ବାଲେଶ୍ୱର : ୨୫ କିଲୋ ଗଞ୍ଜେଇ ଜବତ, ୨ ଗିରଫ
ବାଲେଶ୍ୱର : ବାଲେଶ୍ୱର ଜିଲା ଅବକାରୀ ବିଭାଗ ପକ୍ଷରୁ ସହଦେବଖୁଣ୍ଟା ସ୍ଥିତ ବସ୍ଷ୍ଟାଣ୍ଡ ଓ ବସ୍ତା ରେଳ ଷ୍ଟେସନରୁ ଚଢ଼ାଉ କରାଯାଇ ୨୫ କଲୋ ଗଞ୍ଜେଇ ସହ ଦୁଇଜଣଙ୍କୁ ଗିରଫ କରାଯାଇଥିବାର ଜଣାଯାଇଛି । ଏନେଇ ଜିଲା ଭ୍ରାମ୍ୟମାଣ ଅବକାରୀ ଥାନା ମାମଲା (ନଂ. ୧୫୪ ।୨୧-୨୨) ଓ ବସ୍ତା ଅବକାରୀ ଥାନା (ନଂ. ୯୦ ।୨୧-୨୨) ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଅବକାରୀ ଡେପୁଟୀ କମିଶନର ଅଶୋକ କୁମାର ଶତପଥୀ ସୂଚନା ଦେଇଛନ୍ତି ।
ଦୀର୍ଘଦିନ ଧରି ଗଞ୍ଜାମ, ବ୍ରହ୍ମପୁର ଅଞ୍ଚଳରୁ ଭୁବନେଶ୍ୱର ଦେଇ ରେଳ, ବସ୍ ଏବଂ ୪ଚକିଆ ଗାଡ଼ିରେ ଗଞ୍ଜେଇ ବାଲେଶ୍ୱର ସମେତ ପଶ୍ଚିମବଙ୍ଗକୁ ଚାଲାଣ କରାଯାଉଥିବାର ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିବା ସହ ପେଟ୍ରୋଲିଂ ଜାରି ରଖିଛି । ସୋମବାର ବିଶେଷ ସୂତ୍ରରୁ ଖବରପାଇ ଡେପୁଟୀ ସୁପରିଟେଣ୍ଡେଣ୍ଟ ସୁଶାନ୍ତ ପାଢ଼ୀ, ସଦର ଇନ୍ସପେକ୍ଟର ପ୍ରବୀର କୁମାର ପ୍ରଧାନ, ନୀଳଗିରି ଇନ୍ସପେକ୍ଟର ନାରାୟଣ ବେହେରା, ସଦର ଓଆଇସି ବାଳକ ବିସି, ଭ୍ରାମ୍ୟମାଣ ଅବକାରୀ ଥାନା ଅଧିକାରୀ ଗାଲୁରାମ ସୋରେନ, ଓ ସବ୍ ଇନ୍ସପେକ୍ଟର ଭଗବାନ ମହାନନ୍ଦିଆ ପ୍ରମୁଖ ଚଢ଼ାଉ କରିଥିଲେ । ସହଦେବଖୁଣ୍ଟା ବସ୍ଷ୍ଟାଣ୍ଡରୁ ସୌରଭ ମଲ୍ଲା (୨୪)ଙ୍କ ନିକଟରୁ ୧୫କେଜି ଓ ବସ୍ତା ରେଳ ଷ୍ଟେସନରୁ ଜୁଲଫିକର ମଲ୍ଲା (୩୯)ଙ୍କ ନିକଟରୁ ୧୦କେଜି ଗଞ୍ଜେଇ ଜବତ କରାଯିବା ସହ ଉଭୟଙ୍କୁ ଗିରଫ କରାଯାଇଛି । ଉଭୟ ପଶ୍ଚିମବଙ୍ଗ ରାଜ୍ୟ ମୁର୍ସିଦାବାଦ ଜିଲା ଜଳାଙ୍ଗୀ ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି । ସେହିପରି ପୋଲିସ, ଅବକାରୀ ଓ ବନବିଭାଗ ପକ୍ଷରୁ ମିଳିତ ଭାବେ ରେମୁଣା ଥାନା ଅନ୍ତର୍ଗତ ମନ୍ଦାରପୁର ସ୍ଥିତ ଗ୍ରାମ୍ୟ ଜଙ୍ଗଲରେ ଚଢ଼ାଉ କରାଯାଇ ୩ହଜାର ଲିଟର ପୋଚକୁ ନଷ୍ଟ କରାଯିବା ସହ ୪୪୭ ଲିଟର ଦେଶୀ ମଦ ଓ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ଜବତ କରାଯାଇଛି । ଏନେଇ ୬ଟି ମାମଲା ରୁଜୁ କରାଯିବା ସହ ୪ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।