ଦେଢ଼ ମାସ ପରେ ଦିଲ୍ଲୀରେ ସଂକ୍ରମଣ ୧୦୦୦ ତଳକୁ ଖସିଲା
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ଲଗାତାର ଭାବେ କମିବାରେ ଲାଗିଛି । ପାଖାପାଖି ଦେଢ଼ ମାସ ପରେ ହଜାରେରୁ କମ୍ ନୂଆ ମାମଲା ସାମ୍ନାକୁ ଆସିଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ମୁତାବକ, ଗତ ୨୪ ଘଣ୍ଟାରେ ୯୭୭ ନୂଆ ମାମଲା ସାମ୍ନାକୁ ଆସିଛି । ଅନ୍ୟପଟେ ୧୨ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୫୯୧ ଜଣ ସୁସ୍ଥ ହୋଇଛନ୍ତି । ସକ୍ରିୟ ମାମଲା ୪,୮୧୨ ରହିଥିବା ଜଣାପଡ଼ିଛି ।
ସୂଚନାଯୋଗ୍ୟ, ଗତବର୍ଷ ଡିସେମ୍ବରରେ ଦିଲ୍ଲୀରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବଢ଼ିବାକୁ ଲାଗିଥିଲା । ଜାନୁଆରୀ ୧୩ରେ ସର୍ବାଧିକ ୨୮ହଜାର ୮୮୭ ମାମଲା ସାମ୍ନାକୁ ଆସିଥିଲା । ପରେ ଧୀରେ ଧୀରେ ସଂକ୍ରମଣ ଗତି କମିଥିଲା ।