ସମସ୍ତ କଳ୍ପନା ଜଳ୍ପନାର ଅନ୍ତ! ୭ରୁ ରାଜ୍ୟରେ ଖୋଲିବ ସ୍କୁଲ ଓ କଲେଜ
ଭୁବନେଶ୍ବର : କରୋନା ଯୋଗୁ ଦୀର୍ଘଦିନ ଧରି ସ୍କୁଲ ବନ୍ଦ ରହିଥିଲା। ଫଳରେ ପାଠପଢ଼ା ବ୍ୟାହତ ହେଉଥିଲା। ରାଜ୍ୟରେ କରୋନା ପରସ୍ଥିତି ନିୟନ୍ତ୍ରଣକୁ ଆସୁଥିବାରୁ ସମସ୍ତ ସ୍କୁଲ, କଲେଜ, ୟୁନିଭର୍ସିଟି ଏବଂ ହଷ୍ଟେଲ ଗୁଡିକ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । କୋଭିଡ୍ କଟକଣାକୁ କଠୋର ଭାବେ ପାଳନ କରାଯାଇ ସ୍କୁଲ ଏବଂ କଲେଜ ଖୋଲିବା ନେଇ ନିଷ୍ପତ୍ତି ହୋଇଛି । ଆସନ୍ତା ୭ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ ଏବଂ କଲେଜ । ଏହା ସହିତ ଶିଶୁ ମାନଙ୍କ ପାଠପଢା ଆଉ ଏକ ସପ୍ତାହ ବିଳମ୍ବରେ ଆରମ୍ଭ କରାଯିବ । କେଜିରୁ ୭ମ ପର୍ଯ୍ୟନ୍ତ ସମସ୍ତ ସ୍କୁଲ ଫେବୃୟାରୀ ୧୪ରୁ ଖୋଲିବ । ଉଭୟ ଅନ୍ଲାଇନ୍ ଏବଂ ଅଫ୍ଲାଇନ୍ରେ ପାଠପଢା ହେବ । ଛାତ୍ରଛାତ୍ରୀ ମାନେ ପସନ୍ଦ ମୁତାବକ ମାଧ୍ୟମ ବାଛିପାରିବେ । ଏ ନେଇ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଗୁରୁବାର ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି।
ସମସ୍ତ ଆଇଟିଆଇ ଏବଂ ଅନ୍ୟାନ୍ୟ ସରକାରୀ ପ୍ରଶିକ୍ଷଣ କେନ୍ଦ୍ର ଗୁଡିକ ମଧ୍ୟ ୭ ତାରିଖରୁ ଖୋଲାଯିବ । ଏହି ସମସ୍ତ ସଂସ୍ଥା ନିଜ ପାଇଁ ଏସଓପି ଚୟନ କରିବେ । ସାମାଜିକ ଦୂରତ୍ୱ ବଦଳରେ ଶାରୀରିକ ଦୂରତ୍ୱକୁ ଗୁରୁତ୍ୱ ଦିଆଯିବ । ପିଲା ମାନେ ଚାହିଁଲେ ଅନଲାଇନ, ଅଫଲାଇନ କିମ୍ବା ହାଇବ୍ରିଡ ମୋଡର ପାଠପଢା ବିକଳ୍ପ ଚୟନ କରିପାରିବେ । କେଜିରୁ ନବମ ଯାଏଁ କ୍ଲାସ ପ୍ରମୋସନ ପରୀକ୍ଷା ହେବାକୁ ଥିବା ବେଳେ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ପାଇଁ ମଧ୍ୟ ସମାନ ପରୀକ୍ଷା ହେବ । ଏହି ଦୁଇଟି ଯାକ ପରୀକ୍ଷା କ୍ଲାସରୁମ୍ ଆସେସମେଣ୍ଟ ମାର୍କ ଆଧାରରେ କରାଯିବ । ନିର୍ଦ୍ଧାରିତ ଶିକ୍ଷା ବୋର୍ଡ ପକ୍ଷରୁ ଦଶମ ଓ ଦ୍ୱାଦଶ ପରୀକ୍ଷା ଅନୁଷ୍ଠିତ କରାଯିବ । କରୋନା ନିୟମ ପାଳନ କରି ଏହି ପରୀକ୍ଷା ଅନୁଷ୍ଠିତ ହେବ । ଏହା ସହିତ ଆଗାମୀ ଦିନରେ ନିୟମିତ ଭାବରେ କ୍ଲାସ କରିବା ପାଇଁ ମୁଖ୍ୟ ଶାସନ ସଚିବ ଘୋଷଣା କରିଛନ୍ତି ।