୫ ଡିଗ୍ରୀ କମିବ ରାତି ତାପମାତ୍ରା, ରାଜ୍ୟକୁ ପୁଣି ଫେରିବ ଶୀତ
ଭୁବନେଶ୍ୱର : ରାଜ୍ୟକୁ ପୁଣି ଫେରିବ ଶୀତ । ଆସନ୍ତା ଦୁଇ ଦିନ ରାତି ତାପମାତ୍ରା ଆହୁରି ୫ ଡିଗ୍ରୀ କମିବ । ଫଳରେ ଶୀତ ବଢ଼ିବ। ରାଜ୍ୟର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ି ଠାରେ ୯.୫ ଡିଗ୍ରି ସେଲ୍ସିୟସ୍ ରେକର୍ଡ ହୋଇଛି। ସେହିପରି ସିମିଳିଗୁଡ଼ାରେ ୧୨.୪, ଜି.ଉଦୟଗିରିରେ ୧୩.୫, ନୂଆପଡ଼ାରେ ୧୪.୨ ଓ କିରେଇରେ ରାତି ତାପମାତ୍ରା ୧୪.୫କୁ ଖସିଥିଲା । ଅନ୍ୟପକ୍ଷରେ ଅଧିକାଂଶ ସ୍ଥାନର ସର୍ବନିମ୍ନ ତାପମାତ୍ରା ସ୍ବାଭାବିକ ରହିଛି। ଆସନ୍ତା ୫ ଦିନରେ ରାଜ୍ୟରେ ପାଗ ଶୁଖିଲା ରହିବ।
ଶୁକ୍ରବାର ରାଜ୍ୟର ହାତଗଣତି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଛି । ମୟୂରଭଞ୍ଜର ତିରିଂ ଷ୍ଟେସନରେ ୧୨.୨ ମିଲିମିଟର ବର୍ଷା ହୋଇଛି । ବାଲେଶ୍ୱରର ଭୋଗରାଇରେ ୧୮ ମିଲିମିଟର, ମୟୂରଭଞ୍ଜର ରାଇରଙ୍ଗପୁରରେ ୬.୬, ବାଲେଶ୍ୱରର ଜଳେଶ୍ୱରରେ ୫, ସୁନ୍ଦରଗଡ଼ର ଲାଠକଟାରେ ୪ ଓ ସୁନ୍ଦରଗଡ଼ର ରାଜଗାଙ୍ଗପୁରରେ ୩.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ସେହିପରି ଗତ ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଦେଖାଯାଇଛି। ସେହିଭଳି ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଦକ୍ଷିଣ ଉପକୂଳ ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ତଳକୁ ଖସିଛି। କଟକଠାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୩୧.୪ ଡିଗ୍ରି ରେକର୍ଡ ହୋଇଛି। ରାଜଧାନୀ ଭୁବନେଶ୍ବରର ସର୍ବାଧିକ ତାପମାତ୍ରା ୨୭.୮ ଡିଗ୍ରି ରେକର୍ଡ ହୋଇଥିବା ବେଳେ ଆସନ୍ତା ୨୪ ଘଣ୍ଟାରେ ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳର ସର୍ବାଧିକ ତାପମାତ୍ରା ୨୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୧୬ ଡିଗ୍ରି ମଧ୍ୟରେ ରହିବ। ପାଗ ଆଂଶିକ ମେଘୁଆ ରହିବ ଓ ଖରା କମ୍ ରହିବ।