ନାଟୋକୁ କଡ଼ା ଚେତାବନୀ! ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ : ଋଷ
ନୂଆଦିଲ୍ଲୀ : ନାଟୋକୁ ଯୁଦ୍ଧ ଧମକ ଦେଇଛି ଋଷ । ଋଷର ଉପ-ବୈଦେଶିକ ମନ୍ତ୍ରୀ ସର୍ଗେଇ ରେବକୋଭ କହିଛନ୍ତି ଯେ ଯଦି ନାଟୋ ଋଷର ସୁରକ୍ଷା ଚିନ୍ତାକୁ ଅଣଦେଖା କରେ ତେବେ ସାମରିକ ପ୍ରତିକ୍ରିୟା ପାଇଁ ଋଷ ପ୍ରସ୍ତୁତ ଅଛି । ଜଣେ ବରିଷ୍ଠ କୂଟନୀତିଜ୍ଞ ସୋମବାର ଋଷର ସରକାରୀ ଗଣମାଧ୍ୟମ ଏଜେନ୍ସି ଟାସଙ୍କୁ କହିଛନ୍ତି ଯେ, “ମୁଁ କହିଛି ଯେ ଯଦି ନାଟୋ ପୁଣିଥରେ ମସ୍କୋର ଚିନ୍ତାକୁ ଅଣଦେଖା କରେ, ତେବେ ଆମେ ସୈନ୍ୟ ଓ ସାମରିକ-ବୈଷୟିକ ଉପାୟରେ ଜବାବ ଦେବୁ । ମୁଁ ପୁନର୍ବାର କହୁଛି, ଆମକୁ ସେହି କାର୍ଯ୍ୟକଳାପଗୁଡିକୁ ସନ୍ତୁଳିତ କରିବାକୁ ପଡିବ ଯାହା ଆମ ପାଇଁ ଚିନ୍ତାର କାରଣ, କାରଣ ସେମାନେ ଆମ ପାଇଁ ବିପଦ ବଢ଼ାଇବେ ।”
ବରିଷ୍ଠ କୂଟନୀତିଜ୍ଞ ଏହା ମଧ୍ୟ ଗୁରୁତ୍ୱାରୋପ କରିଛନ୍ତି ଯେ ଋଷ ଏହି ପରିସ୍ଥିତିକୁ ରୋକିବାକୁ ଚେଷ୍ଟା କରିବ ଓ ଗୁରୁତର ପରିସ୍ଥିତିକୁ ଏଡାଇବା ପାଇଁ କଥାବାର୍ତ୍ତା ଆବଶ୍ୟକ ବୋଲି ସେ ଜାଣନ୍ତି । ଚଳିତ ବର୍ଷ ଡିସେମ୍ବର ୧୭ରେ ଋଷର ବୈଦେଶିକ ମନ୍ତ୍ରଣାଳୟ ଆମେରିକା ଓ ନାଟୋରୁ ଆଇନଗତ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ ଉପରେ ଦୁଇଟି ଋଷୀ ଡ୍ରାଫ୍ଟ ଡକ୍ୟୁମେଣ୍ଟ ଜାରି କରିଥିଲା । ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ପୂର୍ବରୁ ନାଟୋ ସହିତ ଋଷର ବିଶ୍ୱସନୀୟ ଦୀର୍ଘକାଳୀନ ସୁରକ୍ଷା ଗ୍ୟାରେଣ୍ଟି ଉପରେ ଦୃଢ଼ ଆଲୋଚନା ଆରମ୍ଭ କରିବାକୁ କହିଥିଲେ ।
ସେ କହିଛନ୍ତି ଯେ, ପାଶ୍ଚାତ୍ୟ ଦେଶମାନେ ସେମାନଙ୍କର ମୌଖିକ ପ୍ରତିଶ୍ରୁତି ପୂରଣ କରିବାରେ ବିଫଳ ହୋଇଥିବାରୁ ନାଟୋରୁ ଋଷକୁ ଆଇନଗତ ଭାବରେ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବା ଉଚିତ । ଚଳିତ ମାସ ଆରମ୍ଭରେ ଆମେରିକାର ଗୁଇନ୍ଦା ସଂସ୍ଥା ଚେତାବନୀ ଦେଇଥିଲା ଯେ ଋଷ ଆସନ୍ତା ବର୍ଷ ଆରମ୍ଭରେ ୟୁକ୍ରେନ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି । ୟୁକ୍ରେନ ସୀମାରେ ପ୍ରାୟ ଏକ ଲକ୍ଷ ଋଷ ସୈନିକ ମୁତୟନ ହୋଇଛନ୍ତି । ଆମେରିକା ବିଶ୍ୱାସ କରେ ଯେ ଜାନୁଆରୀ ଶେଷ ସୁଦ୍ଧା ଏହାର ସଂଖ୍ୟା ୧,୭୫,୦୦୦କୁ ବୃଦ୍ଧି ପାଇପାରେ । ଆମେରିକା ସ୍ପଷ୍ଟ ଭାବରେ କହିଛି ଯେ ଯଦି ଋଷ ଏହା କରେ ତେବେ ଏହାର ଗୁରୁତର ପରିଣାମର ସାମ୍ନା କରିବାକୁ ପଡିବ । ଏଥି ସହିତ ଋଷ ଭୟ କରୁଛି ଯେ ନାଟୋ ସୈନ୍ୟମାନେ ଏହାର ଦ୍ୱାରରେ ପହଞ୍ଚିବେ ଓ ସେଥିପାଇଁ ସୁରକ୍ଷା ପାଇଁ ନାଟୋ ସଂଗଠନର ଗ୍ୟାରେଣ୍ଟି ଚାହୁଁଛନ୍ତି ।