ତୃତୀୟ ବିଶ୍ୱ ଯୁଦ୍ଧର ପଦଧ୍ୱନି! ଋଷର କ୍ଷେପଣାସ୍ତ୍ର ଏବଂ ଟ୍ୟାଙ୍କ ମାଡ଼ରେ ୟୁକ୍ରେନରେ ବିପର୍ଯ୍ୟୟ
ନୂଆଦିଲ୍ଲୀ : ଋଷର ସେନା ୟୁକ୍ରେନର ଅନେକ ସହରରେ କ୍ଷେପଣାସ୍ତ୍ର ମାଡ଼ କରିଛି । ୟୁକ୍ରେନରୁ ଆସୁଥିବା କିଛି ବିନାଶର ଚିତ୍ର ଦର୍ଶାଉଛି ଯେ ୟୁକ୍ରେନବାସୀଙ୍କ ଜୀବନ କିପରି ନଷ୍ଟ ହେବାକୁ ଲାଗିଛି, ଲୋକମାନେ ଭୟଭୀତ ଅବସ୍ଥାରେ ଦୌଡୁଥିବାର ମଧ୍ୟ ନଜର ଆସୁଛନ୍ତି ।ଋଷ ଓ ୟୁକ୍ରେନ ମଧ୍ୟରେ ମାସ ଧରି ଚାଲି ଆସୁଥିବା ଉତ୍ତେଜନା ଗୁରୁବାର ଯୁଦ୍ଧରେ ପରିଣତ ହୋଇଛି । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ଯୁଦ୍ଧ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୟୁକ୍ରେନ ସୈନ୍ୟବାହିନୀ ଆତ୍ମସମର୍ପଣ କରୁ । ଏହି ବୟାନର କିଛି ସମୟ ପରେ ୟୁକ୍ରେନର ବିଦ୍ରୋହୀମାନଙ୍କ ଦଖଲରେ ଥିବା ଅଞ୍ଚଳ ଓ ରାଜଧାନୀ କୀଭରେ ବଡ଼ ବଡ଼ ବିସ୍ଫୋରଣ ହେବାର ଖବର ଆସିଛି । ଖବର ଅନୁଯାୟୀ, କ୍ରାମାତୋସ୍କରେ ଦୁଇଟି ବିସ୍ଫୋରଣ ଘଟିଛି । ଋଷର ସୈନିକମାନେ କ୍ରିମିଆ ଦେଇ ୟୁକ୍ରେନରେ ପ୍ରବେଶ କରୁଛନ୍ତି ।
ରିପୋର୍ଟ ଅନୁଯାୟୀ, ଋଷ ଦାବି କରିଛି ଯେ, ସେ ୟୁକ୍ରେନର ଏୟାରବେସ, ଏୟାର ଡିଫେନ୍ସକୁ ନଷ୍ଟ କରିଦେଇଛି । ସେ ୟୁକ୍ରେନ ନ୍ୟାସନାଲ ଗାର୍ଡର ମୁଖ୍ୟାଳୟକୁ ନଷ୍ଟ କରିଦେଇଛି ବୋଲି ଋଷର ସୈନ୍ୟ ଦାବି କରିଛନ୍ତି । ୟୁକ୍ରେନ ସେନାରେ ଅନେକ ଆହତ ହୋଇଛନ୍ତି । ସେପଟେ ୟୁକ୍ରେନ ସୈନ୍ୟବାହିନୀ କହିଛି ଯେ ସେମାନେ ଲୁହାନସ୍କ ଅଞ୍ଚଳରେ ଋଷର ୫ଟି ବିମାନ ଓ ଗୋଟିଏ ହେଲିକପ୍ଟରକୁ ଗୁଳି ମାରି ଖସାଇ ଦେଇଛନ୍ତି । ଋଷର ଆକ୍ରମଣ ପରେ ନାଟୋ ଋଷ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହେଉଛି । ରିପୋର୍ଟ ଅନୁଯାୟୀ, ନାଟୋର ୩୦ ସଦସ୍ୟ ଦେଶରୁ ଋଷ ଉପରେ ଆକ୍ରମଣ ହେବାର ଚର୍ଚ୍ଚା ହେଉଛି । ନାଟୋ ଋଷ ବିରୋଧରେ ଧାରା -୩ ବ୍ୟବହାର କରିପାରେ । ଋଷର ଆକ୍ରମଣ ଉପରେ ଇଂଲଣ୍ଡର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ କହିଛନ୍ତି ଯେ ଏହି ଆକ୍ରମଣରେ ଇଂଲଣ୍ଡ ଓ ଏହାର ସହଯୋଗୀ ଦଳ ଦୃଢ଼ ଜବାବ ଦେବେ । