ଆଜି ଅନୁଷ୍ଠିତ ହେବ ଭାରତ ଓ କେନ୍ଦ୍ର-ଏସୀୟ ରାଷ୍ଟ୍ର ସମୂହ ସମ୍ମିଳନୀ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି (ଗୁରୁବାର) ଅନୁଷ୍ଠିତ ହେବାକୁ ଯାଉଛି ଭାରତ ଓ କେନ୍ଦ୍ର-ଏସୀୟ ରାଷ୍ଟ୍ର ସମୂହ ସମ୍ମିଳନୀ। ଆୟୋଜିତ ହେବାକୁ ଥିବା ଶିଖର ସମ୍ମିଳନୀରେ ଭାରତ ସହ କେନ୍ଦ୍ର-ଏସିଆର ରାଷ୍ଟ୍ରଙ୍କ ମଧ୍ୟରେ ଦ୍ବିପାକ୍ଷିକ ସମ୍ପର୍କର ସୁଦୃଢୀକରଣ ଉପରେ ଗୁରୁତ୍ବାରୋପ କରାଯିବ।
ଆଲୋଚନାରେ ସୁରକ୍ଷା ଓ ସାମରିକ ସହଯୋଗ ବ୍ୟତୀତ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ବିଷୟ ମଧ୍ୟ ସ୍ଥାନ ପାଇବ। ବର୍ତ୍ତମାନ ଆଫଗାନିସ୍ତାନ ପ୍ରସଙ୍ଗ ସମଗ୍ର ବିଶ୍ବବାସୀଙ୍କ ଚିନ୍ତା ବଢାଇଥିବା ବେଳେ କେନ୍ଦ୍ର-ଏସୀୟ ରାଷ୍ଟ୍ରାମାନେ ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ତେଣୁ ଭାରତ ଉକ୍ତ ରାଷ୍ଟ୍ରମାନଙ୍କ ସହ ଆଫଗାନିସ୍ତାନ ସମସ୍ୟା ଉପରେ ଆଲୋଚନା କରିବ। ସେହିପରି କେନ୍ଦ୍ର-ଏସୀୟ କ୍ଷେତ୍ରରେ ବାଣିଜ୍ୟ ଏବଂ ସଂଯୋଗୀକରଣ, ବିକାଶ ସହଭାଗୀତା ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ଏହି ସମ୍ମିଳନୀରେ କେନ୍ଦ୍ର-ଏସୀୟ ଦେଶଗୁଡିକର ରାଷ୍ଟ୍ରମୁଖ୍ୟମାନେ ଯୋଗଦେବେ।
କେନ୍ଦ୍ର-ଏସିଆର ଅନେକ ଦେଶ ସହିତ ଭାରତର ଦ୍ୱିପାକ୍ଷିକ ସମ୍ପର୍କ ଭଲ ରହିଛି । ମଧ୍ୟ ଭାରତ-କାଜାଖସ୍ତାନର ବାଣିଜ୍ୟ ସର୍ବାଧିକ ସ୍ତରରେ ରହିଛି। ୨୦୨୦-୨୧ ମଧ୍ୟରେ ଦୁଇ ଦେଶ ମଧ୍ୟରେ ୧.୯ ବିଲିୟନ ଡ଼ଲାର ବିନିମୟରେ ତୈଳ ଆମଦାନୀ ସମେତ ଏକାଧିକ ଚୁକ୍ତି ସ୍ବାକ୍ଷରିତ ହୋଇଛି। ସେହିପରି ଅନ୍ୟ ରାଷ୍ଟ୍ରମାନଙ୍କ ସହ ମଧ୍ୟ ଭାରତ ତାର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି କରିବା ସହ ବୈଣିଜ୍ୟ ବଢାଇବା ନେଇ ମଧ୍ୟ ପ୍ରୟାସ ଜାରି ରଖିଛି। ଚଳିତ ସାଧାରଣତନ୍ତ୍ର ଦିବସରେ କେନ୍ଦ୍ର-ଏସୀୟ ରାଷ୍ଟ୍ରମୁଖ୍ୟମାନେ ଅତିଥି ଭାବେ ସାମିଲ ହୋଇଥିଲେ। ତେବେ ଆଜି ସେମାନେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଭାରତ-କେନ୍ଦ୍ର ଏସୀୟ ରାଷ୍ଟ୍ର ସମ୍ମିଳନୀରେ ଅଂଶଗ୍ରହଣ କରିବେ।