ଦିନିକିଆ ପରେ ଟି-୨୦ ଦମଦାର ପ୍ରଦର୍ଶନ! ଓ୍ଵେଷ୍ଟଇଣ୍ଡିଜକୁ କ୍ଲିନ୍ ସୁଇପ୍ କରି ୩-୦ରେ ସିରିଜ ଜିତିଲା ଭାରତ
କୋଲକାତା: ଭାରତ ଓ ଓ୍ଵେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଇଥିବା ତୃତୀୟ ତଥା ଶେଷ ଟି୨୦କୁ ଭାରତ ୧୭ ରନ୍ରେ ଜିତିଛି। କୋଲକାତାର ଇଡେନ ଗାର୍ଡେନରେ ଖେଳାଯାଇଥିବା ଶେଷ ଟି-୨୦ ମ୍ୟାଚ୍ରେ ଭାରତ ଭ୍ରମଣକାରୀ ଓ୍ଵେଷ୍ଟଇଣ୍ଡିଜକୁ ୧୭ ରନରେ ପରାସ୍ତ କରି ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ଜିତି ନେଇଛି। କୋଲକାତାର ଇର୍ଡେନ୍ ଗାର୍ଡେନରେ ରବିବାର ପ୍ରଥମେ ବ୍ୟାଟିଂ କରି ଭାରତ ୧୮୪ ରନ୍ କରିଥିଲା। ଫଳରେ ଓ୍ଵେଷ୍ଟଇଣ୍ଡିଜ୍ ୧୮୫ ରନ୍ର ବିଜୟ ଲକ୍ଷ ନେଇ ନିଜର ପାଳି ଆରମ୍ଭ କରିଥିଲା। ଅତିଥି ଟିମ୍ ୨୦ ଓଭର ଖେଳି ୯ଟି ୱିକେଟ୍ ବିନିମୟରେ ୧୬୭ ରନ୍ କରିଥିଲା। ଫଳରେ ଦିନିକିଆ ସିରିଜ୍ ପରେ ଟି-୨୦ ସିରିଜରେ କ୍ଲିନ୍ ସୁଇପ୍ କଲା ଭାରତ।
ଇଡେନ୍ ଗାର୍ଡେନ୍ସରେ ଖେଳାଯାଉଥିବା ତୃତୀୟ ଟି-୨୦ରେ ଟସ୍ ଜିତିଥିଲେ କ୍ୟାରିବିଆନ୍ ଟିମ୍ କ୍ୟାପଟେନ୍ କାଇରନ୍ ପୋଲାର୍ଡ। ଆମନ୍ତ୍ରଣ ପାଇ ବ୍ୟାଟିଂ କରିଥିବା ଓପନର୍ ଋତୁରାଜ ଗାଏକ୍ଵାଡ୍ ଓ ଈଶାନ୍ କିଶନ୍ ଭାରତର ପାଳି ଆରମ୍ଭ କରିଥିଲେ। ଭାରତ ଆରମ୍ଭରୁ ଋତୁରାଜ ଗାଏକ୍ୱାଡ (୪)ଙ୍କ ୱିକେଟ୍ ହରାଇଥିଲା। ତେବେ ଈଶାନ୍ କିଶନ ଓ ଶ୍ରେୟସ ଆୟର୍ ଦ୍ୱିତୀୟ ୱିକେଟ୍ ପାଇଁ ୫୩ ରନ୍ ଯୋଡ଼ି ଭାରତକୁ ଭଲ ସ୍ଥିତିରେ ଆଣିଥିଲେ। ଶ୍ରେୟସ ବଡ଼ ଶଟ୍ ଖେଳିବା ପ୍ରୟାସରେ ନିଜ ୱିକେଟ୍ ଦେଇ ବସିଥିଲେ। ସେ ୧୬ ଲରେ ୨୫ (୪ ଚୌକା) ରନ୍ କରିଥିଲେ। ଈଶାନ୍ ମଧ୍ୟ ଆତ୍ମବିଶ୍ୱାସ ହରାଇ ବସିଥିଲେ ଏବଂ ବ୍ୟକ୍ତିଗତ ୩୪ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ପୁଣିଥରେ ରୋଷ୍ଟନ୍ ଚେଜ୍ ଆଉଟ୍ କରିଥିଲେ। ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋହିତ୍ ଶର୍ମା (୭) ସମ୍ପୂର୍ଣ୍ଣ ବିଫଳ ହୋଇଥିଲେ। ଓପନିଂ ପାଇଁ ସର୍ବଦା ପ୍ରସ୍ତୁତ ଥିବା ରୋହିତ୍ ଚତୁର୍ଥ ସ୍ଥାନରେ କ୍ଲିକ୍ କରିନଥିଲେ। ତାଙ୍କୁ ଡୋମିନିକ୍ ଡ୍ରେକ୍ସ କ୍ଲିନ୍ ବୋଲ୍ଡ ହୋଇଥିଲେ। ୯୩ ରନରେ ୪ ୱିକେଟ୍ ହରାଇବା ପରେ ଭାରତର ରନ୍ ଗତି ହ୍ରାସ ପାଇଥିଲେ। କିନ୍ତୁ ଇନଫର୍ମ ସୂର୍ଯ୍ୟକୁମାର ଓ ଭେଙ୍କଟେଶ ଶେଷ ୫ ଓଭରରେ ଧୂଆଁଧାର ବ୍ୟାଟିଂ କରିଥିଲେ। ଫଳରେ ଭାରତ ଶେଷ ୨୯ ବଲରେ ୮୪ ରନ୍ ସଂଗ୍ରହ କରିଥିଲେ। ଏପରିକି ଦୁହେଁ ପଞ୍ଚମ ୱିକେଟ୍ ପାଇଁ ୯୧ ରନ୍ ଯୋଡ଼ିଥିଲେ। ସୂର୍ଯ୍ୟକୁମାର ୬୫ (୩୧ ବଲ୍, ୧ ଚୌକା, ୭ ଛକା) ଓ ଭେଙ୍କଟେଶ୍ ଅପରାଜିତ ୩୫ (୧୯ ବଲ୍, ୪ ଚୌକା, ୨ ଛକା) ରନ୍ କରିଥିଲେ। ସେହିପରି ଓ୍ବେଷ୍ଟଇଣ୍ଡିଜ୍ ପକ୍ଷରୁ ଜେସନ୍ ହୋଲଡର ୪ ଓଭରରେ ୨୯ ରନ ଦେଇ ଗୋଟିଏ ଓ୍ବିକେଟ୍ ନେଇଥିବା ବେଳେ, ରୋସ୍ତୋନ୍ ଚେଜ୍ ୪ ଓଭରରେ ୨୩ ରନ ୧ ଓ୍ବିକେଟ, ହେଡେନ୍ ଓ୍ବାଲସ୍ ୪ ଓଭରରେ ୩୦ ରନ ୧ ଓ୍ବିକେଟ୍, ଫାଭିଆନ୍ ଆଲେନ୍ ୧ ଓଭରରେ ୫ ରନ, ରୋମରିଓ ସେଫାର୍ଡ ୪ ଓଭରରେ ୫୦ ରନ ୧ ଓ୍ବିକେଟ୍ ଏବଂ ଡୋମିନିକ୍ ଡ୍ରେକସ୍ ୩ ଓଭରରେ ୩୭ରନଦେଇ ୧ ଓ୍ବିକେଟ୍ ନେଇଥିଲେ ।
୧୮୫ ରନର ବିଜୟ ଲକ୍ଷ୍ୟକୁ ପିଛା କରିଥିବା ଓ୍ଵେଷ୍ଟଇଣ୍ଡିଜର ଆରମ୍ଭ ନିରାଶଜନକ ଥିଲା। ୨୬ ରନ ଭିତରେ ଦୁଇ ଓପନର କାଇଲ ମେୟର୍ସ(୬) ଏବଂ ସାଇ ହୋପ୍(୮) ଦୀପକ ଚହରଙ୍କ ବଲରେ ଆଉଟ୍ ହୋଇଥିଲେ। ଏହା ପରେ ନିକୋଲାସ ପୁରନ ଏବଂ ରୋଭମାନ ପାଓ୍ଵେଲ ବିସ୍ଫୋରକ ବ୍ୟାଟିଂ କରି ତୃତୀୟ ଓ୍ଵିକେଟ୍ ପାଇଁ ୪୭ ରନ ଯୋଡିଥିଲେ। ୭୩ ରନ ସ୍କୋରରେ ପାଓ୍ଵେଲ ୨୫ ରନ କରି ବିଦାୟ ନେଇଥିଲେ। ଗୋଟିଏ ପଟେ ନିୟମିତ ବ୍ୟବଧାନରେ ଓ୍ଵିକେଟ୍ ଖସି ଚାଲିଥିବା ବେଳେ ଅନ୍ୟପଟେ ନିକୋଲାସ ପୁରନ ନିଜର ଦମଦାର ଫର୍ମ ଜାରି ରଖି ପୁଣି ଏକ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ମଧ୍ୟକ୍ରମରେ କିରଣ ପୋଲାର୍ଡ(୫), ଜାସନ ହୋଲଡର(୨) ଭେଙ୍କଟେଶ ଆୟରଙ୍କ ବଲରେ ଆଉଟ୍ ହୋଇଥିଲେ। ରୋଷ୍ଟନ ଚେଜ୍(୧୨) ହର୍ଷଲ ପଟେଲଙ୍କ ତୃତୀୟ ଶିକାର ହୋଇଥିଲେ। ଶେଷ ଆଡକୁ ରୋମାରିଓ ସେଫେର୍ଡ ୨୯ ରନ କରିଥିଲେ। ଦଳ ନିର୍ଦ୍ଧାରିତ ଓଭରରେ ୯ ଓ୍ଵିକେଟ୍ ହରାଇ ୧୬୭ ରନ କରିଥିଲା। ଭାରତ ପକ୍ଷରୁ ହର୍ଷଲ ପଟେଲ ୨୨ ରନ ଦେଇ ୩ ଓ୍ଵିକେଟ୍ ନେଇ ଦଳ ବିଜୟରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଛନ୍ତି। ଦୀପକ ଚହର, ଭେଙ୍କଟେଶ ଆୟର ଏବଂ ଶାର୍ଦ୍ଦୁଳ ଠାକୁର ପ୍ରତ୍ୟେକ ଦୁଇଟି ଲେଖାଏଁ ଓ୍ଵିକେଟ୍ ନେଇଛନ୍ତି।