ଭାରସାମ୍ୟ ହରାଇ ଓଲଟିଲା କାର, ଡ୍ରାଇଭର ମୃତ
ବେତନଟୀ : ମୟୁରଭଞ୍ଜ ଜିଲା ୧୮ ନମ୍ବର ଜାତୀୟ ରାଜପଥର ବେତନଟୀ ତୁଳସୀଚାଉରା ନିକଟ ଆଇବିପି ପେଟ୍ରୋଲ ପମ୍ପ ନିକଟରେ ଭାରସାମ୍ୟ ହରାଇ ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣାସ୍ଥଳରେ କାର ଡ୍ରାଇଭରଙ୍କ ମୃତ୍ୟୁ । ମୃତକଙ୍କ ପରିଚୟ ମିଳି ନଥିବା ବେଳେ ସେ ବାଲେଶ୍ୱର ଜିଲା ରେମୁଣା ଅଞ୍ଚଳର ବୋଲି ଜଣାପଡିଛି ।
ସୂଚନା ଯେ, ବ୍ୟକ୍ତିଜଣଙ୍କ କାର୍ରେ ରେମୁଣାରୁ ମୟୁରଭଞ୍ଜ ଜିଲା କୃଷ୍ଣଚନ୍ଦ୍ରପୁରକୁ କୌଣସି କାମରେ ଯାଉଥିଲେ । କାର୍ଟି ଜାତୀୟ ରାଜପଥକୁ ଲାଗିଥିବା ଫୁଲ ବଗିଚାକୁ ଧକ୍କା ଦେଇ ଓଲଟି ପଡିଥିଲା । ଫଳରେ କାର୍ ଚାଳକ ଜଣଙ୍କ ଗାଡ଼ି ଭିତରେ ଚାପି ହୋଇ ରହିଯାଇଥିଲେ । କିଛି ସମୟ ପରେ କାର୍ଟିରୁ ଭୀଷଣ ଧୂଆଁ ନିର୍ଗତ ହୋଇଥିଲା । ଏହାଦେଖି ପେଟ୍ରୋଲ ପମ୍ପ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବାକୁ ଉଦ୍ୟମ କରିଥିଲେ । କିନ୍ତୁ ଏଥିରେ ସକ୍ଷମ ହୋଇନଥିଲା । ଖବରପାଇ ବେତନଟୀ ଅଗ୍ନିଶମ ବାହିନୀ ଓ ପୋଲିସ ଘଟମାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା ସହ କାର୍ ଭିତରେ ଫସି ରହିଥିବା ମୃତ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ । ପୋଲିସ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ନିକଟସ୍ଥ ମେଡିକାଲକୁ ପଠାଇଥିବାର ଜଣାପଡିଛି ।