ଗଙ୍ଗାସାଗରରେ ୫ଲକ୍ଷରୁ ଉର୍ଦ୍ଧ୍ୱ ପୁଣ୍ୟାର୍ଥୀଙ୍କ ମକରବୁଡ଼
ବିଶ୍ୱ କରୋନା ମୁକ୍ତ ପାଇଁ ଜଗନ୍ନାଥଙ୍କୁ ଆରାଧନା କଲେ ଶଙ୍କରାଚାର୍ଯ୍ୟ
କଲକାତା : ପଶ୍ଚିମବଙ୍ଗ ସାଗରଦ୍ୱୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ମକର ସଂକ୍ରାନ୍ତି ଅବସରରେ ଶୁକ୍ରବାର ନିଶିବସାନ ମହେନ୍ଦ୍ର ବେଳାରେ ୫ଲକ୍ଷରୁ ଉର୍ଦ୍ଧ୍ୱ ପୁଣ୍ୟାର୍ଥୀ ସମୁଦ୍ରରେ ମକରବୁଡ଼ ଦେଇଛନ୍ତି । କଲକାତା ହାଇକୋର୍ଟରେ କୋଭିଡ୍ କଟକଣା ନିର୍ଦ୍ଦେଶ ଅନୁଯାୟୀ ଲକ୍ଷାଧିକ ତୀର୍ଥଯାତ୍ରୀ ଗଙ୍ଗାସାଗର ସ୍ନାନ କରି ପ୍ରସିଦ୍ଧ କପିଳମୁନି ମନ୍ଦିରରେ ପୂଜା ଅର୍ଚ୍ଚନା କରି ଘରବାହୁଡ଼ା ହୋଇଛନ୍ତି । କରୋନାର ତୃତୀୟ ଲହର ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଓଡ଼ିଶାର ତୀର୍ଥଯାତ୍ରୀଙ୍କ ସଂଖ୍ୟା ନଗଣ୍ୟ ଥିବାର ଆକଳନ କରାଯାଇଛି । ପୁରୀ ଗୋବର୍ଦ୍ଧନ ପୀଠର ଜଗତ୍ଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମକରବୁଡ଼ ଦେବା ଲାଗି ଆଦିତ୍ୟ ବାହିନୀ ସହିତ ବହୁ ସାଧୁସନ୍ଥଙ୍କ ଗହଣରେ ଗଙ୍ଗାମା’କୁ ପୂଜା କରିବା ସହିତ ସାରା ବିଶ୍ୱ କରୋନା ମୁକ୍ତ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ଠାରେ ଆରାଧନା କରିଛନ୍ତି ।
ଗଙ୍ଗାସାଗରରେ ତିନି, ଚାରି ଓ ପାଞ୍ଚ ନମ୍ବର ରାସ୍ତାରେ ଲକ୍ଷାଧିକ ପୁଣ୍ୟାର୍ଥୀ କପିଳମୁନି ମନ୍ଦିରରେ ପୂଜାର୍ଚ୍ଚନା ଲାଗି ଲମ୍ବାଧାଡ଼ି ସହ କୋଭିଡ୍ ଗାଇଡ୍ଲାଇନ୍ ଅନୁଯାୟୀ ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ମନ୍ଦିରକୁ ଛଡ଼ା ଯାଇଥିଲା । କପିଳମୁନି ମନ୍ଦିର ପାଶ୍ୱର୍ରେ ବହୁ ନାଗା ସନ୍ୟାସୀ ପୂର୍ବବର୍ଷ ଭଳି ଭିନ୍ନ ଢ଼ଙ୍ଗରେ ଶ୍ରଦ୍ଧାଳୁଙ୍କୁ ଆଶୀର୍ବାଦ ପ୍ରଦାନ କରିଥିବା ବେଳେ ଅତି ରଞ୍ଜିତ କୌଣସି ପଦକ୍ଷେପ ନେଇନଥିଲେ । କଲକାତା ହାଇକୋର୍ଟର ଦୁଇଟି ଟିମ୍ କୋଭିଡ୍ ନିୟମ ସଠିକ୍ ଭାବେ କାର୍ଯ୍ୟକାରୀ ହେଉଛି କି ନାହିଁ ତାହା ମେଳା ତଦାରଖ କରିଥିଲେ । କଡ଼ା ନିରାପତ୍ତା ମଧ୍ୟରେ ସାଗରମେଳା ପରିଚାଳନା ହେଉଥିବା ବେଳେ କୋଭିଡ୍ ସଂକ୍ରମିତଙ୍କୁ ମେଳାର ସ୍ୱତନ୍ତ୍ର ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା କରାଯାଉଛି । ମକରବୁଡ଼ ଦେବା ଲାଗି ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଉମାଭାରତୀ ସହ ପଶ୍ଚିମବଙ୍ଗର ବହୁମନ୍ତ୍ରୀ, ଭିନ୍ନ ରାଜ୍ୟର ଭିଆଇପିମାନେ ଆସିଥିବାର ଜିଲା ଶାସକ ପି. ଉଲ୍ଗାନାଥନ୍ ଧରିତ୍ରୀକୁ ସୂଚନା ଦେଇଛନ୍ତି । ଅପରପକ୍ଷରେ ମକର ସଂକ୍ରାନ୍ତିରେ ବାଲେଶ୍ୱର ସମୁଦ୍ରକୂଳ କୋଭିଡ୍ କଟକଣା ଲାଗୁ ହୋଇଥିବାରୁ ସମୁଠି ଜନଶୂନ୍ୟ ହୋଇ ମକର ଉତ୍ସବ ଫିକା ପଡ଼ିଛି ।