ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର ହେଲେ ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀ

ଢେଙ୍କାନାଳ : ନିଖୋଜ ସମିତିସଭ୍ୟା ପ୍ରାର୍ଥୀଙ୍କ ସ୍ବାମୀଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର । ସିମିଳିଆ ଓଭର ବ୍ରିଜ୍ ନିକଟରୁ ଉଦ୍ଧାର କଲା ପୋଲିସ । ବନ୍ଧୁକ ଦେଖାଇ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ଉଦ୍ଧାର ଯୁବକ ହେଲେ ଶାଙ୍କୁଲେଇ କୁମାରଦେଇପୁରର ଦୀପକ ଦାଶ । ଦୀପକଙ୍କ ପତ୍ନୀ ଶାଙ୍କୁଲେଇ ପଞ୍ଚାୟତର ସମିତିସଭ୍ୟା ପ୍ରାର୍ଥୀ ।
ସୂଚନା ଯେ, ଗତ ୧୬ତାରିଖରୁ ଦୀପକଙ୍କୁ ତାଙ୍କ ଗ୍ରାମ ନିକଟରୁ ଅପହରଣ କରାଯାଇଥିଲା । ଗ୍ରାମ ନିକଟରୁ ତାଙ୍କର ସ୍କୁଟି ମିଳିଥିଲା । ସ୍କୁଟିରେ ରକ୍ତ ଛିଟା ଲାଗିଥିବାରୁ ଆକ୍ରମଣ କରି ଅପହରଣ କରାଯାଇଥିବା ସନ୍ଦେହ କରାଯାଇଥିଲା । ତେବେ ଘଟଣା ଦିନ ସେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ୪ ଜଣ ଯୁବକ ମୁଖା ପିନ୍ଧି ଦୁଇଟି ବାଇକ୍ ଯୋଗେ ଆସି ତାଙ୍କୁ ପ୍ରଥମେ ଏକ ପିସ୍ତଲ ପଛ ପଟେ ମୁଣ୍ଡକୁ ପିଟି ଦେଇଥିଲେ । ପରେ ତାଙ୍କ ମୁହଁରେ କପଡା ପକାଇ ନେଇ ଯାଇଥିଲେ । ପରେ କିଛି ବାଟ ଯିବା ପରେ ଏକ କାର୍ ଯୋଗେ ଅପହରଣ କରିନେଇ ନିର୍ବାଚନରେ ପ୍ରଚାର ନକରିବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ଏକ ଘରେ ପୁରାଇ ରଖିଥିବା ବେଳେ ଖାଇବା ପିଇବାକୁ ଦେଇ ନଥିଲେ । ଅପହରଣ କରିଥିବା ଦୁର୍ବୃତ୍ତମାନେ କିଏ ସେ ଜାଣି ପାରିନଥିବା କହିଛନ୍ତି ଦୀପକ । ଏ ସମ୍ପର୍କରେ ସଦର ପୋଲିସ ତଦନ୍ତ ଆରମ୍ଭ କରିଛି ।