କେନ୍ଦ୍ର ସରକାର ବଳକା ଉଷୁନା ଚାଉଳ ନ ଉଠାଇବା ପ୍ରତିବାଦରେ ବିଜେଡିର ଧାରଣା
ଭୁବନେଶ୍ୱର: କେନ୍ଦ୍ରସରକାର ଓଡ଼ିଶାର ଚାଷୀକୂଳ ପ୍ରତି କରିଥିବା ଅନ୍ୟାୟ ଓ ପକ୍ଷପାତିତା ଏବଂ ରାଜ୍ୟର ଚାଷୀ ଅମଳ କରିଥିବା ଉଷୁନା ଚାଉଳକୁ ଏଫ୍ସିଆଇ ଉଠାଉନଥିବା ପ୍ରତିବାଦରେ ମଙ୍ଗଳବାର ବାଣୀବିହାର ଏଫସିଆଇ ଅଫିସ୍ ସମ୍ମୁଖରେ ବିଜେଡି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକାରୀ ସଭାପତି ବିରଂଚି ନାରାୟଣ ମହସୂପକାରଙ୍କର ନେତୃତ୍ୱରେ ଆୟୋଜିତ ବିକ୍ଷୋଭ ସମାବେଶରେ ଭୁବନେଶ୍ୱର ନିକଟବର୍ତୀ ପଂଚାୟତ ଏବଂ ଗ୍ରାମରୁ ଶହ ଶହ ଚାଷୀ ଯୋଗଦେଇ କେନ୍ଦ୍ର ସରକାରଙ୍କର ଏଭଳି ଚାଷୀ ମାରଣାନୀତିକୁ ଘୋର ବିରୋଧ କରିଥିଲେ । ଦିନେ ଭୋକର ଭୂଗୋଳ କୁହାଯାଉଥିବା ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ନେତୃତ୍ୱରେ ସାରା ଭାରବର୍ଷରେ ଧାନ ଚାଉଳ ସଂଗ୍ରହରେ ଏକ ବଳକା ରାଜ୍ୟ ଭାବରେ ପରିଗଣିତ ହେଉଛି ବୋଲି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ନିଜର ଅଭିଭାଷଣ ରଖିଥିଲେ ।
ଆଜି ଓଡ଼ିଶା ଏହି ଆର୍ଥିକ ବର୍ଷରେ ୫୦ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ କରିଥିବା ବେଳେ ନିଜ ରାଜ୍ୟ ପାଇଁ ୩୦ଲକ୍ଷ ମେଟ୍ରିକ ଟନ ଚାଉଳ ରଖି ବଳକା ଚାଉଳ ଉଠାଇବା ସଂଘୀୟ ବ୍ୟବସ୍ଥା ଭିତରେ ଅଛି କିନ୍ତୂ କେନ୍ଦ୍ର ସରକାରଙ୍କର ଏଫ୍ସିଆଇ ସଂସ୍ଥା ଜାଣିଶୁଣି ଓଡ଼ିଶାର ବଳକା ଚାଉଳ ନ ଉଠାଇ ଚାଷୀମାନଙ୍କ ପ୍ରତି ଅବିଚାର କରୁଛି ବୋଲି ରାଜ୍ୟସଭା ସାଂସଦ ମୁନ୍ନା ଖାଁ ନିଜର ମତବ୍ୟକ୍ତ କରିଥିଲେ । ଓଡ଼ିଶାର ବିଜେପି ସାଂସଦମାନେ ଓଡ଼ିଶାର ଚାଷୀମାନଙ୍କର ସମସ୍ୟା ଠିକ୍ ଭାବରେ କେନ୍ଦ୍ର ପାଖରେ ଉପସ୍ଥାପନା ନ କରିବା ଯୋଗୁଁ ଆଜି ଓଡ଼ିଶାର ଚାଷୀ ଘୋର ଆର୍ଥିକ ଅନାଟନ ଦେଇ ଗତି କରୁଛି ବୋଲି ଖୋର୍ଦ୍ଧା ଜିଲା ସଭାପତି ବିଭୁତି ବଳବନ୍ତରାୟ ନିଜର ମତ ରଖିଥିଲେ । ବିକ୍ଷୋଭ ସମାବେଶରେ ବିଧାୟକ ଅରବିନ୍ଦ ଢ଼ାଲି, ଓଡ଼ିଶା ମୋ ପରିବାରର ଅଧ୍ୟକ୍ଷ ଅରୂପ ପଟ୍ଟନାୟକ, ବରିଷ୍ଠ ନେତା ରବି ସାମଲ, ସୁବାସ ଚନ୍ଦ୍ର ପାତ୍ର, ଶ୍ରୀମତୀ ସୁଲତା ଦେଓ, କୁନାଲ ରାଉତ, ଯୁବ ସଭାପତି ସମରେଶ ବେଉରା, ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ମହାପାତ୍ର, ଇପ୍ସିତା ସାହୁ, ବରିଷ୍ଠ ଚାଷୀ ନୃସିଂହ ଖାଡ଼ଙ୍ଗା, ବସନ୍ତ ରଥ, ପ୍ରଦୀପ ଦାସ, କେ ଶାନ୍ତି, ହରେକୃଷ୍ଣ ସାହୁ, ହେମନ୍ତ ମହାରଣା, ସନ୍ତୋଷ ନାଥ, ଜ୍ୟେତ୍ସ୍ନା ପରିଡ଼ାଙ୍କ ସହିତ ସମସ୍ତ ପଂଚାୟତରୁ ଆସିଥିବା ଚାଷୀଭାଇମାନେ, ପୂର୍ବତନ କର୍ପୋରେଟର, ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସମସ୍ତ ପଦାଧିକାରୀ ଯୋଗଦେଇ ପ୍ରତିବାଦ ସଭାଟିକୁ ସଫଳ କରିଥିଲେ । ଶେଷରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଜୁ ଜନତା ଦଳର ଏକ ପ୍ରତିନିଧି ମଣ୍ଡଳୀ ଏଫ୍ସିଆଇର ଡେପୁଟି ଜେନେରାଲ ମ୍ୟାନେଜରଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ ।