ହିଜାବ ବିବାଦରେ ଉତ୍ତେଜନା ସୃଷ୍ଟି କରିବାକୁ ଉଦ୍ୟମ କରୁଛି ପାକିସ୍ତାନ! ୫ ରାଜ୍ୟରେ ହାଇଆଲର୍ଟ ଜାରି
ନୂଆଦିଲ୍ଲୀ : ହିଜାବକୁ ନେଇ ଦେଶବ୍ୟାପୀ ଚାଲିଥିବା ବିରୋଧ ପ୍ରଦର୍ଶନ ପଛରେ ଚାଲିଥିବା ଷଡ଼ଯନ୍ତ୍ରକୁ ନେଇ ଗୁଇନ୍ଦା ସଂସ୍ଥା ହାଇଆଲର୍ଟ ଜାରି କରିଛି। ଦିଲ୍ଲୀ, ଉତ୍ତରପ୍ରଦେଶ, ରାଜସ୍ଥାନ, ବିହାର ଓ ପଶ୍ଚିମବଙ୍ଗକୁ ନେଇ ଏହି ଆଲର୍ଟ ଜାରି ହୋଇଛି। ଗୁଇନ୍ଦା ସଂସ୍ଥା ଜାଣିବାକୁ ପାଇଛି ଯେ, ହିଜାବକୁ ନେଇ ଅନ୍ତର୍ଜାତୀୟ ଷଡ଼ଯନ୍ତ୍ର କାମ କରୁଛି। ଆଲର୍ଟରେ କୁହାଯାଇଛି ଯେ, ଦେଶ-ବିରୋଧୀ ଉପଦ୍ରବ ସୃଷ୍ଟି କରିବା ପାଇଁ ହଜାବ ରେଫରେଣ୍ଡମ ପାଇଁ ଏକ ୱେବସାଇଟ୍ ପ୍ରସ୍ତୁତ କରାଯାଇଛି। ଏଥିରେ ଲୋକେ ଅନ୍ଲାଇନରେ ଆସି ପ୍ରଦର୍ଶନକୁ ସମର୍ଥନ ଦେବା ପାଇଁ କୁହାଯାଇଛି।
ଏହି ଆକାଉଣ୍ଟରେ ମିଛ ଭିଡିଓ, ଉତ୍ତେଜିତ ଭାଷଣ ଓ ପରିସ୍ଥିତି ବିଗାଡ଼ିବା ପାଇଁ ଧାର୍ମିକ ବାର୍ତ୍ତା ପ୍ରସାରିତ କରାଯାଇଛି। ଗୁଇନ୍ଦା ସୂତ୍ର ଅନୁସାରେ ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ଆଇଏସଆଇ ସହିତ ଦେଶରେ ଏକ ସ୍ୱତନ୍ତ୍ର ସଂପ୍ରଦାୟର ସଂଗଠନ ରହିଛି। କର୍ଣ୍ଣାଟକରେ ହିଜାବ୍ ବିବାଦ ଦିନକୁ ଦିନ ଆହୁରି ବଢ଼ିବାରେ ଲାଗିଛି। ଉଡ୍ଡୁପୀ ଜିଲ୍ଲାର ଏକ ସରକାରୀ କଲେଜରେ ୬ ଜଣ ଛାତ୍ରୀଙ୍କ ହିଜାବ୍ ପିନ୍ଧି କ୍ଲାସରୁମ୍ରେ ପ୍ରବେଶକୁ କେନ୍ଦ୍ର କରି ଗତବର୍ଷ ଡିସେମ୍ବର ୩୧ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ବିବାଦ ଏବେ ହାଇକୋର୍ଟରେ ଶୁଣାଣି ଚାଲିଛି। କିନ୍ତୁ ବିବାଦ ବଢ଼ିଥିବାରୁ ଚାରିଆଡେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖାଯାଇଛି। ତେଣୁ ବର୍ତ୍ତମାନ ପରିସ୍ଥିତିରେ ଆଗାମୀ ୧୬ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ, ବିଶ୍ୱବିଦ୍ୟାଳୟ ଓ ପ୍ରଫେସନାଲ କୋର୍ସ ଥିବା ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଏହା ପୂର୍ବରୁ ରାଜ୍ୟ ଶିକ୍ଷା ବିଭାଗ ଗତ ୯ ତାରିଖ ଠାରୁ ୧୧ ତାରିଖ ଯାଏଁ ଏହି ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ନେଇ ଘୋଷଣା ହୋଇଥିଲା।