ଦେଶରେ କମୁଛି କରୋନା ଗ୍ରାଫ୍! ଆଉ ୫୦,୪୦୭ ଆକ୍ରାନ୍ତ ଚିହ୍ନଟ ଓ ୮୦୪ ମୃତ
ନୂଆଦିଲ୍ଲୀ : ଦେଶରେ କମୁଛି କରୋନା ଗ୍ରାଫ୍। ସଂକ୍ରମଣ ଧୀରେ ଧୀରେ ନିମ୍ନଗାମୀ ହେବାରେ ଲାଗିଛି । ମାତ୍ର ମୃତ୍ୟୁ ସଂଖ୍ୟାରେ କିନ୍ତୁ ବ୍ରେକ୍ ଲାଗୁନି । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ୧ ଲକ୍ଷ ତଳକୁ ଖସିଛି । ଏହି ପରିପ୍ରେକ୍ଷୀରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ଆଉ ୫୦ ହଜାରରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୮୦୪ ଜଣଙ୍କ ମୃତ୍ୟୁ ହୋଇଛି ।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁସାରେ, ୨୪ ଘଣ୍ଟାରେ ୫୦,୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୮୦୪ ଛୁଇଁଛି । ଏବେସୁଦ୍ଧା ଦେଶରେ ପ୍ରାୟ ୪ କୋଟି ୨୭ ଲକ୍ଷ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ୬୧୦୪୪୩ ସକ୍ରିୟ ମାମଲା ରହିଛି ଏବଂ ୪ କୋଟି ୧୫ ଲକ୍ଷ ସୁସ୍ଥ ହୋଇ ଫେରିଛନ୍ତି । ଏତତ୍ ବ୍ୟତୀତ ୫୦୭୯୮୧ ସଂକ୍ରମିତ ପ୍ରାଣ ହରାଇଛନ୍ତି ।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ଶୁକ୍ରବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୭୨,୨୯,୪୭,୬୮୮ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୭୪,୯୩,୨୦,୫୭୯ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୪,୫୦,୫୩୨ଟି ନମୁନା। ଦୈନିକ ପଜିଟିଭିଟି ହାର ରହିଛି ୩.୪୮%।