ଆଜି ୫ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ
ନୂଆଦିଲ୍ଲୀ : ଆଜି ୫ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହ ସମୀକ୍ଷା ବୈଠକ କରିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ । ଏହି କେନ୍ଦ୍ର-ରାଜ୍ୟ ସମୀକ୍ଷା ବୈଠକ ଭର୍ଚ୍ଚୁଆଲି ଅନୁଷ୍ଠିତ ହେବ । ଏହି ସମୀକ୍ଷା ବୈଠକରେ ସାମିଲ ହେବାକୁ ଥିବା ରାଜ୍ୟମାନଙ୍କ ମଧ୍ୟରେ ମହାରାଷ୍ଟ୍ର, ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ, ଗୁଜୁରାଟ ଥିବାବେଳେ କେନ୍ଦ୍ର ଶାସିତ ଅଞ୍ଚଳ ଦାଦ୍ରା ନାଗର ହାବେଳି ଏବଂ ଦାମନ ଡିୟୁ ରହିଥିବା ସୂତ୍ରରୁ ଜଣାପଡିଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଦେଶର କୋଭିଡ ସ୍ଥିତି, ସ୍ୱାସ୍ଥ୍ୟ ଭିତ୍ତିଭୂମି ତଥା ଜରୁରୀ ସାମଗ୍ରୀର ଉପଲବ୍ଧତା ସମ୍ପର୍କରେ ସମୀକ୍ଷା କରିଥିଲେ । ସେହିପରି ଦେଶରେ ଜାରି ରହିଥିବା ଟିକାକରଣ ଅଭିଯାନର ବର୍ତ୍ତମାନ ସ୍ଥିତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ଏହି ସମୀକ୍ଷା ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ ଭାରତୀ ପ୍ରବୀଣ ପାୱାର, ନିତି ଆୟୋଗ ମୁଖ୍ୟ ଡ. ଭିକେ ପାଲ, କ୍ୟାବିନେଟ ସଚିବ ରାଜୀବ ଗୌବା, ଗୃହ ସଚିବ ଅଜୟ କୁମାର ଭଲା ପ୍ରମୁଖ ଭର୍ଚ୍ଚୁଆଲି ସାମିଲ ହୋଇଥିଲେ ।
ଭାରତରେ ସଂକ୍ରମଣ ବଢିବା ସହ ଏହି ହାରରେ ବୃଦ୍ଧି ଘଟି ୧୦.୨୧ ପ୍ରତିଶତରେ ପହଞ୍ଚିଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ସେହିପରି ସମଗ୍ର ଦେଶରେ ଓମିକ୍ରମ ସଂକ୍ରମଣ ମଧ୍ୟ ୩,୬୨୩ ରେ ପହଞ୍ଚିଛି । ଓମିକ୍ରନ ସଂକ୍ରମଣ କ୍ଷେତ୍ରରେ ମହାରାଷ୍ଟ୍ର ୧,୦୦୯ ମାମଲା ସହିତ ତାଲିକାରେ ଶୀର୍ଷରେ ଥିବାବେଳେ ଦିଲ୍ଲୀ ୫୧୩ ଆକ୍ରାନ୍ତ ସହ ଦ୍ବିତୀୟ ଓ କର୍ଣ୍ଣାଟକ ୪୪୧ ଆକ୍ରାନ୍ତଙ୍କ ସହ ତୃତୀୟ ସ୍ଥାନରେ ରହିଛି ।