ବାଲେଶ୍ଵର : ଗୋଟିଏ ପରେ ଗୋଟିଏ ଫାଟିଲା ଗ୍ୟାସ ଟାଙ୍କି
- ଜଳିଗଲା ୬ ବଖରା, ଅଳ୍ପକେ ବର୍ତିଲେ ୩
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲା ଆମ୍ବୁଡ଼ିହା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ। ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗି ୩ଟି ପରିବାରର ଜଳିଗଲା ୬ ବଖରା ଘର। ଘରେ ଥିବା ୬ ଟି ଗ୍ୟାସ ଟାଙ୍କିରୁ ତିନୋଟି ଫାଟି ଯାଇଥିବାରୁ ଅଗ୍ନିକାଣ୍ଡ ଆହୁରି ଭୟାବହ ହୋଇଥିଲା। ତେବେ ଘଟଣାସ୍ଥଳରେ ନୀଳଗିରି ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି।
ଆମ୍ବୁଡ଼ିହା ଅଞ୍ଚଳର ଅରୁଣ କୁମାର ମଲ୍ଲିକ, ବିଜୟ କୁମାର ମଲ୍ଲିକ, ସୁଶାନ୍ତ କୁମାର ମଲ୍ଲିକ ତିନି ଭାଇଙ୍କ ଘରେ ଶୁକ୍ରବାର ମଧ୍ୟରାତ୍ରୀରେ ନିଆଁ ଲାଗିଛି। ତିନୋଟି ପରିବାରର ୬ ବଖରା ଘର ଜଳିପୋଡି ଛାରଖାର ହୋଇଯାଇଛି। ନିଆଁ ଲାଗିବା କ୍ଷଣି ତିନୋଟି ପରିବାରର ଲୋକମାନେ ଘରୁ ବାହାରକୁ ପଳାଇ ଆସିଥିଲେ। ନିଆଁ ଲାଗି ଘରେ ଥିବା ୬ ଟି ଗ୍ୟାସ ଟାଙ୍କିରୁ ତିନୋଟି ଟାଙ୍କି ଫାଟି ଯାଇଥିଲା। ଫଳରେ ନିଆଁ ଆହୁରି ଅଧିକ ବ୍ୟାପି ଯାଇଥିଲା। ଗ୍ୟାସ ଟାଙ୍କି ଫାଟିବା କାରଣରୁ ଅଞ୍ଚଳବାସୀ ଆତଙ୍କିତ ହୋଇପଡିଥିଲେ। ତେବେ ଘରେ ଥିବା ଲକ୍ଷାଧିକ ଟଙ୍କାର ସୁନା, ଗହଣା, ଧାନ, ଚାଉଳ, ଓ ଅନ୍ୟାନ୍ୟ ଆସବାବପତ୍ର ଜଳିପୋଡି ପାଉଁଶ ହୋଇଯାଇଛି। ସୂଚନା ପାଇ ନୀଳଗିରି ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନାହାଁନ୍ତି।