ଡେରା ସଚ୍ଚା ସଉଦା ମୁଖ୍ୟ ରାମରହିମଙ୍କୁ ମିଳିଲା ଜେଡ ପ୍ଲସ ସୁରକ୍ଷା
ଚଣ୍ଡୀଗଡ : ପାରୋଲରେ ଜେଲରୁ ମୁକୁଳିବା ପରେ ଡେରା ସଚ୍ଚା ସଉଦା ମୁଖ୍ୟ ଗୁରୁମିତ ରାମରହିମ ସିଂଙ୍କୁ ‘ଜେଡ୍+’ ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି । ଖଲିସ୍ତାନୀ ସମର୍ଥକଙ୍କ ଦ୍ୱାରା ତାଙ୍କ ଜୀବନ ପ୍ରତି ବିପଦ ଥିବା ସଂକ୍ରାନ୍ତରେ ସୂଚନା ମିଳିବା ପରେ ଏହି ସୁରକ୍ଷା ଦିଆଯାଇଛି । ବର୍ତମାନ ହରିୟାଣା ସରକାର ତାଙ୍କୁ ସୁରକ୍ଷା ଦେବା ପାଇଁ ନିଷ୍ପତି ନେଇଛନ୍ତି । ପୂର୍ବତନ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ଏବଂ ଦୁଇ ଡେରା ଶିଷ୍ୟାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ରାମରହିମଙ୍କୁ ୨୧ ଦିନ ପାଇଁ ରୋହତକର ସୁନାରିଆ ଜେଲରୁ ପାରୋଲରେ ଛଡାଯାଇଥିଲା ।
ଫେବୃୟାରି ୭ରେ ସେ ଜେଲରୁ ପାରୋଲରେ ଆସିଥିଲେ । ସୂଚନା ଥାଉ କି ୨୦୧୭ ରେ ପଂଚକୁଲାର ସ୍ୱତନ୍ତ୍ର ସିବିଆଇ କୋର୍ଟ ଏହି ମାମଲାରେ ରାମରହିମଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ପାରୋଲ ପାଇବା ପରେ ରାମରହିମ ସନ୍ଧ୍ୟା ୫ଟା ସମୟରେ ରୋହତକ ଜେଲରୁ ଆସି ଗୁରୁଗ୍ରାମରେ ପହଂଚିଥିଲେ । ଉଲ୍ଲେଖଯୋଗ୍ୟ, ସୁରକ୍ଷା ଏଜେନ୍ସି ଦ୍ୱାରା ପରିସ୍ଥିତିର ଯାଂଚ କରାଯିବା ପରେ ସରକାର ଜଣେ ବ୍ୟକ୍ତିଙ୍କୁ ସୁରକ୍ଷା ଦେଇଥାନ୍ତି । ଭାରତରେ, ଏକ୍ସ, ୱାଇ, ୱାଇ ପ୍ଲସ, ଜେଡ ଏବଂ ଜେଡପ୍ଲସ ବର୍ଗର ସୁରକ୍ଷା ବ୍ୟବସ୍ଥା ଯୋଗାଇ ଦିଆଯାଇଥାଏ । ଦେଶର କେବଳ ଗୁରୁତ୍ୱପୂର୍ଣ୍ଣ ଲୋକଙ୍କୁ ଏହି ସୁରକ୍ଷା ଦିଆଯାଏ । ଏହି ବର୍ଗଗୁଡିକ ବ୍ୟତୀତ, ସ୍ୱତନ୍ତ୍ର ସୁରକ୍ଷା ଗୋଷ୍ଠୀ (ଏସପିଜି) କେବଳ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ପାଇଁ ଉଦ୍ଦିଷ୍ଟ ରହିଥାଏ । ତେବେ ରାମରହିମଙ୍କୁ ଜେଡ଼-ପ୍ଲସ୍ ବର୍ଗର ସୁରକ୍ଷା ମିଳିଥିବାରୁ ସମୁଦାୟ ୧୨ ଜଣ ସୁରକ୍ଷାକର୍ମୀ ନିୟୋଜିତ ହେବେ । ଏଥିସହିତ ଏହି ଘଟଣା ବିଭିନ୍ନ ମହଲରେ ଭ୍ରୂକୁଂଚନ ସୃଷ୍ଟି କରିଛି ।