ରଣଜୀ ଟ୍ରଫି ବି ଗ୍ରୁପ! ବରୋଦାକୁ ୪ ୱିକେଟରେ ହରାଇଲା ବେଙ୍ଗଲ
କଟକ: ରଣଜୀ ଟ୍ରଫି ବି ଗ୍ରୁପର ଏକ ରୋମାଂଚକର ମ୍ୟାଚରେ ବିପକ୍ଷ ବରୋଦାକୁ ୪ ୱିକେଟରେ ପରାସ୍ତ କରିଛି ଟିମ୍ ବେଙ୍ଗଲ । ସାହାବାଜ ଅହମ୍ମଦଙ୍କ ଧର୍ଯ୍ୟପୂର୍ଣ୍ଣ ବ୍ୟାଟିଂ ବେଙ୍ଗଲକୁ ଦେଇଛି ବିଜୟ ଭେଟି । ତେବେ ଏହି ବିଜୟ ସହ ୬ ପଏଂଟ ହାସଲ କରିଛି ବେଙ୍ଗଲ ।
ଟସ ଜିତି ବୋଲିଂ ନିଷ୍ପତି ନେଇଥବା ବେଙ୍ଗଲ ବିପକ୍ଷ ବରୋଦାକୁ ପ୍ରଥମ ପାଳିରେ ୧୮୧ ରନରେ ଅଲଆଉଟ କରିଦେଇ ଥିଲା । ଦଳ ପକ୍ଷରୁ ଈଶାନ ପୋରେଲ ସର୍ବାଧିକ ୪ ୱିକେଟ ଅକ୍ତିଆର କରିଥିଲେ । ସେପଟେ ଜବାବରେ ପ୍ରଥମ ପାଳି ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା ବେଙ୍ଗଲ । ମାତ୍ର ୮୮ ରନରେ ସମସ୍ତ ୱିକେଟ ହରାଇଥିଲା ଯାହା ଫଳରେ ଏକ ଦୃଢ଼ ରନର ଲିଡ଼ ପାଇଥିଲା ବରୋଦା । ତେବେ ଏହି ଲିଡ଼ ସହ ବରୋଦା ଦ୍ୱିତୀୟ ପାଳିରେ ୨୫୫ ରନ କରିବାକୁ ସକ୍ଷମ ହୋଇଥିଲା । ବେଙ୍ଗଲ ଆଗରେ ବିଶାଳ ବିଜୟ ଲକ୍ଷ୍ୟ ଥିବାରୁ ଦଳ ପାଇଁ ହୋଇଥିଲା ବଡ଼ ଚ୍ୟାଲେଞ୍ଜ ।
ଚ୍ୟାଲେଞ୍ଜକୁ ଗ୍ରହଣ କରି ଦ୍ୱିତୀୟ ଇନିଂସରେ ବିଜୟ ଅଭିମୁଖେ ବାହାରିଥିଲା ଟିମ ବେଙ୍ଗଲ । ପ୍ରାରମ୍ଭିକ ଯୋଡି ଅଭିମନ୍ୟୁ ଈଶ୍ୱରନ ଏବଂ ସୁଦୀପ କୁମାର ଘରାମିଙ୍କ ମଧ୍ୟରେ ପ୍ରଥମ ୱିକେଟ ସୁଦ୍ଧା ୮୯ ରନର ଭାଗିଦାରୀ ହୋଇଥିଲା । ପ୍ରଥମ ୱିକେଟ ଯିବା ପରେ ଅଧିନାୟକ ଅଭିମନ୍ୟୁଙ୍କ ବ୍ୟକ୍ତିଗତ ସର୍ବାଧିକ ୭୯ ରନ ଦଳକୁ ବିଜୟ ଅଭିମୁଖେ ନେଇଯାଇଥିଲା । ଶେଷରେ ଦୁଇ ବାମହାତୀ ବ୍ୟାଟ୍ସମ୍ୟାନ ସାହାବାଜ ଅହମ୍ମଦ ଏବଂ ଅଭିଷେକ ପୋରେଲ ବ୍ୟକ୍ତିଗତ ଭାବରେ ୭୧ ଓ ୫୩ ରନ କରି ଦଳକୁ ଏକ ରୋମଂଚକର ବିଜୟ ଭେଟି ଦେଇଛନ୍ତି । ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିବା ସାହାବାଜ ଅହମ୍ମଦଙ୍କୁ ମ୍ୟାନ ଅଫ ଦ ମ୍ୟାଚ ଘୋଷଣା କରାଯାଇଛି ।