ପୁରୀ ଏମାର ମଠର ଉଚ୍ଛେଦ କାର୍ଯ୍ୟ ଆରମ୍ଭ
ପୁରୀ : ଶ୍ରୀକ୍ଷେତ୍ରର ସବୁଠୁ ପୁରାତନ, ସବୁଠୁ ବଡ ଓ ବହୁଚର୍ଚ୍ଚିତ ଏମାର ମଠର ଉଛେଦ କାର୍ଯ୍ୟ ଆରମ୍ଭ । ଶୁକ୍ରବାର ଏହି ମଠର ଅବଶିଷ୍ଟ ଦୁର୍ବଳ ଅଂଶ ଗୁଡ଼ିକୁ ପ୍ରଶାସନ ଦ୍ୱାରା ଉଛେଦ କରାଯାଇଥିଲା । ଏହି ଉଛେଦ କାର୍ଯ୍ୟ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦୁଇଜଣ ମାଜିଷ୍ଟ୍ରେଟ ଓ ଏକ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହିଥିଲେ । ଦୁଇଟି ଜେସିବି ମେସିନ ସହାୟତାରେ ଏହି ଉଛେଦ କାର୍ଯ୍ୟ କରାଯାଇଥିଲା । ଅନ୍ୟପଟେ ମଠର ଗାଦି ଗୃହ, ରୋଷଶାଳା ଓ ଠାକୁରଙ୍କ ଆସ୍ଥାନକୁ ଛାଡ଼ି ଉଛେଦ କରାଯାଇଥିଲା । ତେବେ ଖୁବଶୀଘ୍ର ଏମାର ମଠର ସୌନ୍ଦର୍ଯ୍ୟକରଣ କରିବାସହ ମଠ ପାଖରେ ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ ନେଇ ସୂଚନା ପ୍ରଦାନ କରିଛନ୍ତି ମଠ ପରିଚାଳନା ଟ୍ରଷ୍ଟ ବୋର୍ଡ଼ କମିଟି ସଦସ୍ୟ ବନବିହାରୀ ନାଏକ । ଶ୍ରୀକ୍ଷେତ୍ରର ସବୁଠାରୁ ବିତ୍ତଶାଳୀ ତଥା ଧନୀ ମଠ ନେଇ ଚର୍ଚ୍ଚାରେ ଥିବା ଏମାର ମଠରେ ଗୁପ୍ତଧନ ଥିବା ସନ୍ଦେହରେ ପ୍ରଶାସନ ପକ୍ଷରୁ ଅନେକ ଅଂଶ ଭଙ୍ଗା ଯାଇନଥିଲା ।
ତେବେ ଗତବର୍ଷ ସେପ୍େଟମ୍ବର ୧୬ରେ ଚିହ୍ନଟ ହୋଇଥିବା ସ୍ଥାନକୁ ଚଳିତ ମାସ ୪ ତାରିଖରେ ବୈଷୟିକ ଟିମ ସହାୟତାରେ ଉକ୍ତ ସ୍ଥାନକୁ ଖନନ କରାଯାଇଥିଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏମାର ମଠ ପରିଚାଳନା କମିଟି, ଟ୍ରଷ୍ଟ ବୋର୍ଡ଼ ସଦସ୍ୟଙ୍କ ଉପସ୍ଥିତିରେ ତିନୋଟି ସ୍ଥାନ ଖନନ କରାଯାଇଥିଲେ ମଧ୍ୟ ସେଠାରୁ କେବଳ ଲୁହାକଣ୍ଟା ଓ ଲୁହାମୁଣ୍ଡା ସହ ଅନ୍ୟ କିଛି ମିଳିପାରିନଥିଲା । ତେବେ ମଠର ଗାଦି ଗୃହ, ରୋଷଶାଳା ଓ ଠାକୁରଙ୍କ ଆସ୍ଥାନକୁ ଛାଡ଼ି ବାକି ଅନ୍ୟାନ୍ୟ ଅଂଶକୁ ଉଛେଦ କରାଯାଇଥିବା କହିଥିଲେ ଟ୍ରଷ୍ଟ ବୋର୍ଡ଼ ଅଧ୍ୟକ୍ଷ ମହନ୍ତ ନାରାୟଣ ରାମାନୁଜ ଦାସ । ଗତ ୨୦୧୧ ମସିହା ଫେବୃଆରୀ ମାସରେ ଏମାର ମଠରୁ ୫୨୨ ଖଣ୍ଡ ରୂପା ଇଟା ଜବତ ହୋଇଥିବା ବେଳେ ଗତବର୍ଷ ଏପ୍ରିଲ ମାସରେ ୪୫ ଖଣ୍ଡ ରୂପା ଇଟା ମିଳିଥିଲା ।
