ଇତିହାସ ରଚିଲେ ଡିୱାଲ୍ଡ ବ୍ରେଭିସ୍, ଏକ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ
ନୂଆଦିଲ୍ଲୀ : ‘ଜୁନିୟର ଡି’ଭିଲିୟର୍ସ’ ନାମରେ ପରିଚିତ ଡିୱାଲ୍ଡ ବ୍ରେଭିସ୍ ଇତିହାସ ରଚିଛନ୍ତି । ଦକ୍ଷିଣ ଆଫ୍ରିକାର ଏହି ଯୁବ ଅଲରାଉଣ୍ଡର ଆଇସିସି ଅଣ୍ଡ-ର୍୧୯ ବିଶ୍ୱକପର କୌଣସି ଏକ ସଂସ୍କରଣରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନ୍ ହୋଇଛନ୍ତି । ଏଥିସହ ସେ ଭାରତର ଓପନିଂ ବ୍ୟାଟର୍ ଶିଖର ଧୱନଙ୍କୁ ପଛରେ ପକାଇ ଦେଇଛନ୍ତି ।
ଗୁରୁବାର ବାଂଲାଦେଶ ବିପକ୍ଷ ସପ୍ତମରୁ ଅଷ୍ଟମ ମ୍ୟାଚରେ ବ୍ରେଭିସ୍ ୧୩୮ ରନର ଶତକୀୟ ଇନିଂସ୍ ଖେଳିଥିଲେ । ଏଥିସହ ଉକ୍ତ ବିଶ୍ୱକପରେ ସେ ମାତ୍ର ୬ ମ୍ୟାଚରେ ୮୪.୩୩ ହାରରେ ୫୦୬ ରନ୍ କରିବାର ରେକର୍ଡ କରିଛନ୍ତି । ସେ ୨ଟି ଶତକ ଓ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି । ଏହାସହ ବ୍ରେଭିସ୍ ବୋଲିଂରେ ମଧ୍ୟ କମାଲ୍ କରି ୭ ୱିକେଟ୍ ହାସଲ କରିନ୍ତି । ତେବେ ପୂରା ଟୁର୍ଣ୍ଣାମେଂଟରେ ବ୍ରେଭିସ୍ ଶ୍ରୀଲଙ୍କା ବିପକ୍ଷରେ ବିଫଳ ହୋଇଥିଲେ, ଯେଉଁଥିରେ ସେ ମାତ୍ର ୬ ରନ୍ କରିଥିଲେ । ଅଣ୍ଡ-ର୍୧୯ ବିଶ୍ୱକପର କୌଣସି ସଂସ୍କରଣରେ ସର୍ବାଧିକ ସ୍କୋରର ରେକର୍ଡ ଏବେ ବ୍ରେଭିସଙ୍କ ନାଁରେ ହୋଇଯାଇଛି । ତାଙ୍କ ପୂର୍ବରୁ ଭାରତ ଶିଖର ଧୱନ୍ ୨୦୦୪ ଅଣ୍ଡ-ର୍୧୯ ବିଶ୍ୱକପରେ ୭ ମ୍ୟାଚ୍ ଖେଳି ୫୦୫ ରନ୍ କରିଥିଲେ, ଯେଉଁଥିରେ ୩ ଶତକ ସାମିଲ୍ ଥିଲା । ସେହିପରି ୧୯୮୮ ବିଶ୍ୱକପରେ ଅଷ୍ଟ୍ରେଲିଆର ବ୍ରେଟ୍ ୱିଲିୟମ୍ସ ୯ ମ୍ୟାଚରେ ୨ ଶତକ ସହ ୪୭୧ ରନ୍, ୨୦୦୨ ବିଶ୍ୱକପରେ ଅଷ୍ଟ୍ରେଲିଆର କାମେରନ୍ ହ୍ୱାଇଟ୍ ୮ ମ୍ୟାଚରେ ୧ ଶତକ ସହ ୪୨୩ ଏବଂ ୨୦୦୨ରେ ୱେଷ୍ଟଇଣ୍ଡିଜର ଡିଜେ ପେଗନ୍ ୭ ମ୍ୟାଚରେ ୧ ଶତକ ସହ ୪୨୧ ରନ୍ କରିଥିଲା ।
ସୂଚନାଯୋଗ୍ୟ, ଆଇପିଏଲ୍ ନିଲାମ ପାଇଁ ବିସିସିଆଇ ନିକଟରେ ୫୯୦ ଜଣିଆ ଚୂଡ଼ାନ୍ତ ତାଲିକା ଜାରି କରିଥିଲେ । ଏଥିରେ ଡିୱାଲ୍ଡ ବ୍ରେଭିସଙ୍କ ନାଁ ସାମିଲ୍ ଅଛି । ଏହି ଦକ୍ଷିଣ ଆଫ୍ରିକା ଖେଳାଳିଙ୍କର ବେସ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଅଣ୍ଡର୍-୧୯ ବିଶ୍ୱକପରେ ଦମଦାର ପ୍ରଦର୍ଶନ ପରେ ବ୍ରେଭିସଙ୍କୁ ନିଲାମରେ ଭଲ ମୂଲ୍ୟ ମିଳିପାରେ ।