ରଣଜୀ ଟ୍ରଫି ଗ୍ରୁପ୍-ଡି : ଗୋଆ ବିପକ୍ଷ ମ୍ୟାଚକୁ ଡ୍ର ରଖିଲା ଓଡ଼ିଶା
ଅହମଦାବାଦ: ଶାନ୍ତନୁଙ୍କ ଦମଦାର୍ ଶତକ ଓ ରାଜେଶ ଧୂପରଙ୍କ ଲଢ଼ୁଆ ଅର୍ଦ୍ଧଶତକ ବଳରେ ଓଡ଼ିଶା କ୍ରିକେଟ୍ ଟିମ୍ ଏଠାରେ ଚାଲିଥିବା ରଣଜୀ ଟ୍ରଫି ଗ୍ରୁପ୍-ଡି’ର ଗୋଆ ବିପକ୍ଷ ମ୍ୟାଚକୁ ଡ୍ର’ କରିଛି । ତେବେ ପ୍ରଥମ ଇନିଂସ୍ ଅଗ୍ରଣୀ ଭିତିରେ ଓଡ଼ିଶା ମହତ୍ୱପୂର୍ଣ୍ଣ ୩ ପଏଂଟ ହାସଲ କରିଛି । ଗୋଆ ଦ୍ୱାରା ଧାର୍ଯ୍ୟ ୩୮୭ ରନର ବଡ଼ ଲକ୍ଷ୍ୟର ପିଛା କରୁଥିବା ଓଡ଼ିଶା ପୂରା ୧୦୦ ଓଭର ବ୍ୟାଟିଂ କରି ୭ ୱିକେଟ୍ ହରାଇ ୨୩୫ ରନ୍ କରିଛି । ଦଳ ପକ୍ଷରୁ ଶାନ୍ତନୁ ୨୬୭ ବଲ୍ ଖେଳି ୧୧ ଚୌକା ସହ ଅପରାଜିତ ୧୦୩ ରନ୍ କରିଛନ୍ତି । ସେହିପରି ରାଜେଶ ଧୂପର୍ ୫୨ ରନର ମହତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି ।
ମ୍ୟାଚର ଶେଷ ଦିବସରେ ଓଡ଼ିଶାକୁ ବିଜୟ ପାଇଁ ୩୬୫ ରନ୍ ଏବଂ ଗୋଆକୁ ଜିତିବା ପାଇଁ ୧୦ ୱିକେଟ୍ ଦରକାର ଥିଲା । ଏଭଳି ସ୍ଥିତିରେ ମ୍ୟାଚ୍ ଗୋଆ ସପକ୍ଷରେ ଯିବ ବୋଲି ଲାଗୁଥିଲା । ହେଲେ ଓଡ଼ିଶା ଆଜି ଭଲ ଆରମ୍ଭ କରିଥିଲା । ଦୁଇ ଓପ୍ନର ଅନୁରାଗ ଷଡଙ୍ଗୀ ଓ ଶାନ୍ତନୁ ପ୍ରଥମ ୱିକେଟ୍ ୫୨ ରନ୍ ଯୋଡ଼ିଥିଲା । ଅନୁରାଗ ୨୮ ରନ୍ କରିଥିବା ବେଳେ ଲକ୍ଷ୍ୟ ଗର୍ଗଙ୍କ ଶିକାର ହୋଇଥିଲେ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ସନ୍ଦୀପ ପଟ୍ଟନାୟକ ଆକ୍ରମଣାତ୍ମକ ବ୍ୟାଟିଂ କରିଥିଲେ । ସେ ଶାନ୍ତନୁଙ୍କ ସହ ମିଶି ୪୫ ରନର ଭାଗିଦାରୀ କରିଥିଲେ ।ଦଳର ସ୍କୋର ୯୯ ରନରେ ଥିବା ବେଳେ ସନ୍ଦୀପ (୩୨)ଙ୍କୁ ଦର୍ଶନ ମିଶାଲ ଆଉଟ୍ କରିଥିଲେ । ଏହି ୱିକେଟ୍ ନେବା ପରେ ଗୋଆ ମ୍ୟାଚକୁ କମବ୍ୟାକ୍ କରି ବ୍ୟାକ୍ ଟୁ ବ୍ୟାକ୍ ସଫଳଳା ପାଇଥିଲା । କ୍ୟାପଟେନ୍ ଶୁଭ୍ରାଂଶୁ ସେନାପତି ମାତ୍ର ୨ ଓ ଅଭିଜ୍ଞ ଗୋବିନ୍ଦ ପୋଦ୍ଧାର ୩ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ । ୧୦୮ ରନରେ ୪ ୱିକେଟ୍ ହରାଇ ଓଡ଼ିଶା ସଂକଟରେ ପଡ଼ିଥିଲା ବେଳେ ଶାନ୍ତନୁଙ୍କୁ ଭରପୂର ସହଯୋଗ କରିଥିଲେ ରାଜେଶ ଧୂପର । ଦୁହେଁ ୫୫ ଓଭର ବ୍ୟାଟିଂ କରି ଓଡ଼ିଶାକୁ ପରାଜୟରୁ ରକ୍ଷା କରିଥିଲେ । ପ୍ରଥମ ଇନିଂସ୍ ଭଳି ରାଜେଶ ପୁଣିଥରେ ନିଜ ପ୍ରତିଭାର ପରିଚୟ ଦେଇ ଅର୍ଦ୍ଧଶତକ ମାରିଥିଲେ । ସେ ଶାନ୍ତନୁଙ୍କ ସହ ମିଶି ପଂଚମ ୱିକେଟ୍ ପାଇଁ ୧୧୯ ରନର ପାର୍ଟନରଶିପ୍ କରିଥିଲେ । ଓଡ଼ିଶାର ସ୍କୋର ୨୨୭ ରନରେ ଥିବା ବେଳେ ରାଜେଶଙ୍କୁ ଆଉଟ୍ କରିଥିଲେ ଅମିତ୍ ଯାଦବ । ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଅଭିଷେକ ରାଉତ ୫ ରନ୍ କରି ଆଉଟ୍ ହୋଇଥିଲେ । ପରେ ସେଟ୍ ବ୍ୟାଟର୍ ଶାନ୍ତନୁ ଦୁର୍ଭାଗ୍ୟପୂର୍ଣ୍ଣ ଭାବେ ରନଆଉଟ୍ ହୋଇଥିଲେ । ଏହି ସମୟରେ ଗୋଆ ପାଇଁ ମ୍ୟାଚ୍ ଜିତିବା ଆଶା ସଂଚାର ହୋଇଥିଲା । କିନ୍ତୁ ଦେବବ୍ରତ (୨) ଓ ବସନ୍ତ ମହାନ୍ତି (୦) ଅପରାଜିତ ରହି ଦଳକୁ ଆଉ କ୍ଷତି ହେବାକୁ ଦେଇନଥିଲେ । ଗୋଆ ପକ୍ଷରୁ ଦର୍ଶନ ମିଶାଲ ଓ ଅମିତ୍ ଯାଦବ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ ।
ସୂଚନା ଯେ, ଉକ୍ତ ମ୍ୟାଚରେ ଗୋଆ ପ୍ରଥମ ଇନିଂସରେ ୧୮୧ ରନ୍ କରି ଅଲଆଉଟ୍ ହୋଇଥିଲା । ଜବାବରେ ଓଡ଼ିଶା ୧୮୯ ରନ୍ କରି ପ୍ରଥମ ଇନିଂସରେ ୮ ରନର ମହତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଥିଲେ । ଦ୍ୱିତୀୟ ଇନିଂସରେ ଗୋଆ ଆକର୍ଷଣୀୟ ବ୍ୟାଟିଂ କରି ୫ ୱିକେଟ୍ ହରାଇ ୩୯୪ ରନ୍ କରି ପାଳି ଘୋଷଣା କରିଥିଲ ।