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ୟୁକ୍ରେନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଘୋଷଣା କରି କହିଛନ୍ତି ଯେ ଏହି ଯୁଦ୍ଧକୁ ଏଡାଯାଇପାରିବ ନାହିଁ । ଋଷର ରାଷ୍ଟ୍ରପତି ଏହା ମଧ୍ୟ କହିଛନ୍ତି ଯେ ଯେଉଁ ଦେଶ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରୁଛନ୍ତି ସେମାନଙ୍କୁ ମଧ୍ୟ ଏହାର ଗୁରୁତର ପରିଣାମର ଭୋଗିବାକୁ ପଡ଼ିବ । ଇତିହାସରେ ଏପରି ପରିଣାମ କେବେ ମଧ୍ୟ ହେବ ନାହିଁ । ସେ କହିଛନ୍ତି ଯେ ଏହି ବିବାଦ ଆମ ପାଇଁ ଜୀବନ ଓ ମୃତ୍ୟୁର ପ୍ରଶ୍ନ । ୟୁକ୍ରେନ ନିଓ-ନାଜିମାନଙ୍କୁ ସମର୍ଥନ କରୁଛି, ସେଥିପାଇଁ ଆମେ କୁ ଆକ୍ରମଣ କରିବାକୁ ନିଷ୍ପତ୍ତି ନେଇଛୁ ।
ପୁଟିନ କହିଛନ୍ତି ଯେ, ଯିଏ ଆମ ସହିତ ହସ୍ତକ୍ଷେପ କରିବାକୁ କିମ୍ବା ଆମ ଲୋକଙ୍କ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରେ ସେ ଜାଣିବା ଉଚିତ ଯେ ଋଷର ପ୍ରତିକ୍ରିୟା ତୁରନ୍ତ ମିଳିବ ଏବଂ ଆପଣଙ୍କୁ ଏପରି ପରିଣାମ ଆଡ଼କୁ ନେଇଯିବ ଯେପରି ଆପଣ ଆପଣଙ୍କର ଇତିହାସରେ ପୂର୍ବରୁ କେବେବି ଅନୁଭବ କରି ନାହାଁନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ୟୁକ୍ରେନରେ ଆମର ଯୋଜନା ( ବିଶେଷ ସାମରିକ ଅପରେସନ୍) ୟୁକ୍ରେନ ଅଞ୍ଚଳର ଦଖଲ କରିବାରେ ସାମିଲ ନାହିଁ । ଅନ୍ୟପଟେ ଋଷର ଆକ୍ରମଣ ଉପରେ ଆମେରିକାର ରାଷ୍ଟ୍ରପତି ଜୋ ବିଡେନ ନିଜର ପ୍ରତିକ୍ରିୟା ଦେଇଛନ୍ତି । ଏହି ଆକ୍ରମଣରେ ଘଟିଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ ଋଷ ଦାୟୀ ରହିବ ବୋଲି ସେ କହିଛନ୍ତି । ଆମେରିକା ଓ ଏହାର ସହଯୋଗୀମାନେ ଶୀଘ୍ର ଏକ ଯୋଜନା ପ୍ରସ୍ତୁତ କରିବେ ଏବଂ ଋଷକୁ ଉଚିତ ଉତ୍ତର ଦିଆଯିବ । ବାଇଡେନ କହିଛନ୍ତି ଯେ ମୁଁ ଆଜି ସନ୍ଧ୍ୟାରେ ହ୍ୱାଇଟ ହାଉସରୁ ପରିସ୍ଥିତି ଉପରେ ନଜର ରଖିବି ଓ ମୋର ଜାତୀୟ ସୁରକ୍ଷା ଦଳରୁ ନିୟମିତ ଅପଡେଟ୍ ପ୍ରାପ୍ତ କରିବି । ଆସନ୍ତାକାଲି ମୁଁ ସକାଳେ ମୋର ଜି-୭ ସହକର୍ମୀଙ୍କୁ ଭେଟିବି । ଆମେ ଆମର ନାଟୋ ସହଯୋଗୀମାନଙ୍କ ସହିତ ସମନ୍ୱୟ ରକ୍ଷା କରିବୁ ।