ବଜେଟ୍-୨୦୨୨ : ଜାଣନ୍ତୁ ଅର୍ଥମନ୍ତ୍ରୀଙ୍କ ୧ ଟଙ୍କାର ଆୟ ଓ ବ୍ୟୟର ହିସାବ
ନୂଆଦିଲ୍ଲୀ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ସଂସଦରେ ୨୦୨୨-୨୩ ଆର୍ଥିକ ବର୍ଷ ନିମନ୍ତେ ବଜେଟ୍ ଉପସ୍ଥାପନ କରିଛନ୍ତି। ସଂସଦରେ ଏହା ତାଙ୍କର ଚତୁର୍ଥ ବଜେଟ୍ ହୋଇଥିବା ବେଳେ କରୋନା କାଳରେ ଦ୍ୱିତୀୟ ବଜେଟ୍। ସୀତାରମଣ ପୂର୍ବାହ୍ନରେ ବଜେଟ୍ ଉପସ୍ଥାପନ କରିଥିଲେ। ଦୀର୍ଘ ଦେଢ ଘଣ୍ଟାର ଅଭିଭାଷଣରେ ଲୋକଙ୍କ ଆଶା ଓ ଆକାଙକ୍ଷା ପୂରଣରେ ବଜେଟ ସହାୟକ ହୋଇପାରିବ ବୋଲି ସେ ଆଶାପୋଷଣ କରିଛନ୍ତି। ପରେ ରାଜ୍ୟସଭାରେ ବଜେଟ୍ ଉପସ୍ଥାପନ କରିବା ସହ ସୀତାରମଣ ୧ ଟଙ୍କାର ଆୟ ଓ ବ୍ୟୟର ବିବରଣୀ ପ୍ରଦାନ କରିଛନ୍ତି। ଜାଣନ୍ତୁ ଏଥର ସରକାରଙ୍କ ପ୍ରାଥମିକତା କ’ଣ?
ଦେଶ ଉପରେ କରୋନା ଭାଇରସ ମହାମାରୀର ପ୍ରକୋପ ଲଗାତାର ଦ୍ୱିତୀୟ ବର୍ଷ ମଧ୍ୟ ଜାରି ରହିଛି। ଦେଶ ଏବେ ତୃତୀୟ ଲହର ଦେଇ ଗତି କରୁଥିବା ବେଳେ ନିର୍ମଳା ସୀତାରମଣ ୨୦୨୨-୨୩ ବର୍ଷ ନିମନ୍ତେ ସଂସଦରେ ୩୯.୪୫ ଲକ୍ଷ କୋଟି ଟଙ୍କାର ବଜେଟ ଉପସ୍ଥାପନ କରିଛନ୍ତି। ଏହି ଲକ୍ଷ ହାସଲ ନିମନ୍ତେ ଋଣ ଓ ନେଣଦେଣ ଉପରେ ସୀତାରମଣଙ୍କ ବଜେଟରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବା ବେଳେ ସେବା ଓ ସାମଗ୍ରୀକର (ଜିଏସଟି), ଆୟକର ଓ କର୍ପୋରେଟ ଟ୍ୟାକ୍ସ ଉପରେ ସରକାର ବିଶେଷ ଭରଶା କରିଛନ୍ତି। ସେହିପରି ବଜେଟ୍ ବ୍ୟୟରେ ଋଣ ବାବଦ ସୁଧ ବାବଦେ ସର୍ବାଧିକ ବ୍ୟୟ ବରାଦ କରିଛନ୍ତି।
ବଜେଟ ବରାଦ ମୁତାବକ ଉଧାର ଏବଂ ଅନ୍ୟ ଉପାୟରେ ୩୫ ପଇସାର ବ୍ୟବସ୍ଥା କରାଯାଇଥିବା ବେଳେ କର୍ପୋରେଟ ଶୁଳ୍କରୁ ୧୫, ଆୟକରରୁ ୧୫, ସୀମା ଶୁଳ୍କ (କଷ୍ଟମ) ବାବଦେ ୫, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ବାବଦେ ୭, ସାମଗ୍ରୀ ଓ ସେବା କର (ଜିଏସଟି) ୧୬, ଅଣ ଶୁଳ୍କ ରାଜସ୍ୱ ବାବଦେ ୫,ଅଣ ଋଣ ପୁଞ୍ଜି ବାବଦେ ୨ ପଇସା ଏହିପରି ଟଙ୍କାକର ଆୟର ନିର୍ଦ୍ଧାରଣ ହୋଇଛି।
୧ ଟଙ୍କାର କେନ୍ଦ୍ରୀୟ ବଜେଟରେ ସିଂହ ଭାଗ ଋଣ ବାବଦ ସୁଧ ଓ ରାଜ୍ୟମାନଙ୍କ ଅଂଶ ବାବଦେ ବ୍ୟୟ ହେଉଥିବା ବେଳେ କେନ୍ଦ୍ରୀୟ ଯୋଜନା ଓ ଅର୍ଥଆୟୋଗ ଓ ଅନ୍ୟ ଅନ୍ତରଣ ଲାଗି ମଧ୍ୟ ବଡ଼ ବ୍ୟୟ ଆକଳନ କରାଯାଇଛି। ଏଥର ବଜେଟ୍ରେ ପ୍ରତିରକ୍ଷାକୁ ବେଶ ଗୁରୁତ୍ୱ ଦିଆଯାଇଥିବା ବେଳେ ଏ ବାବଦେ ମୋଟା ବ୍ୟୟ ବରାଦ ମଧ୍ୟ ରହିଛି। ଏହା ବାଦେ କେନ୍ଦ୍ର ପ୍ରାୟୋଜିତ ଯୋଜନା, ବିଭିନ୍ନ ଆର୍ଥିକ ସହାୟତା ନିମନ୍ତେ ମଧ୍ୟ ବଜେଟ୍ରେ ବ୍ୟବସ୍ଥା ରହିଛି।
ରାଜକୋଷକୁ ଆସୁଥିବା ପ୍ରତି ୧ ଟଙ୍କାରୁ ୮ ପଇସା ପ୍ରତିରକ୍ଷା ବାବଦକୁ ବ୍ୟୟ ଧାର୍ଯ୍ୟ ହୋଇଥିବାବେଳେ ଋଣର ସୁଧ ବାବଦକୁ ୨୦ ପଇସା, ରାଜ୍ୟ ଭାଗ ବାବଦେ ୧୬ ପଇସା, କେନ୍ଦ୍ର ସରକାରଙ୍କ ଆଞ୍ଚଳିକ ଯୋଜନା ଲାଗି ୧୪ ପଇସା, ଅର୍ଥ ଆୟୋଗ ଓ ଅନ୍ୟ ଖର୍ଚକୁ ୧୦ ପଇସା, କେନ୍ଦ୍ର ପ୍ରାୟୋଜିତ ଯୋଜନା ଲାଗି ୯ ପଇସା, ବିଭିନ୍ନ ସବସିଡି ଲାଗି ୮ ପଇସା, ପେନସନ ବାବଦକୁ ୫ ପଇସା , ଅନ୍ୟ ବ୍ୟୟ ବାବଦକୁ ୧୦ ପଇସା ଏହି ପରି ୧ ଟଙ୍କାର ଖର୍ଚ୍ଚ ହିସାବ ଦେଇଛନ୍ତି ନିର୍ମଳା ସୀତାରମଣ।0