ୟୁକ୍ରେନରୁ ୨୧୯ ଛାତ୍ରଛାତ୍ରୀଙ୍କୁ ନେଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ବିମାନ
ମୁମ୍ବାଇ : ଯୁଦ୍ଧଗ୍ରସ୍ତ ୟୁକ୍ରେନରୁ ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତନ ପାଇଁ ଭାରତ ସରକାର ଚଳାଇଥିବା ମିଶନର ନାମ ଗଙ୍ଗା ରଖାଯାଇଛି । ଶନିବାର ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଏହି ସୂଚନା ଦେଇଛନ୍ତି । ଏହା ମଧ୍ୟରେ ଯୁଦ୍ଧ ପ୍ରଭାବିତ ୟୁକ୍ରେନରୁ ବାହାର କରି ଭାରତୀୟଙ୍କୁ ରୋମାନିଆ ରାସ୍ତା ଦେଇ ଏୟାର ଇଣ୍ଡିଆର ବିମାନ ୨୧୯ ଭାରତୀୟଙ୍କୁ ଧରି ଶନିବାର ମୁମ୍ବାଇରେ ପହଂଚିଛି ।
ରୁଷ ଆକ୍ରମଣ କାରଣରୁ ୟୁକ୍ରେନର ଆକାଶ ମାର୍ଗ ବନ୍ଦ ରହିଛି । ଫଳରେ ସେଠାରେ ଫସି ରହିଥିବା ଭାରତୀୟ ନାଗରିକଙ୍କୁ ଆଣିବା ପାଇଁ ବିକଳ୍ପ ମାର୍ଗ ଚୟନ କରାଯାଇଛି । ଭାରତୀୟ ନାଗରିକ ୟୁକ୍ରେନରୁ ବସ୍ ଜରିଆରେ ରୋମାନିଆ ପହଂଚୁଛନ୍ତି । ରୋମାନିଆ ସହରର ବୁଖାରେଷ୍ଟରୁ ୨୧୯ ଭାରତୀୟ ଏୟାର ଇଣ୍ଡିଆର ବିମାନ ଜରିଆରେ ଭାରତ ପହଂଚିଛନ୍ତି । ଶନିବାର ମୁମ୍ବାଇର ଛତ୍ରପତି ଶିବାଜୀ ବିମାନ ବନ୍ଦରରେ ଏୟାର ଇଣ୍ଡିଆର ବିମାନ ପହଂଚିବା ପରେ କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ସେମାନଙ୍କୁ ସ୍ୱାଗତ କରିଛନ୍ତି । ଏହା ବ୍ୟତୀତ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ୱିଟ୍ କରି ଭାରତୀୟ ନାଗରିକଙ୍କ ସ୍ୱାଗତ କରିଛନ୍ତି । ସେ ଲେଖିଛନ୍ତି, ୱେଲକମ୍ ବ୍ୟାକ୍ । ହ୍ୟାସଟ୍ୟାଗ୍ ଅପରେସନ ଗଙ୍ଗାର ପ୍ରଥମ ପଦକ୍ଷେପ । ଅନ୍ୟପଟେ ଛାତ୍ର-ଛାତ୍ରୀଙ୍କୁ ସ୍ୱାଗତ କରିବାର ଭିଡିଓ ସେୟାର କରି କେନ୍ଦ୍ର ମନ୍ତ୍ରୀ ପିୟୂଷ ଗୋଏଲ ଲେଖିଛନ୍ତି, ମାତୃଭୂମିରେ ଆପଣଙ୍କୁ ସ୍ୱାଗତ । ମୁମ୍ବାଇର ବିମାନ ବନ୍ଦରରେ ୟୁକ୍ରେନରୁ ସୁରକ୍ଷିତ ପହଂଚିବା ପରେ ଭାରତୀୟଙ୍କ ଚେହେରାରେ ହସ ଦେଖିବାକୁ ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସରକାର ଭାରତୀୟଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅକଥ ପ୍ରୟାସ କରିଛନ୍ତି ।
ବିଦେଶ ମନ୍ତ୍ରୀ ଏସ୍ ଜୟଶଙ୍କର ଗତକାଲି ରୋମାନିଆ, ହଙ୍ଗେରି ଏବଂ ସ୍ଲୋଭାକିଆ ବିଦେଶ ମନ୍ତ୍ରୀଙ୍କ ସହ କଥା ହେବାପରେ ଆଜି ଉଦ୍ଧାର ଆରମ୍ଭ ହୋଇଛି । ଏୟାର ଇଣ୍ଡିଆ ରୋମାନିଆ ରାଜଧାନୀ ବୁଖାରେଷ୍ଟକୁ ୨ଟି ବିମାନ ପରିଚାଳନା କରିବ । ସଡ଼କ ପଥ ଦେଇ ଯେଉଁ ଛାତ୍ରମାନେ ୟୁକ୍ରେନ୍-ରୋମାନିଆ ସୀମାରେ ପହଂଚୁଛନ୍ତି ସେମାନଙ୍କୁ ଏହି ବିମାନରେ ଉଦ୍ଧାର କରାଯିବ । ୨ଟି ଏୟାର ଇଣ୍ଡିଆ ବିମାନ ବୁଖାରେଷ୍ଟ୍ରୁ ରବିବାର ଉଡ଼ାଣ ଆରମ୍ଭ କରିବ । ୟୁକ୍ରେନ ରାଜଧାନୀ କିବ୍ ଏବଂ ରୋମାନିଆ ସୀମା ମଧ୍ୟରେ ଦୂରତା ୬୦୦ କିମି । ସଡ଼କ ପଥରେ ଏହି ରାସ୍ତା ଅତିକ୍ରମ ପାଇଁ ସାଢ଼େ ଆଠ ଘଂଟାରୁ ୧୧ ଘଂଟା ଲାଗିବ । ସେହିପରି ୟୁକ୍ରେନ-ରୋମାନିଆ ସୀମାରୁ ବୁଖାରେଷ୍ଟ୍ ୫୦୦ କିମି । ଏଥିପାଇଁ ଆଉ ୯ ଘଂଟା ଲାଗିବ । ସେହିପରି ହଙ୍ଗେରି ସୀମା ଦେଇ ବି ଭାରତୀୟ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରାଯିବ । ଶନିବାର ରାତି ୨ଟାରେ ଏୟାର ଇଣ୍ଡିଆ ବୁଖାରେଷ୍ଟକୁ ୨ଟି ବିମାନ ପଠାଇବ ।