ଅଧିନାୟକ ଭାବେ ଯେଉଁ ଲକ୍ଷ୍ୟ ଥିଲା ତାହା ହାସଲ କରିଛି : କୋହଲି
ନୂଆଦିଲ୍ଲୀ : ବିରାଟ କୋହଲି ନିକଟରେ ଟେଷ୍ଟ ଫର୍ମାଟର ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଥିଲେ । ଏହା ପୂର୍ବରୁ ୨୦୨୧ ଡିସେମ୍ବରରେ ତାଙ୍କ ଠାରୁ ଦିନିକିଆ ଅଧିନାୟକ ପଦ ମଧ୍ୟ ଛଡାଇ ନିଆଯାଇଥିଲା । ଦିନିକିଆ ଅଧିନାୟକ ପଦରୁ ହଟାଯିବାର କିଛିଦିନ ପୂର୍ବରୁ ସେ ନିଜ ଆଡୁ ଟି-୨୦ ଫର୍ମାଟ୍ ଅଧିନାୟକ ପଦ ଛାଡିଥିଲେ । ଟି-୨୦ ବିଶ୍ୱକପ ପୂର୍ବରୁ ହିଁ ସେ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିସାରିଥିଲେ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ୍ ୨-୧ରେ ପରାଜୟ ପରେ ହଠାତ୍ ସେ ଟେଷ୍ଟ ଫର୍ମାଟ ଅଧିନାୟକ ପଦ ଛାଡିବା ନେଇ ଘୋଷଣା କରିଥିଲେ । କିନ୍ତୁ ସେ କାହିଁକି ଅଧିନାୟକ ପଦ ଛାଡିଲେ ସେ ନେଇ ସେତେବେଳେ କୌଣସି ସୂଚନା ଦେଇନଥିଲେ । ଏବେ ସେ ନିଜେ ଏହାର ଖୁଲାସା କରି କହିଛନ୍ତି ଯେ, କାହିଁକି ଅଧିନାୟକ ଭାବେ ରହିବାକୁ ଚାହୁଁ ନାହାନ୍ତି ।
ଭାରତୀୟ କ୍ରିକଟରେ କୋହଲିଙ୍କ ଆବିର୍ଭାବ ଦିନଠାରୁ ହିଁ ସେ ନିଜର ଏକ ସ୍ୱତନ୍ତ୍ର ପରିଚୟ ତିଆରି କରିବାକୁ ବ୍ୟଗ୍ର ଥିଲେ । ଏଥିରେ ଅନେକ ମାତ୍ରାରେ ସେ ସଫଳ ମଧ୍ୟ ହୋଇଛନ୍ତି । ୩୩ ବର୍ଷୀୟ କୋହଲି କହିଛନ୍ତି, ‘ଅଧିନାୟକ ଭାବେ ଯେଉଁ ଲକ୍ଷ୍ୟ ଥିଲା ତାହା ହାସଲ କରିଛି । ଏବେ ଅଧିନାୟକ ଭାବେ ନୁହେଁ ବରଂ ଜଣେ ଦାୟିତ୍ୱବାନ୍ ବ୍ୟାଟର୍ ଭାବେ ଦଳକୁ ମୋର ଆବଶ୍ୟକତା ଅଧିକ ରହିଛି । ସେଥିପାଇଁ ମୁଁ ଅଧିନାୟକ ପଦ ଛାଡିଛି । ଦଳର ନିର୍ଭରଯୋଗ୍ୟ ବ୍ୟାଟର୍ ଭାବେ ଆହୁରି ଅନେକ ଭୂମିକା ବାକି ରହିଛି । ଯାହାକୁ କି ହାସଲ କରିବାକୁ ହେବ । ଟିମ୍ ଲିଡର୍ ହେବାକୁ ହେଲେ ଅଧିନାୟକ ହେବା ନିହାତି ଜରୁରୀ ନୁହେଁ ।’
କୋହଲି ଆହୁରି ମଧ୍ୟ କହିଛନ୍ତି, ‘ଯେତେବେଳେ ଏମ୍ଏସ୍ ଧୋନୀ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ ସେତେବେଳେ ମଧ୍ୟ ସେ ଦଳର ଅଂଶ ଥିଲେ । ଅଧିନାୟକ ପଦ ଛାଡିବା ପରେ ବି ସେ ଟିମ୍? ଲିଡର ଥିଲେ । ଆମକୁ ଅନେକ ସମୟରେ ସେ ରାସ୍ତା ଦେଖାଉଥିଲେ । ମୁଁ ଯେତେବେଳେ ଅଧିନାୟକ ହେଲି ପ୍ରଥମ ଲକ୍ଷ୍ୟ ଥିଲା ଟିମ୍ର କଲଚର୍ ବଦଳାଇବା । କାରଣ ଭାରତରେ ଟ୍ୟାଲେଂଟ କମ୍ ନଥିଲା । ବିଶ୍ୱର ଏଭଳି ମାତ୍ର କିଛି ଦେଶ ଥିବ ଯେଉଁଠାରେ କି ପ୍ରତିଭା ଅଧିକ ମାତ୍ରାରେ ଥିବେ । ଯେଉଁଠିକି ଭାରତରେ ଅନେକ ପ୍ରତିଭା ଥିଲେ । ସେତେବେଳେ ସେମାନଙ୍କୁ ଦଳରେ ସାମିଲ କରାଇ ଟିମ୍କୁ ଆହୁରି ମଜବୁତ କରାଇବା ଆଉ ଏକ ଲକ୍ଷ୍ୟ ଥିଲା । ଯାହାକି ପରେ ସଫଳ ହୋଇଥିଲା ।’