ପରଲୋକରେ ଓସ୍କାର୍ ବିଜେତା ପ୍ରଥମ କୃଷ୍ଣକାୟ ସିନେ ତାରକା ସିଡନୀ ପୋଟିଅର୍
ୱାଶିଂଟନ୍: ହଲିଉଡ୍ର ଓସ୍କାର୍ ବିଜେତା ପ୍ରଥମ ବିଶିଷ୍ଟ ଓ ଲୋକପ୍ରିୟ କୃଷ୍ଣକାୟ ସିନେ ତାରକା ସିଡ୍ନୀ ପୋଟିଅରଙ୍କର ୯୪ ବର୍ଷ ବୟସରେ ପରଲୋକ ହୋଇଛି। ୧୯୫୦ ଏବଂ ୧୯୬୦ ଦଶକରେ ସେ ଅତ୍ୟାଧୁନିକ ତଥା ବିପ୍ଳବାତ୍ମକ ଭୂମିକାରେ ଅଭିନୟ କରି ଖୁବ୍ ଲୋକପ୍ରିୟ ହୋଇଥିଲେ। ଉପମୁଖ୍ୟମନ୍ତ୍ରୀ ଚେଷ୍ଟର୍ କୁପର୍ ନିଜର ଅଫିସିଆଲ୍ ଫେସ୍ବୁକ୍ ପେଜ୍ରେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଏବଂ ବାହାମୀୟ ନାଗରିକତ୍ବ ହାସଲ କରିଥିବା ପାଟିଏ ଥିଲେ ଜଣେ ଆଦର୍ଶ, ନାୟକ, ପରାମର୍ଶଦାତା, ସଂଗ୍ରାମୀ ଏବଂ ଜାତୀୟ ସମ୍ପଦ।
୧୯୫୮ ଦଶକର ହଲିଉଡ୍ ଚଳଚ୍ଚିତ୍ର ‘ଦି ଡେଫିଏଣ୍ଟ ୱାନ୍ସ୍’ ନିମନ୍ତେ ସେ ‘ଏକାଡେମୀ ଆୱାର୍ଡ’ ପାଇବାରେ ଥିଲେ ପ୍ରଥମ କୃଷ୍ଣକାୟ ସିନେ ତାରକା। ତା’ର ୬ ବର୍ଷ ପରେ ସେ ‘ଲିଲିଜ୍ ଅଫ୍ ଦି ଲ୍ୟାଣ୍ଡ୍’ରେ ଉଚ୍ଚକୋଟୀର ଅଭିନୟ ନିମନ୍ତେ ଶ୍ରେଷ୍ଠ ଅଭିନେତାର ‘ଓସ୍କାର୍’ ସମ୍ମାନ ପାଇଥିଲେ। ଓସ୍କାର୍ ହାସଲ କରିବାରେ ମଧ୍ୟ ସେ ଥିଲେ ପ୍ରଥମ କୃଷ୍ଣକାୟ ଅଭିନେତା। ୧୯୫୦ ଏବଂ ୧୯୬୦ ଦଶକରେ ଆମେରିକାରେ ବର୍ଣ୍ଣବୈଷମ୍ୟଜନିତ ଉତ୍ତେଜନାମୟ ପରିସ୍ଥିତିକୁ ତାଙ୍କ ଅଭିନୀତ ଚଳଚ୍ଚିତ୍ରଗୁଡ଼ିକ କିଛି ମାତ୍ରାରେ ଊଣା କରିଥିଲା। ସେଥିମଧ୍ୟରୁ ତାଙ୍କ ଅଭିନୀତ ୧୯୬୭ର ପ୍ରଥମ ଶ୍ରେଣୀୟ ଚଳଚ୍ଚିତ୍ର ‘ଗେସ୍ ହୁ ଇଜ୍ କମିଙ୍ଗ୍ ଟୁ ଡିନର୍’ ଏବଂ ‘ଇନ୍ ଦି ହିଟ୍ ଅଫ୍ ଦି ନାଇଟ୍’ ଆଦି ଚଳଚ୍ଚିତ୍ର ପ୍ରଣିଧାନଯୋଗ୍ୟ। ୨୦୦୯ରେ ରାଷ୍ଟ୍ରପତି ବାରାକ୍ ଓବାମା ତାଙ୍କୁ ଆମେରିକାର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ୟୁଏସ୍ ପ୍ରେଜିଡେନ୍ସିଆଲ୍ ମେଡାଲ୍ ଅଫ୍ ଫ୍ରିଡମ୍’ ପ୍ରଦାନ କରିଥିଲେ। ୧୯୭୬ରେ ସେ ଜୋଆନାଙ୍କୁ ଦ୍ବିତୀୟ ବିବାହ କରିଥିଲେ। ତାଙ୍କର ୬ ଜଣ ସନ୍ତାନ ଓ ଅସୁମାରି ନାତିନାତୁଣୀ ଓ ଅଣନାତିନାତୁଣି ଅଛନ୍ତି।