ଦେଶରେ କରୋନା ବିସ୍ଫୋରଣ ! ଆଉ ୧,୫୯,୬୩୨ ସଂକ୍ରମିତ ଚିହ୍ନଟ ଓ ୩୨୭ ମୃତ
ନୂଆଦିଲ୍ଲୀ : ଦେଶରେ ହୁ ହୁ ହୋଇ ବୃଦ୍ଧି ପାଉଛି କରୋନା ସଂକ୍ରମଣ। ବୋଲ ମାନୁନି କରୋନା । ବଢ଼ି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ମୃତ୍ୟୁସଂଖ୍ୟାରେ ବି ଲାଗୁନି ବ୍ରେକ୍ । ୪ ଲକ୍ଷ ଟ୍ରେଣ୍ଡ୍ ପରେ ଦୈନିକ ଆକ୍ରାନ୍ତ ସଂଖ୍ୟା ୨ ଲକ୍ଷ ଓ ପରେ ୫୦ ହଜାର ତଳେ ଥିଲା ବେଳେ ଏବେ ସଂକ୍ରମଣ ପୁଣି ଦେଢ ଲକ୍ଷ ଟପିଛି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଦେଶରେ ରବିବାର ଗତ ୨୪ ଘଣ୍ଟା ମଧ୍ୟରେ ୧,୫୯,୬୩୨ କରୋନାଭାଇରସ୍ଜନିତ ନୂତନ ସଂକ୍ରମଣ ଓ ୩୨୭ମୃତ୍ୟୁ ରେକର୍ଡ କରାଯାଇଛି। ଶନିବାର ଠାରୁ ଆଜିର ସଂକ୍ରମଣ ହାର ୨୧.୩% ଅଧିକ ରହିଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୩,୫୫,୨୮,୦୦୪ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ ହୋଇଥିବା ୩୨୭ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍-୧୯ଜନିତ ମୃତ୍ୟୁସଂଖ୍ୟା ୪,୮୩,୭୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୪୦,୮୬୩ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୩,୪୪,୫୩,୬୦୩। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୫,୯୦,୬୧୧। ସେହିପରି ଦେଶରେ ସମୁଦାୟ ‘ଓମିକ୍ରନ୍’ ସଂକ୍ରମଣ ସଂଖ୍ୟା ମଧ୍ୟ ୩,୬୨୩ରେ ପହଞ୍ଚିଛି।
ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତଥ୍ୟ ଅନୁସାରେ, ଗତ ଶନିବାର ସନ୍ଧ୍ୟା ୬ଟା ସୁଦ୍ଧା ସମୁଦାୟ ୧,୫୧,୫୭,୬୦,୬୪୫ ହିତାଧିକାରୀଙ୍କୁ ଟିକା ଦିଆଯାଇଛି। ‘ଆଇସିଏମ୍ଆର୍’ ରିପୋର୍ଟ ଅନୁସାରେ, କୋଭିଡ୍-୧୯ ନିଦାନ ଲାଗି ଗତକାଲି ସୁଦ୍ଧା ସମୁଦାୟ ୬୯,୦୦,୩୪,୫୨୫ଟି ନମୁନା ପରୀକ୍ଷା କରାଯାଇଛି। ଗତକାଲି ପରୀକ୍ଷା କରାଯାଇଛି ୧୫,୬୩,୫୬୬ଟି ନମୁନା। ଦେଶରେ ଦୈନିକ ପଜିଟିଭିଟି ହାର ୧୦.୨୧% ରହୁଛି।