋଇସାରିଛନ୍ତି। ସଙ୍ଗମନଗରୀ ପ୍ରୟାଗରାଜ ଜିଲ୍ଲାରେ ମୋଟ ୧୨ ବିଧାନସଭା ଆସନ ରହିଛି। ଗତ ବିଧାନସଭା ନିର୍ବାଚନରେ ବିଜେପି ମେଣ୍ଟ ୯, ବିଏସପି ୨ ଏବଂ ସମାଜବାଦୀ ପାର୍ଟି ଗୋଟିଏ ଆସନ ପାଇଥିଲେ। ହେଲେ ଏଥର ଜିଲ୍ଲାରେ ଆସନରେ ମୁକାବିଲା ସିଧାସଳଖ ବିଜେପି-ସମାଜବାଦୀ ମେଣ୍ଟ ମଧ୍ୟରେ ହେବାକୁଯାଉଛି।