ହ୍ୟାକ ହେଲା ସଂସଦ ଟିଭି, ବଦଳିଲା ୟୁଟ୍ୟୁବ୍ ଚ୍ୟାନେଲ ନାମ
ନୂଆଦିଲ୍ଲୀ : ହ୍ୟାକ ହେଲା ସଂସଦ ଟିଭି । ୟୁଟ୍ୟୁବରେ ଥିବା ସଂସଦ ଟିଭିର ଆକାଉଣ୍ଟକୁ ହ୍ୟାକ କରାଯାଇଛି । ଏନେଇ ସଂସଦ ଟିଭି ପକ୍ଷରୁ ସୂଚନା ଦିଆଯାଇଛି । ସଂସଦ ଟିଭି ପକ୍ଷରୁ କୁହାଯାଇଛି ଯେ, ଫେବ୍ରୁଆରୀ ୧୫ ତାରିଖ ରାତି ୧ଟା ସମୟରେ କିଛି ବ୍ୟକ୍ତି ସଂସଦ ଟିଭିକୁ ହ୍ୟାକ କରିବାକୁ ଉଦ୍ୟମ କରିଥିଲେ । ସଂସଦ ଟିଭିର ୟୁଟ୍ୟୁବ୍ ଚ୍ୟାନେଲ ହ୍ୟାକ ହୋଇଥିଲା । ହ୍ୟାକରସମାନେ ପ୍ରଥମେ ଏହାର ନାମ ପରିବର୍ତ୍ତନ କରିଥିଲେ । ସଂସଦ ଟିଭି ନାଁକୁ ହଟାଇ ଇଥେରିୟମ କରିଦେଇଥିଲେ ।
ସଂସଦ ଟିଭିର ସୋସିଆଲ ମିଡିଆ ଟିମ୍ ଏସମ୍ପର୍କରେ ଜାଣି ଯଥାଶୀଘ୍ର କାମ ଆରମ୍ଭ କରିଥିଲେ । ସଂସଦ ଟିଭିର ବୟାନ ମୁତାବକ, ଇଣ୍ଡିଆନ୍ କମ୍ପ୍ୟୁଟର ଇମରଜେନ୍ସିଂ ରେସପନ୍ସ ଟିମ୍ ମ୍ୟ ଏହି ଘଟଣାକୁ ସଂଜ୍ଞାନ ନେଇଛି । ସିଇଆରଟି ଏହି ମାମଲାକୁ ଅତି ତତ୍ପରତାର ସହ ଯାଞ୍ଚ କରୁଥିବା ଜଣାପଡିଛି । ତେବେ ଖୁବଶୀଘ୍ର ଏହି ସମସ୍ୟାର ସମାଧାନ ହେବ ବୋଲି କୁହାଯାଇଛି । ୟୁଟ୍ୟୁବରେ ସଂସଦ ଟିଭି ହ୍ୟାକ୍ ହେବା ପରେ ୟୁଟ୍ୟୁବରେ ଏହାର ସିଧାପ୍ରସାରଣ ନେଇ ଅସୁବିଧା ସୃଷ୍ଟି ହୋଇଛି । କୁହାଯାଉଛି ୟୁଟ୍ୟୁବ୍ ପକ୍ଷରୁ ସଂସଦ ଟିଭିର ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି । ଦର୍ଶକମାନେ ଏବେ ଏହାର ପ୍ରସାରଣ ଦେଖିପାରୁନାହାଁନ୍ତି ।