ଏହାପରେ ଏମାର ମଠରେ ଆଉ କିଛି ଗୁପ୍ତ ଧନ ଥିବା ନେଇ ମଠ ବାହାର, ଭିତର, ଯଜ୍ଞ ଓ ଅମୁହାଁ ଘର ସବୁକୁ ମେଟାଲ ଡିଟେକ୍ଟର ମାଧ୍ୟମରେ ଯାଞ୍ଚ କରାଯାଇଥିଲା । ତେବେ ଯେଉଁ ସ୍ଥାନକୁ ଚିହ୍ନଟ କରାଯାଇଥିଲା ସେସବୁ ସ୍ଥାନକୁ ଖନନ କରାଯାଇଥିଲେ ମଧ୍ୟ ସେଠାରୁ ଲୁହା କଣ୍ଟା ଓ ଲୁହା ମୁଣ୍ଡା ବାହାରିଥିବାରୁ ସମସ୍ତଙ୍କୁ ନିରାଶ ହେବାକୁ ପଡିଥିଲା । ତେଣୁ ଆଉ କୌଣସି ଗୁପ୍ତ ଧନ ମିଳିବାର ସମ୍ଭାବନା ନଥିବାରୁ ଏହି ମଠର ଅବଶିଷ୍ଟ ଅଂଶକୁ ଉଛେଦ କରାଯାଇଛି ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ପ୍ରଦାନ କରିଥିଲେ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ମାର୍ଗ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ବିପଦ ସଙ୍କୁଳ ଅବସ୍ଥାରେ ଥିବା ସମସ୍ତ ପୁରାତନ ଗୃହ ଓ ମଠକୁ ଉଚ୍ଛେଦ କରାଯାଇଛି ।
ଉଚ୍ଛେଦସ୍ଥଳୀରେ ଶ୍ରୀମନ୍ଦିର ଐତିହ୍ୟ ପରିକ୍ରମା ମାର୍ଗ ପାଇଁ ବିଭିନ୍ନ ବିକାଶମୁଖୀ କାର୍ଯ୍ୟ ସହ ଭକ୍ତଙ୍କ ପାଇଁ ସୁବିଧା ବ୍ୟବସ୍ଥା ଗ୍ରହଣ କରାଯିବ । ଶ୍ରୀମନ୍ଦିର ଚାରିପାଖରେ ୭୫ ମିଟର ପର୍ଯ୍ୟନ୍ତ ଥିବା ବିଭିନ୍ନ ଘର, ମଠ, ଲଜିଂ ମଧ୍ୟ ଭଙ୍ଗାଯିବ । ଏହାପରେ ଶ୍ରୀଜଗନ୍ନାଥଙ୍କ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବ । ସେଠାରେ ଉଚ୍ଛେଦ ହୋଇ ଥିବା ମଠକୁ ଥଇଥାନ ନେଇ ଜାଗା ବ୍ୟବସ୍ଥା କରାଯିବ । ସେହିପରି କ୍ଷତିଗ୍ରସ୍ତ ହେଉଥିବା ଦୋକାନୀଙ୍କୁ ଜଗନ୍ନାଥ ବଲ୍ଲଭ ମାର୍କେଟ କମ୍ପେ୍ଲକ୍ସ, ପୁରୁଣା ଜେଲରେ ହେବାକୁ ଥିବା କମ୍ପେ୍ଲକ୍ସରେ ଥଇଥାନ କରାଯିବ । ସେହିପରି ଘର ଭାଙ୍ଗିବା ପରେ ଉକ୍ତ ପରିବାରକୁ ମଧ୍ୟ ସଠିକ ସ୍ଥାନରେ ଥଇଥାନ କରାଯିବ । ଶ୍ରୀମନ୍ଦିର ନିକଟବର୍ତ୍ତୀ ଅଞ୍ଚଳରେ ଥିବା ଶ୍ରୀଜଗନ୍ନାଥଙ୍କ ଜମିରେ ଘର ଉଚ୍ଛେଦ ହୋଇଥିବା ପରିବାରଙ୍କୁ ଜାଗା ଦେବା ସହ ଘର ନିର୍ମାଣ ନେଇ ମଧ୍ୟ ସରକାର ଅର୍ଥ ପ୍ରଦାନ କରିବେ ।