ଜୁନ୍-ଜୁଲାଇରେ ଇଣ୍ଡିଆନ୍ ଭଲିବଲ୍ ଲିଗ୍
ଭୁବନେଶ୍ୱର : ଦେଶରେ ଅଲିମ୍ପିକ୍ ଖେଳ ଭଲିବଲ୍ର ବିପ୍ଳବ ହେବାକୁ ଯାଉଛି । ଡିସ୍କଭରି ନେଟୱାର୍କର ପ୍ରିମିୟମ୍ ସ୍ପୋର୍ଟସ ବ୍ରାଣ୍ଡ୍ ‘ୟୁରୋ ସ୍ପୋର୍ଟସ ଇଣ୍ଡିଆ’ ଏବଂ ଭାରତୀୟ ଭଲିବଲ୍ ସଂଘ (ଭିଏଫ୍ଆଇ)ର ମିଳିତ ଆନୁକୂଲ୍ୟରେ ଚଳିତ ବର୍ଷ ଜୁନ୍ ଜୁଲାଇରେ ପେସାଦାର ପ୍ରତିଯୋଗିତା ‘ଇଣ୍ଡିଆନ୍ ଭଲିବଲ୍ ଲିଗ୍’ ଖେଳାଯିବାର ଖସଡ଼ା ପ୍ରସ୍ତୁତ ହୋଇଛି । ଫଳରେ ଏହି ଖେଳର ଲୋକପ୍ରିୟତା ଓ ଅନ୍ତର୍ଜାତୀୟ ବଜାରରେ ଭାରତର ଉପସ୍ଥିତି ବଢ଼ିବ ବୋଲି ବିଶ୍ୱାସ କରାଯାଉଛି ।
ଆଇଭିଏଲ୍କୁ ମଧ୍ୟ ଏସୀୟ ଭଲିବଲ୍ ସଂଘ ଏବଂ ଅନ୍ତର୍ଜାତୀୟ ଭଲିବଲ୍ ସଂଗ ଅନୁମୋଦନ କରିଛି । ଭାରତର ବିଭିନ୍ନ ସହରରେ ୬ରୁ ୮ ଦଳ ଅଂଶଗ୍ରହଣ କରିବେ । ଦଳଗୁଡିକରେ ମଧ୍ୟ ଭାରତୀୟ, ଅନ୍ତର୍ଜାତୀୟ, ଯୁବ ପ୍ରତିଭାବାନ ଖେଳାଳିଙ୍କ ମିଶ୍ରିତ ସୁଯୋଗ ରହିବ । ଭଲିବଲ୍ର ଲୋକ୍ରପ୍ରିୟତା ପାଇଁ ସୁଯୋଗ ମିଳିବା ଖୁସି ଖବର ବୋଲି ପ୍ରକାଶ କରିଛନ୍ତି ୟୁରୋ ସ୍ପୋର୍ଟସ ଇଣ୍ଡିଆର ମୁଖ୍ୟ ରୁଚିର ଜୈନ । ‘ଭାରତୀୟ ଭଲିବଲ୍ ପାଇଁ ଏହା ଏକ ବଡ଼ ମୁହୂର୍ତ । ଏହାକୁ ବିଶ୍ୱସ୍ତରୀୟ ଲିଗ୍ରେ ପରିଣତ କରାଯିବା ଲାଗି ପ୍ରୟାସ କରାଯିବ’ ବୋଲି ଭାରତୀୟ ଭଲିବଲ୍ ସଂଘର ସଭାପତି ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରକାଶ କରିଛନ୍ତି । ଏହା ବିଶ୍ୱ ଭଲିବଲ୍ କ୍ୟାଲେଣ୍ଡରରେ ବାର୍ଷିକ ଇଭେଂଟ୍ ଭାବେ ସ୍ଥାନ ପାଇବ ବୋଲି ଭାରତୀୟ ଭଲିବଲ୍ ଲିଗ୍ର ଅଧ୍ୟକ୍ଷ ରାମ ଅବତାର ସିଂହ ଝାକଡ଼ ପ୍ରକାଶ କରିଛନ୍ତି ।