ପୁଣି ଥରେ ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବାଇଡେନ ଓ ଜନସନଙ୍କ ସମେତ ୧୩ ପ୍ରମୁଖ ରାଷ୍ଟ୍ର ନେତାଙ୍କୁ ପଛରେ ପକାଇଲେ
ନୂଆଦିଲ୍ଲୀ : ବିଶ୍ୱର ବଡ଼ ବଡ଼ ନେତଙ୍କୁ ପଛରେ ପକାଇ ପୁଣି ଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱର ସବୁଠାରୁ ଲୋକପ୍ରିୟ ନେତା ଭାବରେ ନିର୍ବାଚିତ ହୋଇଛନ୍ତି । ଆମେରିକାର ଡାଟା ଇଣ୍ଟେଲିଜେନ୍ସ ଫାର୍ମ ‘ଦି ମର୍ନିଂ କନ୍ସଲ୍ଟ’ ଦ୍ୱାରା କରାଯାଇଥିବା ଏକ ସର୍ଭେ ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସମେତ ଦୁନିଆର ୧୩ ପ୍ରମୁଖ ରାଷ୍ଟ୍ର ନେତାଙ୍କୁ ପଛରେ ପକାଇଛନ୍ତି ।
ସର୍ଭେରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅପ୍ରୁଭଲ ରେଟିଂ ହେଉଛି ୭୧ ପ୍ରତିଶତ । ଜାନୁଆରୀ ୧୩ରୁ ୧୯ ମଧ୍ୟରେ ହୋଇଥିବା ଏହି ସର୍ଭେରେ ଭାରତୀୟ ପ୍ରଧାନମନ୍ତ୍ରୀ ବିଶ୍ୱର ଅନେକ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କଠାରୁ ବହୁତ ଆଗରେ ଅଛନ୍ତି । ଲୋକପ୍ରିୟତା ଗ୍ରାଫରେ ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେ ମାନୁଏଲ ଲୋପେଜ ଓବ୍ରାଡୋର, ଇଟାଲୀର ପ୍ରଧାନମନ୍ତ୍ରୀ ମାରିଓ ଡ୍ରାଗି, ଜର୍ମାନ ଚାନ୍ସେଲର ଓଲାଫ ସ୍କୋଲଜ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସମେତ ପିଏମ ମୋଦି ଅନେକ ବଡ ନେତାଙ୍କୁ ପଛରେ ଛାଡିଛନ୍ତି । ଏହି ସର୍ଭେରେ ଆମେରିକାର ରାଷ୍ଟ୍ରପତି ଷଷ୍ଠ ସ୍ଥାନରେ ଓ ବ୍ରିଟେନ ପ୍ରଧାନମନ୍ତ୍ରୀ ୧୩ ତମ ସ୍ଥାନରେ ଅଛନ୍ତି ।
ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି- ୭୧ ପ୍ରତିଶତ, ମେକ୍ସିକୋର ରାଷ୍ଟ୍ରପତି ଲୋପେଜ୍ ଓବ୍ରାଡୋର – ୬୬ ପ୍ରତିଶତ, ଇଟାଲୀର ପ୍ରଧାନମନ୍ତ୍ରୀ ମାରିଆ ଡ୍ରାଗି – ୬୦ ପ୍ରତିଶତ, ଜାପାନର ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା – ୪୮ ପ୍ରତିଶତ, ଜର୍ମାନ ଚାନସେଲର ଓଲାଫ ସ୍କୋଲଜ – ୪୪ ପ୍ରତିଶତ, ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ – ୪୩ ପ୍ରତିଶତ, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ – ୪୩ ପ୍ରତିଶତ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ସ୍କଟ ମୋରିସନ୍ – ୪୧ ପ୍ରତିଶତ, ସ୍ପେନର ରାଷ୍ଟ୍ରପତି ପେଡ୍ରୋ ସାନେଜ୍ – ୪୦ ପ୍ରତିଶତ, କୋରିଆ ରାଷ୍ଟ୍ରପତି ମୁନ୍ ଜେ-ଇ – ୪୦ ପ୍ରତିଶତ ।
ସୂଚନା ଯେ, ଆମେରିକୀୟ ଡାଟା ଇଣ୍ଟେଲିଜେନ୍ସ ଫାର୍ମ ମର୍ନିଂ କନ୍ସଲ୍ଟ ପ୍ରତ୍ୟେକ ଦେଶର ବୟସ୍କମାନଙ୍କୁ ସର୍ଭେ କରି ଏହି ରାଙ୍କିଙ୍ଗ୍ ପ୍ରସ୍ତୁତ କରେ । ନଭେମ୍ବରରେ କରାଯାଇଥିବା ଶେଷ ସର୍ଭେରେ ମଧ୍ୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତା ସର୍ବାଧିକ ଥିଲା ।