ଜାନୁଆରୀ ୨୬ରେ ପ୍ରଧାନମନ୍ତ୍ରୀଙ୍କ ଉପରେ ହୋଇପାରେ ଆକ୍ରମଣ, ସତର୍କ କରାଇଲା ଗୁଇନ୍ଦା ବିଭାଗ
ନୂଆଦିଲ୍ଲୀ: ଆଗକୁ ଆସୁଛି ଜାନୁଆରୀ ୨୬ । ଗଣତନ୍ତ୍ର ଦିବସରେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ ହୋଇପାରେ । ଏନେଇ ସତର୍କ କରିଛି ଗୁଇନ୍ଦା ବିଭାଗ । ଜାନୁଆରୀ ୨୬ରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ପାଇଛି । ଚଳିତବର୍ଷ ଗଣତନ୍ତ୍ର ଦିବସରେ ପାଞ୍ଚଟି ଦେଶ କାଜାଖସ୍ତାନ, କିର୍ଗିଜସ୍ଥାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଏବଂ ଉଜବେକିସ୍ତାନର ନେତାମାନେ ମୁଖ୍ୟ ଅତିଥି ଭାବରେ ଆମନ୍ତ୍ରିତ ହେବାର ସମ୍ଭାବନା ଅଛି ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ଜୀବନ ପ୍ରତି ବିପଦ ଥିବା ନେଇ ଗୁଇନ୍ଦା ସଂସ୍ଥା ଏକ ସତର୍କ ସୂଚନା ପାଇଛି । ଡ୍ରୋନ ସାହାଯ୍ୟରେ ସେମାନେ ଆକ୍ରମଣ କରିପାରନ୍ତି ବୋଲି ଆଶଙ୍କା କରାଯାଉଛି । ପାକିସ୍ତାନ ଅଥବା ଆଫଗାନିସ୍ତାନ-ପାକିସ୍ତାନରେ ସକ୍ରିୟ ଥିବା ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣର ଷଡଯନ୍ତ୍ର କରୁଥିବା ବେଳେ ଜନଗହଳି ଥିବା ସ୍ଥାନକୁ ସେମାନେ ଟାର୍ଗେଟ୍ କରିଛନ୍ତି ବୋଲି ତଥ୍ୟ ହସ୍ତଗତ ହୋଇଛି ।