ଏନସିବିର ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କଲେ ବିଜେନ୍ଦ୍ର ସିଂ
ମୁମ୍ବାଇ : କାର୍ଯ୍ୟକାଳ ଶେଷ ହେବା ପରେ ଏନସିବିରୁ ବିଦା ହୋଇଛନ୍ତି ସମୀର ୱାଙ୍ଖଡେ । ସେ ରାଜସ୍ବ ଇଣ୍ଟେଲିଜେନ୍ସ ବିଭାଗକୁ ଫେରିଯିବା ପରେ ଏବେ ତାଙ୍କ ସ୍ଥାନ ନେଇଛନ୍ତି ଆଇଆରଏସ ଅଫିସର ବିଜେନ୍ଦ୍ର ସିଂହ । ବିଜେନ୍ଦ୍ର ସିଂ ମୁମ୍ବାଇ ଏନସିବିର ଜୋନାଲ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି।
ଏହା ବିଜେନ୍ଦ୍ର ସିଂଙ୍କ ଲାଗି ଅତିରିକ୍ତ ଚାର୍ଜ ହେବ ବୋଲି ଅଧିକାରୀ ସୂତ୍ରରୁ ଜଣାପଡିଛି । କହିରଖୁଛୁ କି, ଡିସେମ୍ବର ୩୧ରେ ୱାଙ୍ଖଡେଙ୍କ କାର୍ଯ୍ୟକାଳ ଶେଷ ହୋଇଥିଲା । ନିଜ କାର୍ଯ୍ୟକାଳ ମଧ୍ୟରେ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ ୱାଙ୍ଖଡେ । ଯାହାପରେ ସେ ଲାଗାତାର ମହାରାଷ୍ଟ୍ର ଶାସକ ଦଳ ମନ୍ତ୍ରୀଙ୍କ ଟାର୍ଗେଟରେ ରହିଥିଲେ । ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲ୍ଲିକ ୱାଙ୍ଖଡେଙ୍କ ଉପରେ ଗୋଟିଏ ପରେ ଗୋଟିଏ ସାଙ୍ଘାତିକ ଆରୋପ ଲଗାଇ ଥିଲେ । ପୂର୍ବରୁ ଅନୁମାନ କରାଯାଉଥିଲା କି, କେନ୍ଦ୍ର ସରକାର ୱାଙ୍ଖଡେଙ୍କ ଚାକିରି କାଳକୁ ସମ୍ପ୍ରସାରଣ କରିପାରନ୍ତି । ହେଲେ ବିବାଦରେ ଛନ୍ଦି ହୋଇଯାଇଥିବା ଏହି ବରିଷ୍ଠ ଆଇଆରଏସ ଅଧିକାରୀଙ୍କ କ୍ଷେତ୍ରରେ ସେପରି କିଛି ଘଟି ନଥିଲା ।