ପଞ୍ଚାୟତ ନିର୍ବାଚନରେ ସଂରକ୍ଷଣ ମାମଲା, ସାନି ବିଜ୍ଞପ୍ତି ପ୍ରକାଶନ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
କଟକ : ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ମାମଲାରେ ସାନି ସଂରକ୍ଷଣ ବିଜ୍ଞପ୍ତି ପ୍ରକାଶ କରିବା ପାଇଁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ରୁଜୁ ମାମଲାର ଶୁଣାଣି କରି ହାଇକୋର୍ଟ ଏହି ରାୟ ପ୍ରକାଶ କରିଛନ୍ତି । ଏଥିସହିତ ହାଇକୋର୍ଟ ସଂରକ୍ଷଣ ସମ୍ପର୍କରେ ପଞ୍ଚାୟତିରାଜ ବିଭାଗକୁ ସାନି ଡ୍ରାଫ୍ଟ ପ୍ରସ୍ତୁତ କରିବାକୁ କହିଛନ୍ତି ।
ଆସନ୍ତା ଜାନୁୟାରୀ ୮ତାରିଖ ପୂର୍ବରୁ ସଂରକ୍ଷଣ ସମ୍ପର୍କରେ ସମ୍ପୂର୍ଣ୍ଣ ଚିଠା ପ୍ରସ୍ତୁତ କରିବାକୁ ହାଇକୋର୍ଟ ତାଙ୍କ ଆଦେଶରେ ସ୍ପଷ୍ଟ କରିଛନ୍ତି । ପଞ୍ଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ଅନ୍ୟାନ୍ୟ ପଛୁଆବର୍ଗଙ୍କ ସଂରକ୍ଷଣ ପ୍ରସଙ୍ଗରେ ଆବେଦନକାରୀ ପ୍ରସନ୍ନ କୁମାର ବେହେରା, ବୀରେନ୍ଦ୍ର ଦାସ, ଭୋଲାନାଥ ବେହେରା ଓ ଅନ୍ୟମାନଙ୍କ ପକ୍ଷରୁ ରୁଜୁ ଏକାଧିକ ଆବେଦନର ଶୁଣାଣି କରି ହାଇକୋର୍ଟ ଉପରୋକ୍ତ ଆଦେଶ ଦେଇଛନ୍ତି । ଶୁଣାଣିବେଳେ ଜଣାପଡ଼ିଥିଲା ଯେ ଏହି ମର୍ମରେ ରାଜ୍ୟ ସରକାର ଆସନ୍ତା ୨୭ତାରିଖରେ ଏକ ବିଜ୍ଞପ୍ତି ପ୍ରକାଶ କରି ଆସନ୍ତା ୨୦୨୨ ମସିହା ମାର୍ଚ୍ଚ ମାସ ୧୦ତାରିଖ ସୁଦ୍ଧା ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟା ଶେଷ କରିବାକୁ ଲକ୍ଷ୍ୟ ରଖିଛନ୍ତି ।
ସୂଚନା ଯେ, ଡିସେମ୍ବର ୬ ତାରିଖରେ ସୁପ୍ରିମ୍କୋର୍ଟ ମହାରାଷ୍ଟ୍ର ରାଜ୍ୟ ସରକାରଙ୍କୁ ସଂରକ୍ଷଣ ପ୍ରସଙ୍ଗରେ ପ୍ରକ୍ରିୟା ଶେଷ କରିବାକୁ ଆଦେଶ ଦେଇଥିଲେ । ଉକ୍ତ ପ୍ରସଙ୍ଗରେ ମାମଲାର ଶୁଣାଣିବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି ଡ. ଏସ୍. ମୁରଲୀଧର ଓ ବିଚାରପତି ଏକେ ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁପ୍ରିମ୍କୋର୍ଟଙ୍କ ଉକ୍ତ ନିର୍ଦ୍ଦେଶ ସମ୍ପର୍କରେ ଦର୍ଶାଇଥିଲେ । ହାଇକୋର୍ଟରେ ଏହି ମାମଲାକୁ ଆଡ୍ଭୋକେଟ୍ ଜେନେରାଲ୍ ଅଶୋକ ପରିଜା, ସରକାରୀ ଓକିଲ ଦେବକାନ୍ତ ମହାନ୍ତି, ସୁକାନ୍ତ କୁମାର ଦଳେଇ, ବରିଷ୍ଠ ଆଇନଜୀବୀ ବୁଦ୍ଧଦେବ ରାଉତରାୟ ପ୍ରମୁଖ ପରିଚାଳନା କରୁଥିଲେ ।