ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଦିନିକିଆ, ଏହି ଏକାଦଶକୁ ନେଇ ଖେଳିବ ଭାରତ!
ଅହମଦାବାଦ: ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବାକୁ ଥିବା ଦ୍ୱିତୀୟ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଖୁସି ଖବର । ଟିମ୍ ଇଣ୍ଡିଆ ଭାଇସ୍-କ୍ୟାପଟେନ୍ ଲୋକେଶ ରାହୁଲ ଓ ଓପ୍ନର ମୟଙ୍କ ଅଗ୍ରୱାଲ୍ ଟ୍ରେନିଂ କ୍ୟାମ୍ପରେ ଯୋଗ ଦେଇଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ନଭଦୀପ ସାଇନି ମଧ୍ୟ ଟ୍ରେନିଂ ଆରମ୍ଭ କରିଦେଇଛନ୍ତି ।
ଭଉଣୀଙ୍କ ବିବାହ କାରଣରୁ ରାହୁଲ୍ ପ୍ରଥମ ମ୍ୟାଚରେ ଖେଳିପାରି ନଥିଲେ । କିନ୍ତୁ ଦ୍ୱିତୀୟ ଦିନିକିଆରେ ଚୟନ ପାଇଁ ସେ ଉପଲବ୍ଧ ହେବେ । ମୟଙ୍କ ଅଗ୍ରୱାଲ୍ ପୂର୍ବରୁ ସିରିଜ୍ ପାଇଁ ଚୟନ ହୋଇନଥିଲେ । କିନ୍ତୁ ଶିଖର ଧୱନ୍ ଏବଂ ଋତୁରାଜ ଗାଏକ୍ୱାଡ୍ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମୟଙ୍କଙ୍କୁ ଟିମରେ ସ୍ଥାନ ମିଳିଥିଲା । କ୍ୱାରେଂଟାଇନରେ ରହିବା କାରଣରୁ ସେ ପ୍ରଥମ ମ୍ୟାଚ୍ ପାଇଁ ଉପଲବ୍ଧ ହୋଇପାରି ନଥିଲେ । ତେବେ ଦ୍ୱିତୀୟ ମ୍ୟାଚ୍ ପାଇଁ ସେ ଫିଟ୍ ହୋଇଛନ୍ତି । ପ୍ରଥମ ଦିନିକିଆରେ ରୋହିତ୍ ଶର୍ମାଙ୍କ ସହ ଈଶାନ୍ କିଶନ ଓପନ୍ କରିଥିଲେ । ପେସ୍ ବୋଲର ସାଇଡ଼ି ରିଜର୍ଭ ଖେଳାଳି ଭାବେ ଟିମରେ ସ୍ଥାନ ପାଇଥିଲେ । ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । ଏବେ ତାଙ୍କର କରୋନା ରିପୋର୍ଟ ନେଗେଟିଭ୍ ଆସିଛି । ସେ ମଧ୍ୟ ଦ୍ୱିତୀୟ ଦିନିକିଆ ପୂର୍ବରୁ ନେଟରେ ବୋଲିଂ ଅଭ୍ୟାସ କରିଛନ୍ତି । ୨୯ ବର୍ଷୀୟ ସାଇନି ଗତ ଜୁଲାଇ ମାସରେ ଶ୍ରୀଲଙ୍କା ଗସ୍ତରେ ଭାରତ ପକ୍ଷରୁ ଶେଷଥର ଲାଗି ଖେଳିଥିଲେ । ଟିମ୍ ଇଣ୍ଡିଆର ଅନ୍ୟତମ ଓପ୍ନର ଶିଖର ଧୱନ୍ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିଲେ । କିନ୍ତୁ ସେ ଏଯାଏ ଫିଟ୍ ହୋଇନାହାନ୍ତି । ତାଙ୍କ ଅନୁପସ୍ଥିତିରେ ରାହୁଲ୍ ଦ୍ୱିତୀୟ ମ୍ୟାଚରେ ଓପନ୍ କରିବେ । ଅନ୍ୟପକ୍ଷରେ ଈଶାନ୍ କିଶନଙ୍କୁ ଟିମରୁ ବାହାରେ ବସିବାକୁ ପଡ଼ିପାରେ । ସୂଚନାଯୋଗ୍ୟ, ରବିବାର ଭାରତ ତା’ର ୧୦୦୦ତମ ଅନ୍ତର୍ଜାତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ପରାସ୍ତ କରିଥିଲା । ଉକ୍ତ ମ୍ୟାଚରେ ଭାରତୀୟ ବୋଲରମାନେ ଦମଦାର ବୋଲିଂ କରି ୱେଷ୍ଟଇଣ୍ଡିଜକୁ ୧୭୬ ରନରେ ଅଲଆଉଟ୍ କରିଦେଇ ଥିଲା । ଜବାବରେ ଭାରତ ମାତ୍ର ୨୮ ଓଭରରେ ୪ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିନେଇ ଥିଲା ।